ଓଡ଼ିଶା

ଆଜି ରେଳ ବଜେଟ୍ ହେବ ଆଗତ: ଓଡ଼ିଶାକୁ ମିଳିପାରେ ଅଧିକ ପାଣ୍ଠି, ଅଶ୍ୱିନୀଙ୍କ ଉପରେ ରହିଛି ଆଶା

ଭୁବନେଶ୍ୱର() ଆଜି ସାଧାରଣ ବଜେଟ୍ ସହିତ ରେଳ ବଜେଟ୍ ମଧ୍ୟ ଆଗତ ହେବ । ରେଳ ବଜେଟରେ ଓଡ଼ିଶା କେତେ ଗୁରୁତ୍ବ ପାଇବ, ଓଡ଼ିଶାକୁ ବଜେଟ୍ ରୁ କେତେ ମିଳିବ ଓ ଯେଉଁସବୁ ଆଶା ରଖାଯାଇଛି ସେସବୁ ପରିପୂର୍ଣ୍ଣ ହେବକି ନାହିଁ? ତାଉପରେ ପୂରା ରାଜ୍ୟର ନଜର ରହିଛି । ଦଶନ୍ଧି ଧରି ଚାଲିଥିବା ରାଜ୍ୟର ସମସ୍ୟା ସବୁର ସମାଧାନ ହେବ କି ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ରେଳ ଦାୟିତ୍ୱ ସହିତ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜ୍ୟର ପ୍ରସ୍ତାବ ଅର୍ଥ ବିଭାଗ ମାଧ୍ୟମରେ ଦିଆଯାଇଛି । ହେଲେ ଅର୍ଥ ବିଭାଗର ଅଧିକାରୀମାନେ କିନ୍ତୁ ଏ ସଂକ୍ରାନ୍ତରେ କିଛି ବି ମୁହଁ ଖୋଲିନାହାନ୍ତି । ତେବେ ଏଥର ରେଳ ବଜେଟ୍‌ରୁ ଓଡ଼ିଶା ଅଧିକ କିଛି ଆଶା ରଖିଛି। କାରଣ ରେଳ ମନ୍ତ୍ରଣାଳୟ ଭାର ଓଡ଼ିଶା ସାଂସଦଙ୍କ ହାତରେ ରହିଛି । ତେଣୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେଉଁ କେଉଁ ନୂଆ ପ୍ରକଳ୍ପ ଓଡ଼ିଶା ପାଇଁ ଭେଟି ଦେଉଛନ୍ତି ତାହା ଜାଣିବା ପାଇଁ ସମଗ୍ର ରାଜ୍ୟ ବ୍ୟଘ୍ର ।

ତେବେ ଯଦି ଅତୀତର ପୃଷ୍ଠା ଓଲଟାଇବା ତାହେଲେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ରେଳ ବଜେଟ୍‌ରେ ପ୍ରତିବର୍ଷ ଓଡ଼ିଶାକୁ ହାରାହାରି ୮୦୦ କୋଟି ଟଙ୍କା ମିଳୁଥିଲା । ୨୦୧୪-୧୫ରେ ୪୭୦୦ କୋଟି ଦିଆଯାଇଥିଲା। କ୍ରମେ କ୍ରମେ ତାହା ବୃଦ୍ଧି ପାଇ ୨୦୨୧-୨୨ରେ ୭ ହଜାର କୋଟି ଟଙ୍କାରେ ପହଞ୍ଚିଛି। କିନ୍ତୁ ସତ ହେଲା, ୧୯୯୫ରୁ ୨୦୨୧; ୨୬ ବର୍ଷ ହେଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ସମ୍ପୂର୍ଣ୍ଣ ହୋଇପାରୁନି । କେବଳ ସେତିକି ନୁହେଁ, ତାଳଚେର-ବିମଳାଗଡ କାମ ଦୁଇ ଦଶନ୍ଧି ଧରି ସରିପାରୁନାହିଁ।

ମିଳିଥିବା ସୂଚନା ଅନୁସାରେ, ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ପାଇଁ ଚଳିତ ବଜେଟ୍‌ରେ ବ୍ୟୟ ବରାଦ ହୋଇପାରେ । ଜୁନାଗଡ଼ରୁ ଭଦ୍ରାଚଳମ୍‌ ପର୍ୟ୍ୟନ୍ତ ରେଳ ପ୍ରକଳ୍ପକୁ ବି ଅନୁମତି ମିଳିଛି । ଜୁନାଗଡ଼ରୁ ନବରଙ୍ଗପୁର ସର୍ଭେ ଅନୁମତି ‌ଦିଆଯାଇଛି। ନବରଙ୍ଗପୁରରୁ ଜୟପୁର ଓ ଜୟପୁରରୁ ମାଲକାନଗିରି ପର୍ୟ୍ୟନ୍ତ ଜମି ଅଧିଗ୍ରହଣ ଚାଲିଛି । ରାଜ୍ୟ ସରକାର ଜାଗା ଯୋଗାଇ ଦେଲେ ପ୍ରକଳ୍ପ ଆଗକୁ ବଢ଼ିବ ।  ସେହିପରି ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ୨୪୧ କିମି ରେଳ ପ୍ରକଳ୍ପକୁ ୨୦୨୦-୨୧ରେ ଅନୁମୋଦନ ମିଳିଥିବାରୁ ସେଥିପାଇଁ ଚଳିତ ବଜେଟ୍‌ରେ କିଭଳି ବ୍ୟୟ ବରାଦ କରାଯିବ ତାହା ଦେଖିବାକୁ ବାକି ରହିଲା। ଏହା ବ୍ୟତୀତ ତାଳଚେର-ଅନୁଗୁଳ ନୂଆ ରେଳ ଲାଇନ, ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପାଇଁ ୨୦୨୨-୨୩ ବଜେଟରେ କେତେ ଅର୍ଥ ବ୍ୟୟ ଅଟକଳ କରାଯାଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ପକ୍ଷରୁ ଏକାଧିକ ନୂଆ ପ୍ରକଳ୍ପ ପାଇଁ ଦାବି କରାଯାଇଥିଲା। ଯେଉଁଥିରେ ନୂଆପଡ଼ା-ଗୁଣୁପୁର ନୂଆ ବିଜି ରେଳ ସଂଯୋଗକୁ ଥେରୁବାଲି ପର୍ୟ୍ୟନ୍ତ ସମ୍ପ୍ରସାରଣ, ପୁରୀ-କୋଣାର୍କ, ବାଂଶପାଣି-ବଡ଼ବିଲ୍‌, କେନ୍ଦୁଝର ରୋଡ୍‌-ଧାମରା ବନ୍ଦର (ଭାୟା ଯାଜପୁର/ଆରେଡ଼ି), ତାଳଚେର-ଗୋପାଳପୁର, ପାରାଦୀପ-ଧାମରା, ବୁରାମାର-ଚକୁଳିଆ, ବାଙ୍ଗିରୀପୋଷି-ଗୋରୁ ମହିଷାଣି ରେଳ ପ୍ରକଳ୍ପ। ମାତ୍ର ଗତବର୍ଷ ବଜେଟ୍‌ରେ ଏ ଦିଗରେ କିଛି ପଦକ୍ଷେପ ନିଆଯାଇ ନଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com