ବାଣିଜ୍ୟ

ପୁଣି ଶ୍ରୀଲଙ୍କା ଲାଗି ତ୍ରାଣକର୍ତ୍ତା ପାଲଟିଲା ଭାରତ, ଆର୍ଥିକ ସଂକଟର ମୁକାବିଲା ଲାଗି କରିବ ବଡ଼ ସହଯୋଗ

ନୂଆଦିଲ୍ଲୀ :  ଶ୍ରୀଲଙ୍କାରେ ଉପୁଜିଥିବା ଆର୍ଥିକ ସଂକଟ ମୁକାବିଲାରେ ଭାରତ ପୁଣି ଥରେ ସହଯୋଗର ହାତ ବଢାଇଛି। ସଂକଟଗ୍ରସ୍ତ ଦେଶର ଲୋକଙ୍କ ଭୋଜନ ଓ ଇନ୍ଧନ ବ୍ୟବସ୍ଥା କରୁଛନ୍ତି ଭାରତ ସରକାର। ମାନବୀୟ ଆଧାରରେ ଭାରତ ଏହି ସହାୟତା ନିମନ୍ତେ ଆଗେଇ ଆସିଥିବା ବେଳେ ଏଥିରେ ଆର୍ଥିକ ସହାୟତା ମଧ୍ୟ କରିବ ବୋଲି ଜଣାପଡିଛି। ଶ୍ରୀଲଙ୍କାକୁ ୧ ବିଲିୟନ ଡଲାର ଆମେରିକୀୟ ମୁଦ୍ରା ଋଣ ଆକାରରେ ଭାତର ପ୍ରଦାନ କରିବ।
ଆର୍ଥିକ ସଂକଟ ଲାଗି ଶ୍ରୀଲଙ୍କାରେ ଏବେ ଏମାର୍ଜେନ୍ସୀ ଜାରି ହୋଇଛି। ବୈଦେଶିକ ମୁଦ୍ରାର ଅଭାବ ଦେଶକୁ ଗୁରୁତର ସଂକଟକୁ ମୁହାଁଇ ଦେଇଛି। ଫଳରେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ହେଉଥିବା ବେଳେ ବଜାରରେ ଅତ୍ୟାବଶକୀୟ ସାମଗ୍ରୀ ଦର ଆକାଶ ଛୁଆଁ ହୋଇଛି। ଡଲାର ତୁଳନାରେ ଶ୍ରୀଲଙ୍କା ମୁଦ୍ରା ମୂଲ୍ୟ ହରାଇଛି। ଦେଶ ଉପରେ ବିଦେଶୀ ଋଣ ବଢିଚାଲିଥିବା ବେଳେ ପର୍ଯ୍ୟଟନ ହ୍ରାସ ଶ୍ରୀଲଙ୍କା ସରକାରଙ୍କ ଆୟ ହ୍ରାସ କରିଛି। ଏଥିରେ ଭାରତରୁ ମିଳିବାକୁ ଥିବା ଆର୍ଥିକ ସହାୟତା ଖାଦ୍ୟଶସ୍ୟ ଓ ଇନ୍ଧନ ଦର ନିୟନ୍ତ୍ରଣରେ ସହାୟକ ହେବ ବୋଲି ଆଶା କରାଯାଉଛି।
ଦେଶରେ ଆର୍ଥିକ ସଂକଟ ଯୋଗୁ ଉପୁଜିଥିବା ପରିସ୍ଥିତିରେ ଲୋକେ ସଡ଼କକୁ ଓହ୍ଲାଇ ଆସିବା ଯୋଗୁ ସରକାର ଦେଶରେ ଏମାର୍ଜେନ୍ସୀ ଜାରି କରିଛନ୍ତି। ଏଥିରେ ଅସନ୍ତୁଷ୍ଟ ସରକାରର ମନ୍ତ୍ରୀମାନେ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀମଣ୍ଡଳର ଅନୁପସ୍ଥିତିରେ ରାଷ୍ଟ୍ରପତି ଗୋଟବୟା ରାଜପକ୍ଷେ ୪ ମନ୍ତ୍ରୀଙ୍କ ନାମ ଘୋଷଣା କରିଛନ୍ତି, ଯେଉଁମାନେ ପୂର୍ଣ୍ଣ ମନ୍ତ୍ରୀମଣ୍ଡଳ ଗଠନ ପର୍ଯ୍ୟନ୍ତ ସଂସଦ ଓ ଦେଶରେ ବୈଧତା ଓ ସ୍ଥିରତା କାୟମ କରିବା ଦିଗରେ କାର୍ଯ୍ୟ କରିବେ ବୋଲି କହିଚନ୍ତି।
ଶ୍ରୀଲଙ୍କା ରାଷ୍ଟ୍ରପତି ଗତମାସରେ ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ କାଳରେ ଭାରତ ପକ୍ଷରୁ ଯୋଗାଇ ଦିଆଯାଇଥିବା ସହଯୋଗ ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଭାରତ ସରକାର ଗତ ଫେବୃଆରୀରେ ଶ୍ରୀଲଙ୍କାକୁ ତୈଳ କ୍ରୟ ନିମନ୍ତେ ୫୦୦ ମିଲିୟନ ଡଲାରର ସ୍ୱଳ୍ପ କାଳୀନ ଋଣ ପ୍ରଦାନ କରିଥିଲେ। ଏହା ଛଡା ଇନ୍ଧନ ସଂକଟ ମୁକାବିଲା ଲାଗି ଭାରତ ପକ୍ଷରୁ ଏକ ତୈଳ ବୋଝେଇ ଟ୍ୟାଙ୍କର ମଧ୍ୟ ଶ୍ରୀଲଙ୍କାକୁ ପ୍ରଦାନ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com