ଓଡ଼ିଶା

କୋରାପୁଟ ଏବଂ କଳାହାଣ୍ଡି ବିମାନ ବନ୍ଦର କାମ ସାରିବାକୁ ମାନସଙ୍କ ଦାବି

ନୂଆଦିଲ୍ଲୀ, ୦୩/୦୮/୨୦୨୨-  ବିମାନ ଉଡାଣ କ୍ଷେତ୍ରରେ କୋରାପୁଟର ଜୟପୁର ସାମିଲ୍ ହୋଇଛି । ଭୁବନେଶ୍ୱରରୁ ପରୀକ୍ଷା ମୂଳକ ଭାବେ ୮ ଜଣ ଯାତ୍ରୀଙ୍କୁ ନେଇ ସକାଳ ୧୦:୧୫ରେ ଜୟପୁର ଅଭିମୁଖେ ପ୍ରଥମ ଉଡାଣ ଭରିଛି ଇଣ୍ଡିଆ ଏୟାର ୱାନ ବିମାନ । ୪୦ ମିନିଟ ପରେ ଏହା ଜୟପୁରରେ ପହଞ୍ଚି ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱର ଅଭିମୁଖେ ଫେରିଛି । ଭୁବନେଶ୍ୱର ଏବଂ ଝାରସୁଗୁଡା ପରେ ଜୟପୁର ତୃତୀୟ ଏୟାରଷ୍ଟ୍ରିପ ଭାବେ ରାଜ୍ୟରେ ବେସାମରିକ ବିମାନ ଚଳାଚଳ ବିମାନବନ୍ଦର ଟ୍ୟାଗ୍ ପାଇଛି । ଭୁବନେଶ୍ୱର ଆନ୍ତର୍ଜାତିକ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସୁରକ୍ଷା ପାଇଁ ୩୫ ଫୋର୍ସ ସହିତ ତିନିଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ବିମାନବନ୍ଦରରେ କଡା ସୁରକ୍ଷା ସହ ଅନ୍ୟମାନଙ୍କୁ ପ୍ରବେଶ କରିବାକୁ ଦିଆଯାଉନାହିଁ । ଜୟପୁରକୁ ପ୍ରଥମ ଉଡାଣ ହୋଇଥିଲେ ବି ଏହାକୁ ଏକ ପୂର୍ଣ୍ଣ ବିମାନ ବନ୍ଦରରେ ପରିଣତ କରିବା ଏବଂ କଳାହାଣ୍ଡିର ଉତକେଲା ଏୟାରପୋର୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ରାଜ୍ୟସଭାରେ ଦାବି ଉଠାଇଛନ୍ତି । ୨୦୧୭ରେ ମାଓ ଅଧ୍ୟୁଷିତ କୋରାପୁଟ ଓ କଳାହାଣ୍ଡିରେ ୨ଟି ଏୟାରପୋର୍ଟ ପାଇଁ ଯୋଜନା ହୋଇଥିଲା । ସେହି ଅନୁସାରେ ଜୟପୁର ଓ ଉତକେଲା ଏୟାରପୋର୍ଟକୁ ଉଡାଣ ଯୋଜନାରେ ସାମିଲ କରାଯାଇଥିଲା । ବହୁ ଦାବି ପରେ ୨୦୨୦ରେ ଏହି ୨ଟି ଏୟାରପୋର୍ଟ ସହ ଝାରସୁଗୁଡ଼ା ବିମାନବନ୍ଦର କାମ ଆରମ୍ଭ ହୋଇଥିଲା । ଝାରସୁଗୁଡ଼ା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇସାରିଥିବାବେଳେ ଜୟପୁର ଓ ଉତକେଲା ଏୟାରପୋର୍ଟର ଆଖିଦୃଶିଆ ବିକାଶ ହୋଇପାରୁନାହିଁ । ଆନ୍ତରାଜ୍ୟ ପୁଞ୍ଜି ଲଗାଣ ତଥା ବିଚାରକୁ ନେଲେ କଳାହାଣ୍ଡି ଓ କୋରାପୁଟ ରାଜ୍ୟର ଅନ୍ୟତମ ବ୍ୟବସାୟୀକ ପେଣ୍ଠସ୍ଥଳୀ । କିନ୍ତୁ ଦୁଇଟି ଯାକ ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇପାରୁ ନ ଥିବାରୁ ଲୋକଙ୍କ ଦୀର୍ଘ ବର୍ଷର ଆଶା ପୂରଣ ହୋଇପାରୁନି । ଏଥିସହ ଏହି ଦୁଇ ଜିଲ୍ଲା ମାଓ ପ୍ରଭାବିତ ହୋଇଥିବାରୁ ଦୁଇ ଏୟାରପୋର୍ଟର ବିକାଶ ସହ  ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସେ ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com