ଅନ୍ୟାନ୍ୟ

ଦିନ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୨୦.୩୮ % ମତଦାନ

ଝାରସୁଗୁଡ଼ା, ୧୦/୦୫/୨୦୨୩ –   ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବୁଧବାର ସକାଳୁ ଆରମ୍ଭ ହୋଇଛି ମତଦାନ । ସକାଳ ୧୧ ଟା ସୁଦ୍ଧା ୨୦.୩୮ % ମତଦାନ ସରିଥିବା CEO ସୂଚନା ଦେଇଛନ୍ତି । ୨୫୩ଟି ବୁଥରୁ ୧୪୪ଟି ବୁଥ୍ ଉତ୍ତେଜନାପ୍ରବଣ ଓ ସମ୍ବେଦନଶୀଳ ରହିଥିବାବେଳେ ପ୍ରଥମ ଥର ପାଇଁ ସବୁ ବୁଥରେ ଓ୍ବେବକାଷ୍ଟିଂ କରାଯାଉଛି। ବୁଥଗୁଡ଼ିକରେ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨୬ଟି ପିଙ୍କ୍ ଓ ମ୍ୟୁନିସିପାଲିଟି ଅଞ୍ଚଳକୁ ଛାଡି ବିଭିନ୍ନ ପଞ୍ଚାୟତରେ ୪୦ଟି ମଡେଲ ବୁଥ୍ କରାଯାଇଛି ।

ଏହି ଉପନିର୍ବାଚନରେ ୨ଲକ୍ଷ ୨୧ ହଜାର ୭୦ ଜଣ ଭୋଟର ମତଦାନ ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୧୦ ହଜାର ୩୨୦ ପୁରୁଷ ଭୋଟର ରହିଥିବାବେଳେ ୧ ଲକ୍ଷ ୧୦ ହଜାର ୬୮୭ ମହିଳା ଭୋଟର ଏବଂ ୬୩ ଜଣ ଟ୍ରାନସଜେଣ୍ଡର ଭୋଟର ଅଛନ୍ତି । ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ ଅଧିକାରୀ ଓ ମହିଳା ପୋଲିସ ଅଧିକାରୀ ରହିଛନ୍ତି। ମଡେଲ ବୁଥଗୁଡିକରେ ମିଳିବ ଦହି, ଲସି, ଓଆରଏସ ପାଣି ଓ ଲେମ୍ବୁପାଣି । ଭୋଟରଙ୍କ ପାଇଁ ନିର୍ମାଣ ହୋଇଛି ପ୍ରତୀକ୍ଷାଳୟ । ଭିନ୍ନକ୍ଷମ ଭୋଟରଙ୍କ ପାଇଁ ହୁଇଲ ଚେୟାର ଏବଂ ରାମ୍ପ୍ ବ୍ୟବସ୍ଥା କରାଯାଇଛି। ଯୁବ ଭୋଟରଙ୍କୁ ଉତ୍ସାହିତ କରିବାକୁ କରାଯାଇଛି ସେଲଫି ପଏଣ୍ଟ । ଭୋଟରଙ୍କୁ ସହାୟତା କରିବା ପାଇଁ ସ୍ବେଚ୍ଛାସେବୀ ରହିଛନ୍ତି ।

ତେବେ ଉପନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୬ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧ- ସାମରିକ ବାହିନୀ ସହ ଓଡ଼ିଶା ପୋଲିସର ୧୯ ପ୍ଳାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୨୫ଟି ମୋବାଇଲ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି । ନିୟୋଜିତ ବିଭିନ୍ନ ଗାଡ଼ିରେ GPS ଲଗାଯାଇଛି । ଜିଲ୍ଲାର ସବୁ ସୀମାକୁ ସିଲ୍ କରି ୧୭ଟି ସ୍ଥାନରେ ଯାଞ୍ଚ କରାଯାଉଛି । ଏହି ଉପନିର୍ବାଚନରେ ମୋଟ ୯ ଜଣ ପ୍ରାର୍ଥୀ ରହିଛନ୍ତି । ତିନି ପ୍ରମୁଖ ଦଳର ପ୍ରାର୍ଥୀ ହେଲେ ବି.ଜେ.ଡିର ଦୀପାଳି ଦାସ, ବି.ଜେ.ପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେ ।  ଶାନ୍ତି ଶୃଙ୍ଖଳା ସହ ମତାଦାନ ଜାରି ରହିଛି । ଟଙ୍କଧର ୧୯ ନମ୍ବର ୱାର୍ଡର ୭୦ ନମ୍ବର ବୁଥରେ ଭୋଟ୍ ଦେଇଛନ୍ତି ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com