ଓଡ଼ିଶା

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଚାଲିଥିବା ସମୟରେ ଦିବ୍ୟାଙ୍ଗ ଯୁବକଙ୍କ  ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର, ୨୬/୦୭/୨୦୨୨-  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ସମ୍ମିଳନୀ କକ୍ଷରେ ସୋମବାର  ଅଘଟଣ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଚାଲିଥିବା ସମୟରେ ଜଣେ ଦିବ୍ୟାଙ୍ଗ ଯୁବକ ବିଷାକ୍ତ ଔଷଧ ସେବନ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଯୁବକ ଜଣକ  ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ ପତାଣ୍ଡ ଗ୍ରାମର ଜେ . ବାଳକୃଷ୍ଣ ଦୋରା ବୋଲି ସୂଚନା ମିଳିଛି । ସୋମବାର ପୂର୍ବାହ୍ନରେ ବ୍ଳକ ସଭାଗୃହ ପରିସରରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା , ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣ ବିବେକ ଏମ୍ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି . କିର୍ତ୍ତୀଭାସେନ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ ସମେତ ଦିଗପହଣ୍ଡି ବ୍ଳକ ଉନ୍ନୟନ ଅଧିକାରୀ ହଳଧର ଶବର , ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା , ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରାଙ୍କ ଉପସ୍ଥିତିରେ ବ୍ଳକ ଅଧିନସ୍ଥ ସମସ୍ତ ପଞ୍ଚାୟତର ବିଭିନ୍ନ ବିଭାଗର ଦାୟିତ୍ବରେ ଥିବା ଅଧିକାରୀ ଓ ଜନସାଧାରଣଙ୍କ ଅଭିଯୋଗ ନେଇ ଶୁଣାଣି କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମୟରେ ୨୦୦୩ ମସିହାରେ ଦାଦନ ଖଟିବାକୁ ଯାଇ ଗ୍ରାମକୁ ଫେରୁଥିବା ବେଳେ ଚଳନ୍ତା ଟ୍ରେନରୁ ପଡ଼ି ଦୁଇ ଗୋଡ଼ ହରାଇଥିବା ଦିବ୍ୟାଙ୍ଗ ଯୁବକ ବାଳକୃଷ୍ଣ ନିଜ ଘର ବାରିପଟରେ ଥିବା କିଛି ଜମିକୁ ଅନ୍ୟ ଯୁବକ ଜବରଦଖଲ କରିଥିବା ନେଇ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଓ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟରେ ପୂର୍ବରୁ ଅଭିଯୋଗ କରି ଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ କୈାଣସି ସୁଫଳ ପ୍ରତିକ୍ରିୟା ମିଳୁନଥିବା  ଜଣାପଡିଛି । ଯାହାକୁ ନେଇ ଆଜି ଖୋଦ୍ ଜିଲ୍ଲାପାଳଙ୍କ ସମ୍ମୁଖରେ ପୂର୍ବରୁ ହାତରେ ଧରିଥିବା ଏକ ବୋତଲରୁ ବିଷାକ୍ତ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସମୟରେ ପ୍ରଶାସନିକ ଅଧିକାରୀ ମାନେ ତାଙ୍କୁ ସଙ୍ଗେ ସଙ୍ଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିଲା । ଅପରପକ୍ଷରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବ୍ଳକର ୩୧୯ ଗୋଟି ଅଭିଯୋଗ ଶୁଣାଣୀ ଆବେଦନ କରାଯାଇଥିଲା । ଏଥିରେ ପେନସନ , ସ୍ୱାସ୍ଥ୍ୟ ସମ୍ପର୍କିତ , ପ୍ରମାଣପତ୍ର ଜନିତ , ରାସନ୍ କାର୍ଡ , ଶିକ୍ଷା ସମ୍ବନ୍ଧୀୟ , ଉପକରଣ ସହାୟତା ସମ୍ପର୍କିତ , କୃଷି , ଜମିଜମା , ଗ୍ରାମ୍ୟ ପାନୀୟଜଳ ସମ୍ପର୍କିତ ଅନ୍ୟାନ୍ୟ ବିଭାଗୀୟ ଜନଶୁଣାଣୀ ହୋଇଥିଲା । ପ୍ରଥମେ ଜିଲ୍ଲାପାଳ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କିତ ଅଭିଯୋଗ ଶୁଣାଣୀ କରିଥିବା ବେଳେ ଆରକ୍ଷୀ ଅଧିକ୍ଷକ ଆଇନ ଶୃଙ୍ଖଳା ସମ୍ପର୍କିତ ଅଭିଯୋଗ ଶୁଣାଣି କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ୭ ଜଣ ଦିବ୍ୟାଙ୍ଗ ଙ୍କୁ ତିନିଚକିଆ ସାଇକେଲ ଉପକରଣ ବଣ୍ଟନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com