ଓଡ଼ିଶା

ବିଧାୟକ ପାଣ୍ଠି ବୃଦ୍ଧି ଦାବି ଉଠାଇଲେ ଉଭୟ ଶାସକ ଓ ବିରୋଧୀ, ପ୍ରସ୍ତାବ କାର୍ଯ୍ୟକାରୀ ନେଇ ଆଲୋଚନା କରି ଜଣାଇବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ବିଧାୟକ ପାଣ୍ଠି ବୃଦ୍ଧି କରିବା ନେଇ ଗୃହରେ ସରଗରମ ଆଲୋଚନା । ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟଙ୍କ ଦାବି ବିଧାୟକ ପାଣ୍ଠିର ବୃଦ୍ଧି କରାଯାଉ । ବର୍ତ୍ତମାନ ବିଧାୟକମାନଙ୍କର ପାଣ୍ଠି ୩ କୋଟି ରହିଛି । ସେଥିରୁ ୨ କୋଟି ସାଧାରଣରେ ଏବଂ ଉଚ୍ଚଶିକ୍ଷା ପାଇଁ ୫୦ ଲକ୍ଷ ଏବଂ ରାସ୍ତାଘାଟ ନିର୍ମାଣ ପାଇଁ ୫୦ ଲକ୍ଷ ଦିଆଯାଉଛି । ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ତଥା ମୂଳ ପ୍ରଶ୍ନକର୍ତ୍ତା ସଞ୍ଜୀବ ମଲିକ କହିଛନ୍ତି ଯେ, ରାଜ୍ୟର ବଡ଼ ବଡ଼ ମନ୍ଦିର ଗୁଡ଼ିକର ବିକାଶ କାର୍ଯ୍ୟ ଚାଲୁ ରହିଛି । ମାତ୍ର ଗାଁରେ ରହିଥିବା ଛୋଟ ଛୋଟ ମନ୍ଦିରଗୁଡିକର ବିକାଶ ପାଇଁ ଏହି ବିଧାୟକ ପାଣ୍ଠି କମ୍ ପଡୁଛି । ସେଥିପାଇଁ ସାଧାରଣ ଖର୍ଚ୍ଚ ୨ କୋଟି ବଦଳରେ ୩ କୋଟି କରଯାଉ ।

ଏପଟେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଯେହେତୁ ପଡୋଶୀ ରାଜ୍ୟମାନଙ୍କରେ ବିଧାୟକ ପାଣ୍ଠି ୫ କୋଟି ଟଙ୍କା ରହିଛି । ତେଣୁ ଆମ ରାଜ୍ୟରେ ଏହାକୁ ୩ କୋଟିରୁ ୧୦ କୋଟିକୁ ବୃଦ୍ଧି କରଯାଉ । ସରସ୍ବତୀ ଶିଶୁ ମନ୍ଦିରକୁ ବିଧାୟକ ପାଣ୍ଠିରୁ କିପରି ଅନୁଦାନ ଦିଆଯିବ ତାହାର ବ୍ୟବସ୍ଥା କରଯାଉ । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ କହିଛନ୍ତି, ରାସ୍ତା ଘାଟ ନିର୍ମାଣ, କୋଭିଡ୍ ଏବଂ ଉଚ୍ଚଶିକ୍ଷା ପାଇଁ ଥିବା ଧାର୍ଯ୍ୟ ଅର୍ଥ ସୀମାକୁ ଉଠାଯାଇ ସାଧାରଣ ଖର୍ଚ୍ଚକୁ ୩ କୋଟି କରଯାଉ।

ଅନ୍ୟପଟେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି । ବର୍ତ୍ତମାନ ବିଧାୟକ ପାଣ୍ଠି ବଢ଼ାଇବାର କୌଣସି ପ୍ରସ୍ତାବ ନାହିଁ । ସମୟ ଆସିଲେ ବିଚାର କରାଯିବ । ୨୦୨୦-୨୧ରେ ବିଧାୟକ ପାଣ୍ଠି ୧ କୋଟିରୁ ୩ କୋଟିକୁ ବୃଦ୍ଧି କରାଯାଇଥିଲା। ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୨ କୋଟି ଥିବାବେଳେ ତେଲେଙ୍ଗାନାରେ ୫ କୋଟି, ଛତିଶଗଡ଼ରେ ୪ କୋଟି, ପଶ୍ଚିମବଙ୍ଗରେ ୬୦ ଲକ୍ଷ, ଝାଡ଼ଖଣ୍ଡରେ ୪ କୋଟି, ମହାରାଷ୍ଟ୍ରରେ ୫ କୋଟି ଏବଂ ଉତ୍ତର ପ୍ରଦେଶରେ ମଧ୍ୟ ୫ କୋଟି ରହିଛି ।

ବିଧାୟକମାନେ ଯେଉଁ ପ୍ରସ୍ତାବ ଦେଉଛନ୍ତି ତାହା କିପରି କାର୍ଯ୍ୟକାରୀ ହେବ ସେ ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରି ଗୃହକୁ ଜଣାଇବାକୁ ଯୋଜନା ଓ ସଂଯୋଜନା ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com