ବାଣିଜ୍ୟ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି କେଳେଙ୍କାରୀ: ଅର୍ପିତାଙ୍କ ଦ୍ୱିତୀୟ ଫ୍ଲାଟରୁ ବି ମିଳିଲା ୨୭ କୋଟିରୁ ଅଧିକ ଟଙ୍କା

ପଶ୍ଚିମବଙ୍ଗ, ୨୮/୦୭/୨୦୨୨- ସାମ୍ନାକୁ ଆସୁଛି ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି କେଳେଙ୍କାରୀର କଳା କାରନାମା । ଟଏଲେଟରୁ ମିଳିଲା କୋଟି କୋଟି ଟଙ୍କାର ନୋଟ । ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ବେଲଘରିଆସ୍ଥିତ ଆଉ ଏକ ଫ୍ଲାଟରୁ ପୁଣି ମିଳିଛି ଆଉ ୨୭ କୋଟିରୁ ଅଧିକ ଟଙ୍କା । ପ୍ଲାଷ୍ଟିକ ଥଳିରେ ଭର୍ତ୍ତି କରି ରଖାଯାଇଥିଲା କ୍ୟାସ୍ । ୧୮ ଘଣ୍ଟାର ମାରାଥନ ରେଡ୍ ବେଳେ ବିଡ଼ା ବିଡ଼ା ଦୁଇ ହଜାର ଓ ପାଞ୍ଚ ଶହ ଟଙ୍କିଆ ନୋଟ ଥିବା ୧୦ଟି ଟ୍ରଙ୍କ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ସହ ୭ କେଜି ସୁନା ଗହଣା ମଧ୍ୟ ଜବତ ହୋଇଛି । ଏସବିଆଇର ଟଙ୍କା ଗଣା ମେସିନରେ ୧୦ଘଣ୍ଟା ଧରି ଜବତ ଟଙ୍କା ଗଣିଥିଲେ ଇଡି ଅଧିକାରୀ ।ପଶ୍ଚିମବଙ୍ଗ ସ୍କୁଲ ଶିକ୍ଷକ ନିଯୁକ୍ତି କେଳେଙ୍କାରୀରେ ସମ୍ପୃକ୍ତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମେତ ତାଙ୍କ ସହଯୋଗର ଅର୍ପିତାଙ୍କୁ ଇଡି ଗିରଫ କରିଥିଲା । ଗିରଫର ଦିନକ ପରେ ରେଡ୍ ‌ବେଳେ ଅର୍ପିତାଙ୍କ ଫ୍ଲାଟରୁ ୨୧ କୋଟି କ୍ୟାସ୍ ସହ ପ୍ରାୟ ୫୬ ଲକ୍ଷ ବିଦେଶୀ ଟଙ୍କା ଜବତ କରାଯାଇଥିଲା । ଏହାସହ ପ୍ରାୟ ୨ କୋଟି ମୂଲ୍ୟର ସୁନା ଗହଣା ମଧ୍ୟ ଇଡି ହାତରେ ଲାଗିଥିଲା । ଗତକାଲି ଅର୍ପିତାଙ୍କ ଘରେ ଚଢ଼ାଉ ବେଳେ ବେଲଘରିଆ ତାଙ୍କର ଆଉ ଏକ ଫ୍ଲାଟ ଥିବା ଜଣାପଡ଼ିଥିଲା । ସେଠାରେ ମଧ୍ୟ ଚଢ଼ାଉ ବେଳେ କୋଟି କୋଟି ଟଙ୍କା ଓ ସୁନା ଜବତ ହୋଇଛି । ଗଣତି ଶେଷ ପରେ ଜବତ ଟଙ୍କାକୁ ୧୦ଟି ବାକ୍ସରେ ଇଡି ଅଫିସକୁ ନିଆଯାଇଛି । SSC ସ୍କାମ ମାମଲାରେ ଏବେ ସୁଦ୍ଧା ଇଡି ପ୍ରାୟ ୫୦ କୋଟି ଟଙ୍କା ଜବତ କରିଛି । ତେବେ ଜବତ ସମସ୍ତ ସମ୍ପତ୍ତି ପାର୍ଥଙ୍କର ବୋଲି ଜେରା ବେଳେ ସ୍ବୀକାର କରିଛନ୍ତି ଅର୍ପିତା । ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତଥା ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ମଧ୍ୟ ଇଡି ପଚରାଉଚରା କରିଛି । ସେପଟେ ଶିକ୍ଷକ ନିଯୁକ୍ତି ମାମଲାରେ ପ୍ରାୟ ଏକ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି । ଦୁର୍ନୀତି ଘୋଟାଲାକୁ ବିରୋଧ କରି ଗୁରୁବାର ବିଜେପି ପକ୍ଷରୁ ଅପରାହ୍ନରେ ରାଲି କରାଯିବ । ପ୍ରାର୍ଥ ଚାଟାର୍ଜୀଙ୍କୁ ଟିଏମସିର ସମସ୍ତ ପଦ ପଦବୀରୁ ବହିଷ୍କାର କରିବାକୁ ଦାବି କରିଛନ୍ତି ଦଳର ମୁଖପାତ୍ର କୁନାଲ ଘୋଷ ।

Related Articles

Back to top button
WP Twitter Auto Publish Powered By : XYZScripts.com