ଓଡ଼ିଶା

ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମିରେ ବିରାଟକାୟ ଡ଼ଲଫିନ ମୃତ 

ବ୍ରହ୍ମପୁର, ୩୦/୦୭/୨୦୨୨- ଗଞ୍ଜାମ ଜ଼ିଲ୍ଲା ଚିକିଟି ନିକଟସ୍ଥ ସୁନାପୁର ବେଳାଭୂମିରେ ଦେଖିବାକୁ ମିଳିଛି ମୃତ ଡ଼ଲଫିନ ମାଛ l ଶୁକ୍ରବାର ସନ୍ଧ୍ୟା ପାଞ୍ଚଟା ବେଳେ ସୁନାପୁର ଉପକୂଳରେ କିଛି ଯୁବକ ଦୌଡୁଥିବା ବେଳେ ମୃତ ଅବସ୍ଥାରେ ଏକ ବିରାଟକାୟ ଡ଼ଲଫିନ ସମୁଦ୍ର ପଠାରେ ଓଲଟି ପଡ଼ିଥିବା ଦେଖିବାକୁ ପାଇଥିଲେ l ଜଙ୍ଗଲ ବିଭାଗକୁ ଏ ସମ୍ପର୍କରେ ଖବର ଦିଆଯାଇଥିଲା l ଆଜି ଡି.ଏଫ.ଓ ଙ୍କ ନିର୍ଦ୍ଦେଶକ୍ରମେ ଭି.ଏ.ସ ଙ୍କ ଉପସ୍ଥିତିରେ ଉକ୍ତ ମୃତ ଡଲଫିନର ଶବ ବ୍ୟବଚ୍ଛେଦ କରାଯାଇଛି l ଏହା କେଉଁ ପ୍ରଜାତିର ଡଲଫିନ ଜାଣିବା ପାଇଁ ମୃତଦେହର କିଛି ଅଂଶ କୁ ପରୀକ୍ଷା ନିମନ୍ତେ ପରୀକ୍ଷାଗାରକୁ ପଠାଯାଇଛି ବୋଲି ଜଙ୍ଗଲ ବିଭାଗ ସୂଚନା ଦେଇଛି l ଜଙ୍ଗଲ ବିଭାଗ କହିବା ପ୍ରକାରେ ମୃତ ଡଲଫିନର ଓଜନ ପ୍ରାୟ ଦୁଇ ଶହ କେଜିରୁ ଉର୍ଦ୍ଧ ହୋଇଥିବା ବେଳେ ଲମ୍ବା ପାଞ୍ଚ ଫୁଟ ଆଠ ଇଞ୍ଚ ଏବଂ ଗୋଲେଇ ଚାରି ଫୁଟ ପାଞ୍ଚ ଇଞ୍ଚ ବୋଲି ଜଣାପଡିଛି l ଏହି ଡ଼ଲଫିନ ବିଲୁପ୍ତ ପ୍ରାୟ ତାଲିକାରେ ସ୍ଥାନ ପାଇଥିବା ଅତି ବିରଳ ପ୍ରଜାତିର “ବଟଲ ନୋଜ” ନାମକ ପ୍ରଜାତିର ବୋଲି ଅନୁମାନ କରାଯାଇଛି l ପରୀକ୍ଷା ପରେ ସବୁକିଛି ଜଣାପଡିବ ବୋଲି ଜଙ୍ଗଲ ବିଭାଗ କହିଛି l ଜଙ୍ଗଲ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ ସୁନାପୁର, ଗୋପାଳପୁର ଆଦି ଇଲାକାରେ ଡ଼ଲଫିନ, ସାର୍କ ଭଳି ଅନେକ ବିରଳ ମାଛ ଦେଖାଯାଆନ୍ତି l ସେମାନଙ୍କ ସୁରକ୍ଷା ଏବଂ ତଥ୍ୟ ସଂଗ୍ରହ ପାଇଁ ବନ ବିଭାଗ ନିକଟରେ ସେଭଳି କିଛି ଠୋସ ବ୍ୟବସ୍ଥା ନାହିଁ ବୋଲି ବନ ବିଭାଗ କହିଛି l ଅନ୍ୟପଟେ ସମୁଦ୍ରରେ ଆନ୍ଧ୍ର ପ୍ରଦେଶ ଏବଂ ଓଡିଶାରୁ ଟ୍ରଲର ଯୋଗେ ଗଭୀର ସମୁଦ୍ରକୁ ମାଛ ମାରିବା ପାଇଁ ଯିବା ବେଳେ ଟ୍ରଲର ମାଡ଼ରେ ବିରଳ ସାମୁଦ୍ରିକ ଡ଼ଲଫିନ ଭଳି ଅନେକ ମାଛ ମୃତ୍ୟୁ ବରଣ କରିଥାନ୍ତି l କେତେକ ଖଣ୍ଡିଆ ଖବରା ହୋଇ ବଞ୍ଚି ଯାଆନ୍ତି l  2018 ମସିହା ଜୁଲାଇରେ ଏକ ବିରଳ ହ୍ୱେଲ ସାର୍କ ସୁନାପୁର ସମୁଦ୍ର ପଠାରେ ପଡିଥିଲା l ତାହାର ଓଜନ 400 କିଲୋଗ୍ରାମ ରହିଥିବା ବେଳେ ଲମ୍ବା 9 ରୁ 10 ଫୁଟ ରହିଥିଲା l ସ୍ଥାନୀୟ ଯୁବକମାନେ ସାର୍କଟିର ଆଖି ଓ ଗାଲିସିକୁ ଦେଖି ଜୀବିତ ଥିବା ଜାଣି ସାର୍କଟିକୁ ଠେଲି ଠେଲି ସମୁଦ୍ରରେ ଛାଡିଥିଲେ l ଗଞ୍ଜାମ ଜ଼ିଲ୍ଲା ସୁନାପୁର ଉପକୂଳକୁ ରାଜ୍ୟ ସରକାର ନିକଟରେ ବ୍ଲୁ ଫ୍ଲାଗ ମାନ୍ୟତା ଦେଇଥିବା ବେଳେ ଏହିପରି ମୃତ ଡ଼ଲଫିନ  ଠାବକୁ ପର୍ଯ୍ୟଟକ ଏବଂ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି l

Related Articles

Back to top button
WP Twitter Auto Publish Powered By : XYZScripts.com