ନୂଆଦିଲ୍ଲୀ: ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରାଯିବା ବିରୋଧରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ସୁପ୍ରିମକୋର୍ଟରେ କରିଥିବା ଆବେଦନର ଶୁଣାଣି ଜୁଲାଇ ୧୧ରେ ହେବ। ଏଥିଲାଗି ସୁପ୍ରିମକୋର୍ଟ ସହମତି ଜଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ୍ ଜେ.କେ. ମାହେଶ୍ୱରୀଙ୍କ ଅବକାଶକାଳୀନ ପୀଠ ଜୁଲାଇ ୧୧ ତାରିଖ ଦିନ ଉଚିତ ପୀଠରେ ଆବେଦନର ଶୁଣାଣି ଲାଗି ସୂଚୀବଦ୍ଧ ହେବ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୧୧ତାରିଖରେ ମହାରାଷ୍ଟ୍ର ମାମଲାର ଶୁଣାଣି ପୂର୍ବରୁ ଶିବସେନାର ଉଦ୍ଧବ ଗୋଷ୍ଠୀ ସୁପ୍ରିମକୋର୍ଟରେ ଅନ୍ୟ ଏକ ଆବେଦନ ମଧ୍ୟ କରିଛନ୍ତି। ସାଧାରଣ ସମ୍ପାଦକ ସୁଭାଷ ଦେଶାଈ କରିଥିବା ଆବେଦନରେ ସିନ୍ଦେଙ୍କୁ ସରକାର ଗଠନ ଲାଗି ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ଏଥିରେ ଚାଲେଞ୍ଜ କରିଛନ୍ତି। ଏଥିରେ ବାଚସ୍ପତି ନିର୍ବାଚନ ଓ ବିଶ୍ୱାସମତ ପ୍ରକ୍ରିୟାକୁ ମଧ୍ୟ ତ୍ରୁଟିପୂର୍ଣ୍ଣ କୁହାଯାଇଛି।

ଶିବସେନା ନେତା ସୁଭାଷ ଦେଶାଈଙ୍କ ପକ୍ଷରୁ ବରିଷ୍ଠ ଓକିଲ ଦେବଦତ୍ତ କାମତ ଅନ୍ୟ ଲମ୍ବିତ ଆବେଦନ ସହ ନୂଆ ଆବେଦନକୁ ସୂଚୀଭୁକ୍ତ କରିବା ଲାଗି ମଧ୍ୟ ଆବେଦନ କରାଯାଇଥିବା କହିଛନ୍ତି। ଆମେ ମୁଖ୍ୟମନ୍ତ୍ରୀ ରୂପେ ଏକନାଥ ସିନ୍ଦେଙ୍କ ନିଯୁକ୍ତିକୁ ଚାଲେଞ୍ଜ କରୁଥିବା କାମତ କହିଛନ୍ତି।
ମହାରାଷ୍ଟ୍ରରେ ଠାକରେଙ୍କ ନେତୃତ୍ୱାଧିନ ଶିବସେନାକୁ ନିକଟରେ ବରିଷ୍ଠ ନେତା ସିନ୍ଦେଙ୍କ ନେତୃତ୍ୱରେ ବିଧାୟକମାନଙ୍କ ବିଦ୍ରୋହର ସମ୍ମୁଖୀନ ହେବାକୁ ପଡିଥିଲା। ପାର୍ଟିର ଅଧିକାଂଶ ବିଧାୟକ ସିନ୍ଦେଙ୍କ ପକ୍ଷ ନେଇଥିବା ବେଳେ ମହାବିକାଶ ଅଘାଡି (ଏମଭିଏ) ସରକାରର ପତନ ହୋଇଛି। ଠାକରେ ଜୁନ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ତା ପରଦିନ ଅର୍ଥାତ ଜୁନ ୩୦ ତାରିଖରେ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ।
Back to top button