ଓଡ଼ିଶାଶିକ୍ଷା

ପ୍ରବାଦ ସାମ୍ବାଦିକ ରବି ମହାନ୍ତିଙ୍କ ଦ୍ୱାଦଶ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମାରକୀ ବକ୍ତୃତା ଅନୁଷ୍ଠିତ

ସମାଜ ବିକାଶରେ ଗଣମାଧ୍ୟମ ଭୂମିକା ଗୁରୁତ୍ୱପୂର୍ଣ୍ଣ

 ଭୁବନେଶ୍ୱର, ୧୮/୦୮/୨୦୨୨-   ଖବର ପରିବେଷଣ ପାଇଁ ସମ୍ବାଦ ପୃଷ୍ଠା ପୂରଣ କେବଳ କଲମ ଚାଳନାର ଲକ୍ଷ୍ୟ ହେବା ଅନୁଚିତ । ଏକ ସକରାତ୍ମକ ଚିନ୍ତା ଜରିଆରେ ସେବା ଯୋଗାଇ ଦେବାକୁ ସ୍ୱର୍ଗତ ରବି ମହାନ୍ତି ଯେଭଳି ସାମ୍ବାଦିକତା କରୁଥିଲେ ଆଜିର ନୂଆ ପିଢି ତାଙ୍କର ପଦାଙ୍କ ଅନୁସରଣ କରିବା ଜରୁରୀ ହୋଇଛି । ସେପରି ହେଲେ ତାହା ତାଙ୍କ ପ୍ରତି ଯଥାର୍ଥ ସମ୍ମାନ ହେବ ବୋଲି ବରିଷ୍ଠ ସାମ୍ବାଦିକମାନେ ମତବ୍ୟକ୍ତ କରିଛନ୍ତି । ପ୍ରବାଦ ସାମ୍ବାଦିକ ତଥା ଦୈନିକ ନ୍ୟାୟବତୀର ସଂସ୍ଥାପକ ରବି ନାରାୟଣ ମହାନ୍ତିଙ୍କ ଦ୍ୱାଦଶ ଶ୍ରାଦ୍ଧ ଉତ୍ସବ ଭୁବନେଶ୍ୱରେ ପାଳିତ ହୋଇଯାଇଛି । ନ୍ୟାୟବତୀ ଖବର କାଗଜ ଏବଂ ଅମିତ ଜର୍ଣ୍ଣାଲିଜିମ କଲେଜର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶ୍ରାଦ୍ଧ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସମାଜ ବିକାଶରେ ଗଣମାଧ୍ୟମର ଭୂମିକା ଶୀର୍ଷକ ସ୍ମାରକୀ ବକ୍ତୃତାରେ ବରିଷ୍ଠ ସାମ୍ବାଦିକମାନେ ଅଂଶ ଗ୍ରହଣ କରି ରବି ବାବୁଙ୍କ ସାମ୍ବାଦିକତାର ବହୁ  ମୌଳିକ ଦିଗ ଉପରେ ଆଲୋକପାତ କରିଥିଲେ । ସୁଦୀପ ମହାନ୍ତିଙ୍କ ପୌରହିତରେ ଅନୁଷ୍ଠିତ ଏହି ଉତ୍ସବରେ ବକ୍ତାମାନେ ଯୋଗଦେଇ ରବି ବାବୁ କେବଳ ସାମ୍ବାଦିକତାରେ ନିଜକୁ ସୀମିତ ରଖିନଥିଲେ ବରଂ ରାଜ୍ୟର ସାମ୍ବାଦିକତା ବୃତ୍ତିରେ ଥିବା ଗଣମାଧ୍ୟମ କର୍ମଚାରୀଙ୍କ ଗଣନା , ସେମାନଙ୍କୁ ପେନସନ ପ୍ରଦାନ ଓ ମାଗଣା ସ୍ୱାସ୍ଥ୍ୟ ବୀମା ପ୍ରଦାନ ପାଇଁ ଲଢୁଥିଲେ । ସେଥରୁ ଏବେବି ଅନେକ ଦାବି ରହିଯାଇଥିବାରୁ ସେଗୁଡିକୁ ପୂରଣ ପାଇଁ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ । ଏହି ଉତ୍ସବରେ ଚଳଚିତ୍ର ସେନ୍ସର ବୋର୍ଡର ଅବସରପ୍ରାପ୍ତ ଉପ ନିର୍ଦ୍ଦେଶକ ଗୋପାଳ ମହାପାତ୍ର , ପିଆଇବିର ଅବସରପ୍ରାପ୍ତ ଉପ ନିର୍ଦ୍ଦେଶକ ସୁଧାଂଶୁ ଧଡା, ବରିଷ୍ଠ ସାମ୍ବାଦିକ, ନୃସିଂହ ନାରାୟଣ ଦାସ, ଗୋପୀନାଥ ପରିଡା, ଭାଗବତ ପ୍ରସାଦ ତ୍ରିପାଠୀ,  ମୁରଲୀ ମିଶ୍ର, ଅମିତ କଲେଜର  ଅଧ୍ୟକ୍ଷ ଅଧିପ ନାରାୟଣ ମହାନ୍ତି, ଗଣମାଧ୍ୟମ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅମିତର ନିର୍ଦ୍ଦେଶକ ତ୍ରିଦେବ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com