ଅନ୍ୟାନ୍ୟ

ଆମେରିକା ଡ୍ରୋନ୍ ମାଡରେ ତାଲିବାନ୍ ଶୀର୍ଷ ନେତା ଅଲ୍ ଜୱାହିରି ନିହତ

ଆଫଗାନିସ୍ତାନ, ୦୨/୦୮/୨୦୨୨-  ବିନ୍ ଲାଡେନ୍ କୁ ବାଦ୍ ଦେଲେ ଦୀର୍ଘ ୧୧ ବର୍ଷ ପରେ ଅଲ୍ କାଏଦାର ଶୀର୍ଷ ସ୍ଥାନରେ ଥିବା ନେତାକୁ ମାରିବାରେ ଆମେରିକା ପୁଣି ସଫଳ ହୋଇଛି । ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି  ଆଫଗାନିସ୍ତାନରେ ଡ୍ରୋନ୍ ଆକ୍ରମଣକରି ଅଲ୍-ଜୱାହିରିକୁ ନିହତ କରିଥିବା ଦାବି କରିଛି । ନିହତ ହୋଇଥିବା  ଅୟମାନ ଅଲ୍-ଜୱାହିରି ଅଲ-କାଏଦାର ମୁଖିଆ ଭାବେ କାର୍ଯ୍ୟ କରୁଥିଲା ।  ୨୦୧୧ରେ ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ଅଲ-କାଏଦାକୁ ଏବେ ସବୁଠାରୁ ବଡ଼ ଝଟକା ଲାଗିଛି । ୭୧ ବର୍ଷୀୟ ଜୱାହିରି ଏକ ସମୟରେ ଲାଡେନର ଘରୋଇ ଡାକ୍ତର ଭାବେ କାମ କରୁଥିଲା । ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାରେ ହୋଇଥିବା ବିମାନ ଆକ୍ରମଣରେ ଅଲ୍-ଜୱାହିରି ଥିଲା ମାଷ୍ଟର ମାଇଣ୍ଡ । ଏହି ଆତଙ୍କୀ ଆକ୍ରମଣରେ ପାଖାପାଖି ୩ ହଜାର ଲୋକ ପ୍ରାଣ ହରାଇଥିଲେ । ଆମେରିକୀୟ ଅଧିକାରୀଙ୍କ କହିବା ଅନୁସାରେ, ଜୱାହିରି କାବୁଲର ଏକ ସୁରକ୍ଷିତ ଘରେ ଶରଣ ନେଇଥିଲା ।  ଆମେରିକା କୌଣସି ସୂତ୍ରରୁ ଖବର ପାଇ ଜୁଲାଇ ୩୧ ତାରିଖ ରାତି ପାଖାପାଖି ୧୦ଟା ବେଳେ ଆକାଶମାର୍ଗରୁ ଡ୍ରୋନ୍ ଦ୍ୱାରା ମିସାଇଲ୍ ଆକ୍ରମଣ କରିଥିଲା । ଜୱାହିରି ବିରୋଧରେ ୬ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ଅପରେସନ୍ ।  ୨ ମାସ ତଳେ ଜୱାହିରିକୁ ଖୋଜିବା ଅଭିଯାନ ଜୋରଦାର ହୋଇଥିଲା । ଜୁଲାଇ ୧ ତାରିଖରେ ବାଇଡେନଙ୍କୁ ଅପରେସନର ପୂରା ପ୍ଲାନ୍ ଦିଆଯାଇଥିଲା ଏବଂ  ଜୁଲାଇ ୩୦ରେ ଜୱାହିରିକୁ ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିଲେ ବାଇଡେନ୍ । ମୃତ୍ୟୁ ପୂର୍ବରୁ ତାଲିବାନୀ ନେତା ସିରାଜୁଦ୍ଦିନ୍ ହକ୍କାନୀଙ୍କ ଘରେ ରହୁଥିଲା ଜୱାହିରି । ତାଲିବାନର ହକ୍କାନୀ ନେଟୱର୍କରୁ ଜୱାହିରିର ଲୋକେସନ୍ ଜଣାପଡିଥିଲା । ଜୱାହିରି ରହୁଥିବା ଘର ଛାତ ଉପରେ ସଶସ୍ତ୍ର ତାଲିବାନୀ ଜଗି ରହୁଥିଲେ । ଆମେରିକାର ଅପରେସନ୍ ସମୟରେ ବାଲକୋନୀରେ ଛିଡା ହୋଇଥିବା ଜୱାହିରି ଉପରେ ଡ୍ରୋନ୍ ସାହାଯ୍ୟରେ ୨ଟି ଓ୍ୟାରହେଡ୍ ହେଲଫାୟାର ମିସାଇଲ୍ ମାଡ କରାଯାଇଥିଲା । ସେପଟେ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛି ତାଲିବାନ । ଅଲ୍ ଜୱାହିରିକୁ ସଫଳତାର ସହ ନିପାତ କରାଯିବା ପରେ ଆମେରିକା ବ୍ୟବହାର କରିଥିବା ଓ୍ୟାରହେଡ୍ ମିଶାଇଲକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ମିସାଇଲର ବିଶେଷତ୍ୱ ହେଲା ଏହା ବିସ୍ଫୋରଣ କରିନଥାଏ କିମ୍ବା ଟାର୍ଗେଟକୁ ଛାଡିଦେଲେ ଆଖପାଖ ଲୋକଙ୍କୁ ଏହା କ୍ଷତି ପହଞ୍ଚାଇ ନଥାଏ । ଏହା ଭିତରୁ ଛୁରୀ ଭଳି ଧାରୁଆ ଅସ୍ତ୍ର ବାହାରିଥାଏ ଯାହା ଲକ୍ଷ୍ୟକୁ ସଠିକ ଭାବେ ଭେଦିଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com