କ୍ରୀଡ଼ା

ବିସିସିଆଇରେ ସୌରଭ ଗାଙ୍ଗୁଲି-ଜୟ ଶାହା ରହିବେ କି ନାହିଁ ? ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ରେ ସଭାପତି ପଦରେ ସୌରଭ ଗାଙ୍ଗୁଲି ଏବଂ ଉପ ସଭାପତି ପଦରେ ଜୟ ଶାହ ରହିବେ କି ନାହିଁ ଏହା ଉପରେ ଫଇସଲା ଗୁରୁବାର ସୁପ୍ରିମକୋର୍ଟରେ ହେବ। ବିସିସିଆଇ ନିଜ ପଦାଧିକାରୀଙ୍କ କାର୍ଯ୍ୟକାଳ ସମ୍ବନ୍ଧରେ ସମ୍ବିଧାନରେ ସଂଶୋଧନ ନିବେଦନ କରି ଆବେଦନ ଦାଖଲ କରିଥିଲା। ପ୍ରଧାନ ବିଚାରପତି ଏନଭି ରମଣା, ବିଚାରପତି କୃଷ୍ଣ ମୁରାରୀ ଏବଂ ବିଚାରପତି ହିମା କୋହଲୀଙ୍କ ପୀଠ  ମାମଲାକୁ ଗୁରୁବାର ପାଇଁ ସ୍ଥଗିତ ରଖିଛନ୍ତି. କାରନ ବିସିସିଆଇ ପକ୍ଷରୁ ହାଜର ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଶୁଣାଣି ସ୍ଥଗିତ କରିବାକୁ ଦାବି କରିଥିଲେ।

ବିହାର କ୍ରିକେଟ୍ ସଂଘ ପକ୍ଷରୁ ହାଜର ଆଇନଜୀବୀ କହିଛନ୍ତି, ପଦାଧିକାରୀ ନିଜ କାର୍ଯ୍ୟକାଳ ଏ ଯାଏଁ ଜାରି ରଖିଛନ୍ତି। କିନ୍ତୁ ନିୟମ ଅନୁଯାୟୀ ଦେଖିଲେ ଗାଙ୍ଗୁଲି ଏବଂ ଶାହଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ସାରିଛି। ଏହା ଉପରେ ଗୁରୁବାର ଶୁଣାଣି କରାଯିବ ବୋଲି ପୀଠ କହିଛନ୍ତି। ବିଜେପି ନେତା ସୁବ୍ରମଣ୍ୟମ ସ୍ଵାମୀ ଏହି ମାମଲାରେ ନିଜକୁ ପକ୍ଷଭୁକ୍ତ କରିବାକୁ ସ୍ଵୀକୃତି ନେବା ପାଇଁ ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି।

ଏହା ପୂର୍ବରୁ ପୀଠ  ବିସିସିଆଇର ଯାଚିକା ଉପରେ ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ରାଜି ହୋଇଥିଲେ। ବିସିସିଆଇ ନିଜର ପଦାଧିକାରୀଙ୍କ କାର୍ଯ୍ୟକାଳ ସମ୍ବନ୍ଧରେ ନିଜ ସମ୍ଵିଧାନ ସଂଶୋଧନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟରୁ ଅନୁମତି ଲୋଡିଛି। ବୋର୍ଡ ପକ୍ଷରୁ ହାଜର ବରିଷ୍ଠ ଆଇନଜୀବୀ ପିଏସ ପଟଓ୍ଵାଲିଆ କହିଛନ୍ତି, ଏହି ଆବେଦନ ଦୁଇ ବର୍ଷ ପୂର୍ବେ ଦାଖଲ କରାଯାଇଥିଲା। ଆଉ ଏହାର ଦୁଇ ସପ୍ତାହ ପରେ ମାମଲାକୁ ସୂଚୀବଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ହେଲେ କୋଭିଡ୍ ମହାମାରୀ କାରଣରୁ ମାମଲାକୁ ସୂଚୀବଦ୍ଧ କରାଯାଇ ପାରିନଥିଲା। ତେଣୁ ମାମଲାକୁ ଶୀଘ୍ର ସୂଚୀବଦ୍ଧ କରିବାକୁ ସେ ଉଚ୍ଚତମ ନ୍ୟାୟାଳୟକୁ ଅନୁରୋଧ କରିଥିଲେ। ନ୍ୟାୟାଳୟଠୁ ସ୍ଵୀକୃତି ମିଳିବା ପରେ ହିଁ ବିସିସିଆଇ ନିଜ ସମ୍ବିଧାନରେ ସଂଶୋଧନ କରି ପାରିବ।

Related Articles

Back to top button
WP Twitter Auto Publish Powered By : XYZScripts.com