ଅନ୍ୟାନ୍ୟ

ପରଦା ପଛରେ ‘ରକ୍ତ ଲଢ଼େଇ’: ରୁଷର କୋଟିପତି ରୋମାନ୍ ଆବ୍ରାମୋଭିଚଙ୍କ ଉପରେ କେମିକାଲ ଆଟାକ୍! ଶାନ୍ତି ବୁଝାମଣା ପାଇଁ ଆସିଥିଲେ ଯୁକ୍ରେନ୍

କିଭ : ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାକୁ ନାଁ ନେଉନାହିଁ । ଏହାରି ମଧ୍ୟରେ ଖବର ମିଳିଛି କି, ୟୁକ୍ରେନରେ କେମିକାଲ ଆଟାକ୍ ଆରମ୍ଭ ହୋଇଛି । ଶାନ୍ତି ବୁଝାମଣା ପାଇଁ କିଭ ପହଞ୍ଚିଥିବା ରୁଷର କୋଟିପତିଙ୍କ ଉପରେ ହୋଇଛି କେମିକାଲ ଆଟାକ୍ । ମିଳିଥିବା ସୂଚନା ମୁତାବକ, ପ୍ରସିଦ୍ଧ ୟୁରୋପୀୟ କ୍ଲବ ଚେଲ୍ସୀ ଏଫସୀର ମାଲିକ ରୋମାନ ଆବ୍ରାମୋଭିଚ ମାର୍ଚ୍ଚର ଆରମ୍ଭରେ ଶାନ୍ତିପୂର୍ଣ୍ଣ ବୁଝାମଣା ପାଇଁ ୟୁକ୍ରେନ ଆସିଥିଲେ, କିନ୍ତୁ ସେତେବେଳେ ତାଙ୍କ ଉପରେ କେମିକାଲ ଆଟାକ୍ ହୋଇଥିଲା ।
ରିପୋର୍ଟ ଅନୁସାରେ, ରୁଷ କୋଟିପତି ରୋମାନ ଆବ୍ରାମୋଭିଚ ଓ ଯୁକ୍ରେନୀ ବାର୍ତ୍ତାକାରଙ୍କ ଉପରେ କେମିକାଲ ଆଟାକ୍ କରାଯାଇଥିଲା, ଯାହାକି ବିଷାକ୍ତ ଥିଲା । ଆବ୍ରାମୋଭିଚ ସମେତ ୩ ଜଣଙ୍କଠାରେ ଅଜବ ଲକ୍ଷଣ ଦେଖିବାକୁ ମିଳିଛି । ଏଥିରେ ଶରୀରରେ ଯନ୍ତ୍ରଣା, ଆଖି ନାଲି ଦେଖାଯିବା, ହାତର ଚର୍ମ ଚୋପ ଭଳି ଛାଡ଼ିବା ଆଦି ଲକ୍ଷଣ ସାମିଲ ରହିଛି । ରୋମାନ୍ ଆବ୍ରାମୋଭିଚ୍ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠାକାରୀ ଭାବରେ କାର୍ଯ୍ୟ କରୁଥିଲେ । ଆବ୍ରାମୋଭିଚଙ୍କ ବ୍ୟତୀତ ରୁଷର ଅନ୍ୟ ବ୍ୟବସାୟୀ ଓ ୟୁକ୍ରେନ ସାଂସଦ ଉମେରୋଭ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।
ତେବେ ମାର୍ଚ୍ଚ ୩ ତାରିଖ ରାତି ୧୦ ଟା ପର୍ଯ୍ୟନ୍ତ ଚାଲିଥିବା ଆଲୋଚନା ପରେ ଏହି ତିନି ଜଣ କେମିକାଲ ଅସ୍ତ୍ର ମାଧ୍ୟମରେ ବିଷ ଦିଆଯିବାର ଲକ୍ଷଣ ଅନୁଭବ କରିଥିଲେ । କେତେକ ଉଗ୍ରବାଦୀ ଏହି ଯୁଦ୍ଧ ଶେଷ ହେବାକୁ ଚାହୁଁନାହାନ୍ତି, ଯାହାଫଳରେ ଶାନ୍ତି ବାର୍ତ୍ତାକୁ ସମ୍ପୂର୍ଣ୍ଣ ରୂପେ ବିଫଳ କରିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ରୁଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତିକୁ ନେଇ ଆଜି ତୁର୍କୀରେ ଆଲୋଚନା ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com