କିଟ୍ ବିଶ୍ୱବିଦ୍ୟାଳୟରୁ ମିଳିଲା ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମହତ୍ୟା । । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ପଟିଆ ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ଏହି ଘଟଣା ଘଟିଛି । ଏଠାରେ ପଢୁଥିବା ଜଣେ ଛାତ୍ରୀ ହଷ୍ଟେଲ ପରିସରରେ ଆତ୍ମହତ୍ୟା କରିଛନ୍ତି । ଲେଡ଼ିଜ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ତେବେ ମୃତ ଛାତ୍ରୀ ଜଣଙ୍କ ବି.ଟେକ ପଢୁଥିବାବେଳେ ତାଙ୍କ ଘର ନେପାଳରେ ବୋଲି ଜଣାପଡ଼ିଛି।
ଅନ୍ୟପଟେ ଛାତ୍ରୀଙ୍କ ଆତ୍ମହତ୍ୟା ଖବର ବିଜୁଳି ବେଗରେ ବ୍ୟାପି ଯିବା ପରେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ମାନେ କ୍ୟାମ୍ପସ ସାମ୍ନାରେ ରାସ୍ତା ଅବରୋଧ କରିଥିଲେ । କଲେଜ ପରିସରରେ ଛାତ୍ରଛାତ୍ରୀମାନେ ଭଙ୍ଗାରୁଜା ମଧ୍ୟ କରିଥିଲେ । ଫଳରେ କ୍ୟାଂପସରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରଖିଛି। ଛାତ୍ରୀଙ୍କ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ । ପ୍ରାଥମିକ ତଦନ୍ତ ପରେ ପୋଲିସ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି । ଯୁବତୀଙ୍କ ସହ ତାଙ୍କର ୩ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା । ସେପଟେ ଭଙ୍ଗାରୁଜା କରିଥିବା ଉତ୍ତ୍ୟକ୍ତ ନେପାଳ ଛାତ୍ରଛାତ୍ରୀ ମାନଙ୍କୁ କ୍ୟାମ୍ପସ ଛାଡିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।