ବାଣିଜ୍ୟ

ଇନ୍‌ଭେଷ୍ଟରର୍ସ ଆଣ୍ଡ ଆମ୍ବାସାଡର ମିଟିଂରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯/୦୮/୨୦୨୨-  ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ନଭେମ୍ବର ୩୦ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ । ଏହି କନକ୍ଲେଭକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରଥମ ଦିନରେ ସେଠାରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ଆଣ୍ଡ ଆମ୍ବାସାଡର ମିଟିଂରେ ଯୋଗ ଦେଇ ମେକ୍ ଇନ ଓଡ଼ିଶା କନକ୍ଲେଭ ସମ୍ପର୍କିତ ଏକ ପ୍ରେଜେଣ୍ଟେସନ କାର୍ଯ୍ୟକ୍ରମରେ ଉପସ୍ଥାପନ କରିବେ ।

ଏହି ମିଟିଂରେ ଆମେରିକା, ୟୁଏଇ, ଜାପାନ, ସାଉଦି ଆରବ, ଓମାନ, ଜର୍ମାନୀ, ଦକ୍ଷିଣ କୋରିଆ, ଫ୍ରାନ୍ସ, ଇଟାଲୀ, ବେଲଜିୟମ, ସିଙ୍ଗାପୁର ଏବଂ ଅଷ୍ଟ୍ରେଲିଆ ଭଳି ୧୬ ଟି ଦେଶର ପ୍ରତିନିଧମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ଉପରୋକ୍ତ ଦେଶଗୁଡ଼ିକର ଶିଳ୍ପପତିଙ୍କୁ ଆଗାମୀ ମେକ୍ ଇନ ଓଡ଼ିଶା କନକ୍ଲେଭରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯିବ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇରେ ମଧ୍ୟ ଇନଭେଷ୍ଟର୍ସ ମିଟରେ ଯୋଗ ଦେଇଥିଲେ । ସେହି କାର୍ଯ୍ୟକ୍ରମରେ ରାଜ୍ୟରେ ୨୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ନେଇ ବାଟ ଫିଟିଥିଲା ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ମନ୍ତ୍ରୀ ପ୍ରଦାପ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଭୂପେନ୍ଦ୍ର ସିଂ ପୁନିଆ, ଅରୁଣ ଚାୱଲା, ଦୀପକ ବଗଲା ମଧ୍ୟ ଯୋଗ ଦେଉଥିବା ଜଣାପଡ଼ିଛି । ସେହିପରି ଏହି କାର୍ଯ୍ୟକ୍ରମ ପରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ କେତେକ ପ୍ରସଙ୍ଗରେ ନବୀନ କେନ୍ଦ୍ର ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ସେପ୍ଟେମ୍ବର ୫ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com