ଜାତୀୟ

ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ସିଇଓ ଗିରଫ, କୋ-ଲୋକେସନ୍‌ ସ୍କାମ୍‌ରେ ବାନ୍ଧିଲା ଇଡି

ମୁମ୍ୱାଇ: ନାସ୍‌ନାଲ୍‌ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ସିଇଓ ଗିରଫ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ଏନ୍‌ଏସ୍‌ଇର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ଗିରଫ କରିଛି । ପୂର୍ବରୁ ତାଙ୍କ ନାମରେ ଗୁପ୍ତ ଲୋକେସନ୍‌ ତଥ୍ୟ ଅନ୍ୟକୁ ପ୍ରଦାନ କରିବା ମାମଲା ରହିଥିଲା । ଏହାର ଖୋଳତାଡ଼ କରି ଇଡି ତାଙ୍କୁ ଗିରଫ କରିଛି । ଖୁବ୍‌ ଶୀଘ୍ର ତାଙ୍କୁ ସିବିଆଇର ସ୍ୱତନ୍ତ୍ର ଜଜ୍‌ଙ୍କ ନିକଟରେ ହାଜର କରାଯିବ ବୋଲି ଜଣାପଡ଼ିଛି ।

୫୯ ବର୍ଷିୟ ଚିତ୍ରା ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଏନ୍‌ଏସ୍‌ଇର ସିଇଓ ରହିଥିଲେ । ଏନ୍‌ଏସ୍‌ଇ ପୂର୍ବତନ କର୍ମଚାରୀ ଆନନ୍ଦ ସୁବ୍ରମଣିୟମ୍‌ଙ୍କ ବେଆଇନ୍‌ ନିଯୁକ୍ତି ସହିତ ଜଡ଼ିତ ଥିବା ନେଇ ଗତ ମାର୍ଚ୍ଚରେ ତାଙ୍କୁ ସିବିଆଇ ପକ୍ଷରୁ ଗିରଫ କରାଯାଇଥିଲା । ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ ବା ସେବି ଫେବୃଆରୀ ୧୧ ରେ ଚିତ୍ରାଙ୍କ ସମେତ ଅନ୍ୟ ମାନଙ୍କ ବିରୋଧରେ ଚାର୍ଜ ଲଗାଇଥିଲା ।

ବେଆଇନ୍‌ ଭାବେ ଆନନ୍ଦ ସୁବ୍ରମଣିୟମ୍‌ଙ୍କୁ ମୁଖ୍ୟ ଷ୍ଟ୍ରାଟେଜିକ୍‌ ଆଡ୍‌ଭାଇଜର୍‌, ପରେ ପୁଣିଥରେ ଗ୍ରୁପ୍‌ ପରିଚାଳନା ଅଧିକାରୀ ଏବଂ ଏମ୍‌ଡିଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଥିଲା । ତଦନ୍ତ ବେଳେ କୋ-ଲୋକେସନ୍‌ ସୁବୁଧାକୁ ନେଇ ହୋଇଥିବା ତଥ୍ୟ ପ୍ରଦାନ ସମ୍ୱନ୍ଧରେ ପ୍ରମାଣ ପାଇଥିଲା ସେବି । ଫେବୃଆରୀ ୨୫ରେ ସୁବ୍ରମଣିୟମ୍‌ଙ୍କୁ ସିବିଆଇ ଗିରଫ କରିଥିଲା ।

କୋ-ଲୋକେସନ୍‌ ସ୍କାମ୍‌-

 କୋ-ଲୋକେସନ୍‌ ସେଟ୍‌ ଅପ୍‌ ହେଉଛି ବ୍ରୋକରଙ୍କ କମ୍ପ୍ୟୁଟର ସିଷ୍ଟମ ଷ୍ଟକ୍‌ ଏକ୍ସଚେଞ୍ଜର ସର୍ଭର ଅଞ୍ଚଳରେ ସ୍ଥାପନ କରିବା । ଯାହାକି ଜଣେ ସାଧାରଣ ବ୍ରୋକର ଠାରୁ ଅନ୍ୟ ଜଣେ ବ୍ରୋକରକୁ ଖୁବ୍‌ଶୀଘ୍ର ତଥ୍ୟ ପାଇବାରେ ସାହାଯ୍ୟ କରିବ । ଏନ୍‌ଏସ୍‌ଇ ସର୍ଭର ରୁମ୍‌ରେ ଥିବା ବ୍ରୋକରର ସିଷ୍ଟମ ମାର୍କେଟ୍‌ ସହ ଜଡ଼ିତ ତଥ୍ୟ ଶୀଘ୍ର ପାଇଯିବା କାରଣରୁ ଅଧିକ ଲାଭ ମଧ୍ୟ କରିପାରିବ ।

ସୂଚନା ଥାଉକି ଚିତ୍ରା ରାମକୃଷ୍ଣ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଏନଏସଇର ଏମଡି ତଥା ସିଇଓ ଥିଲେ। ହିମାଳୟସ୍ଥିତ ଜନୈକ ଯୋଗୀଙ୍କ ସହ ସେ ଷ୍ଟକ୍ ଏକ୍ସଚେଞ୍ଜର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଦାନପ୍ରଦାନ କରୁଥିବାର ତାଙ୍କ ଉପରେ ଅଭିଯୋଗ ହୋଇଥିଲା ।

ଚିତ୍ରା ବୃତ୍ତି ଅନୁଯାୟୀ ଜଣେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ (CA) । ସେ ୧୯୮୫ରେ IDBI ବ୍ୟାଙ୍କରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ମଧ୍ୟ କିଛି ସମୟ ପାଇଁ SEBI ରେ କାମ କରିଥିଲେ ।

୧୯୯୧ମସିହାରେ NSE ଆରମ୍ଭ ହେବା ପରଠାରୁ ସେ ମୁଖ୍ୟ ଥିଲେ । ପ୍ରଥମ NSE ସିଇଓ ଆର.ଏଚ୍ ପାଟିଲଙ୍କ ନେତୃତ୍ୱରେ ଚିତ୍ରା ୫ଜଣଙ୍କ ମଧ୍ୟରେ ଥିଲେ, ଯେଉଁମାନେ ‘ହର୍ଷଦ ମେହେଟ୍ଟା ସ୍କାମ’ ପରେ ଏକ ଷ୍ଟକ୍ ଏକ୍ସଚେଞ୍ଜ ସୃଷ୍ଟି କରିବାକୁ ମନୋନୀତ ହୋଇଥିଲେ । ୨୦୧୩ ରେ ରବି ନାରାୟଣଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଚିତ୍ରାଙ୍କୁ NSEର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com