ଆନ୍ଧ୍ରରେ ବିଶାକ୍ତ ଗ୍ୟାସ୍ ଲିକ୍ : ଶତାଧିକ ଅସୁସ୍ଥ
![](https://i0.wp.com/odia.mobilenews24x7.com/wp-content/uploads/2022/08/gas-leak.webp?resize=770%2C433&ssl=1)
ଆନ୍ଧ୍ର ପ୍ରଦେଶ, ୦୩/୦୮/୨୦୨୨- ବିଶାଖାପାଟଣା ନିକଟ ଆନାକାପଲ୍ଲୀ ଜିଲ୍ଲାରେ ଏକ ଶିଳ୍ପାଞ୍ଚଳରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବାରୁ ଶତାଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି । ଏହି ଜିଲ୍ଲା ଅନ୍ତର୍ଗତ ଅଚ୍ୟୁତାପୁରମ୍ ଠାରେ ଥିବା ବ୍ରାଣ୍ଡିକ୍ସ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଶିଳ୍ପାଞ୍ଚଳରେ ଥିବା ଏକ ପୋଷାକ ଉତ୍ପାଦନ କମ୍ପାନୀରେ ମଙ୍ଗଳବାର ଏହି ଅଭାବନୀୟ ଘଟଣା ଘଟିଛି । ଗ୍ୟାସ୍ ଲିକ୍ ଯୋଗୁ ଏଠାରେ କାମ କରୁଥିବା କର୍ମଚାରୀଙ୍କ ଆଖି ପୋଡ଼ିବା ସ ହିତ ବାନ୍ତି ହୋଇଥିଲା । ଏହାପରେ ଶତାଧିକ କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କ ମଧ୍ୟରେ ଗୁରୁତର ଥିବା ୫୦ ଜଣ ମହିଳା କର୍ମଚାରୀଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ପୋଲିସ୍ ସୂଚନା ଅନୁସାରେ, ଏହି ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଶିଳ୍ପାଞ୍ଚଳରେ ଏକ ପୋଷାକ କାରଖାନା, ପୋରସ୍ ଲାବ୍ରୋଟୋରୀ, ପିଭି ଲିମିଟେଡ୍ ସମେତ ୩ଟି କମ୍ପାନୀ ରହିଛି। ତେବେ ଲାବ୍ରୋଟୋରୀରୁ ଏହି ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିବା ସନ୍ଦେହ କରାଯାଉଛି । ଗ୍ୟାସଲିକ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗତ ୨ ମାସ ମଧ୍ୟରେ ଏହା ଦ୍ୱିତୀୟ ଗ୍ୟାସ୍ ଲିକ୍ ଘଟଣା । ପୂର୍ବରୁ ଜୁନ୍ ୩ ତାରିଖରେ ଏଠାରେ ଗ୍ୟାସ୍ ଲିକ୍ ହୋଇ ୨୦୦ରୁ ଅଧିକ ମହିଳା କର୍ମଚାରୀ ଅସୁସ୍ଥ ହୋଇଥିଲେ। ଏଠାରେ ଥିବା ପୋରସ୍ ଲାବ୍ରୋଟୋରୀରୁ ଆମୋନିଆ ଲିକ୍ ଯୋଗୁ ଏଭଳି ଘଟିଥିବା ସନ୍ଦେହ କରାଯାଇଥିଲା । ଏହା ପରେ ସରକାର ଏକ କମିଟି ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଏହା ସହ ଘରୋଇ କେମିକାଲ କମ୍ପାନୀକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା ।