ଅନ୍ୟାନ୍ୟ

ଆନ୍ଧ୍ରରୁ ଗଞ୍ଜାମ ମାଙ୍କଡ ଚୋରା ଚାଲାଣ ରାକେଟ ଠାବ; ୨ ଗିରଫ

ବ୍ରହ୍ମପୁର, ୦୨/୦୯/୨୦୨୨-   ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ବନାଞ୍ଚଳ ଜରଡା ଗ୍ରାମରୁ ୧୫ ଟି ମାଙ୍କଡ ଉଦ୍ଧାର କରିଛି ବନ ବିଭାଗ । ଗୋଟିଏ ଡାଲା ଅଟୋରେ ଅଖାରେ କିଛି ବନ୍ଧା ହୋଇ ସନ୍ଦେହଜନକ ଅବସ୍ଥାରେ ୨ଜଣ ବ୍ୟକ୍ତି ନେଉଥିବା ସ୍ଥାନୀୟ ନୂଆସାହିର ଲୋକେ ଦେଖିଥିଲେ । ଏହାପରେ ସେମାନ ଅଖାକୁ ଖୋଲି ଉକ୍ତ ଅଖାରେ ଗୁଡାଏ ମାଙ୍କଡ ବନ୍ଧା ହୋଇଥିବାର ଦେଖି ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିକାରୀ ମନୋଜ ପାତ୍ର ଏବଂ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ମାଙ୍କଡ ମାନଙ୍କୁ ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କରିବା ସମେତ ଉକ୍ତ ଡାଲା ଅଟୋକୁ ଜବତ କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଗ୍ରାମର ପି. ନାଗରାଜୁ ଏବଂ ପଶ୍ଚିମ ଗୋଦାବରୀ ଜିଲ୍ଲା ଏଲୁରୁ ମଣ୍ଡଳ ଚଞ୍ଚଳ କଲୋନୀର ରମେଶ ସିଂ । ଗିରଫ ଅଭିଯୁକ୍ତମାନେ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିବା ମାଙ୍କଡ ମାନଙ୍କୁ କାବୁ କରି ଦୂର ସ୍ଥାନରେ ଆଣି ଛାଡିବା କାମ କରୁଥିବା ତଦନ୍ତ ସମୟରେ ବନ ବିଭାଗକୁ ଜଣାଇଛନ୍ତି ।

ତେବେ ପ୍ରକୃତରେ ସେମାନେ ମାଙ୍କଡକୁ ସେଥିପାଇଁ ନେଉଥିଲେ ନା ଅନ୍ୟ କିଛି କାରଣ ରହିଛି ତାହାର ତଦନ୍ତ ଜାରି ରଖିଛି ବନ ବିଭାଗ । ଉଦ୍ଧାର ମାଙ୍କଡ ମାନଙ୍କ ମଧ୍ୟରୁ ୧୦ ଟି ମାଙ୍କଡ  ଶ୍ୱାସରୁଦ୍ଧ ଅବସ୍ଥାରେ ରହିଥିବାରୁ ମୃତ୍ୟୁ ଘଟିଥିଲା । ଅନ୍ୟ ୫ ଟି ମାଙ୍କଡଙ୍କ ସ୍ୱାସ୍ଥ୍ୟ ଭଲ ଥିବାରୁ ସେମାନଙ୍କୁ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଥିଲା । ଅନ୍ୟପଟେ ମୃତ ମାଙ୍କଡମାନଙ୍କୁ ୧୯୭୨ ବନ୍ୟପ୍ରଣୀ ଆଇନ ଅନୁଯାୟୀ ବ୍ୟବଚ୍ଛେଦ ପରେ ମାଟି ତଳେ ପୋତି ଦିଆଯାଇଥିବା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com