ସ୍ୱାସ୍ଥ୍ୟ

୧୮-୫୯ବର୍ଷ ବୟସ ବର୍ଗର ଲୋକମାନେ ମାଗଣାରେ ନେଇପାରିବେ କୋଭିଡ ଟିକାର ବୁଷ୍ଟର

ମାଗଣା ହେଲା କରୋନାର ବୁଷ୍ଟର ଡୋଜ୍। ଜୁଲାଇ ୧୫ରୁ ଆରମ୍ଭ ହେବାକୁ ଥିବା ୭୫ଦିନିଆ ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ସରକାରୀ ଟିକାକରଣ କେନ୍ଦ୍ରରେ ୧୮-୫୯ବର୍ଷ ବୟସ ବର୍ଗର ଲୋକମାନେ କୋଭିଡ ଟିକାର ବୁଷ୍ଟର ମାଗଣାରେ ନେଇପାରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। କୋଭିଡ ବୁଷ୍ଟର ଡୋଜର ଅଭିଯାନକୁ ତ୍ବରାନ୍ବିତ କରିବାର ଲକ୍ଷ୍ୟ ରଖି ଭାରତର ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ କରିବାକୁ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଏହି ଅଭିଯାନ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ, ୧୮-୫୯ବୟସ ବର୍ଗର ଥିବା ୭୭କୋଟିର ଜନସଂଖ୍ୟା ମଧ୍ୟରୁ ମାତ୍ର ୧ପ୍ରତିଶତରୁ କମ୍ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି। ଏହା ସହ ୧୬କୋଟି ୬୦ବର୍ଷରୁ ଉର୍ଦ୍ଧ୍ବ ଏବଂ କରୋନା ଯୋଦ୍ଧାଙ୍କ ମଧ୍ୟ‌ରୁ ୨୬ପ୍ରତିଶତ ଏପର୍ଯ୍ୟନ୍ତ ବୁଷ୍ଟର ଡୋଜ ନେଇସାରିଥିବା ଜଣାପଡ଼ିଛି। ତେଣୁ ସରକାର ୭୫ଦିନ ପାଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ଯେଉଁଥିରେ ୧୮ରୁ ୫୯ବର୍ଷ ବୟସର ବ୍ୟକ୍ତିଙ୍କୁ ଜୁଲାଇ ୧୫ରୁ ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣାରେ ବୁଷ୍ଟର ଡୋଜ ଦିଆଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗତ ସପ୍ତାହରେ ସମସ୍ତ ହିତାଧିକାରୀଙ୍କ ପାଇଁ କରୋନା ଟିକାର ଦ୍ବିତୀୟ ଏବଂ ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନକୁ ହ୍ରାସ କରିଥିଲା। ଟିକାକରଣର ଗତିକୁ ତ୍ୱରାନ୍ୱିତ କରିବା ଏବଂ ବୁଷ୍ଟର୍ ଡୋଜ ନେବା ପାଇଁ ଉତ୍ସାହିତ କରିବାକୁ ସରକାର ଜୁନ୍ ୧ରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ‘ହର ଘର ଦସ୍ତକ ଅଭିଯାନ ୨.୦’ ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ଅଭିଯାନ ଚାଲୁ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com