ଓଡ଼ିଶାରାଜନୀତି

କୁକୁଡ଼ାଖଣ୍ଡି ବ୍ଲକରେ ନିୟମିତ ସମିତି ବୈଠକ ହେଉନଥିବାରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର, ୨୪/୦୯/୨୦୨୨-    ଚାରିମାସ ହେଲା କୁକୁଡ଼ାଖଣ୍ଡି ବ୍ଲକ ସମିତି ବୈଠକ ଅନୁଷ୍ଠିତ  ନ ହୋଇଥିବାରୁ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଦିଗପହଣ୍ଡି ବିଜେଡି ବିଧାୟକଙ୍କ ଆଶିର୍ବାଦରୁ ଦ୍ଵିତୀୟ ଥର ପାଇଁ ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଥିଲେ ମଧ୍ୟ ଭିନ୍ନ ଏକ ଗୋଷ୍ଟି ଏହାର ପ୍ରତିବାଦ କରି ପ୍ରଥମରୁ ହିଁ ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି । ଏହା ବ୍ୟତିତ ଗତ ସପ୍ତାହରେ ଏହି ବ୍ଲକ ବିଜେଡି ସାଂଘଠନିକ କମିଟିରେ ବ୍ଲକ ଅଞ୍ଚଳର ପୁରୁଖା ନେତାଙ୍କୁ ଅଣଦେଖା କରି ଅଧ୍ୟକ୍ଷଙ୍କ ବୋଲକରା ସମର୍ଥକଙ୍କୁ ନେଇ ବିଜେଡି ବ୍ଲକ କମିଟି ଗଠନ କରାଯିବା ପରେ ବିଧାୟକଙ୍କ ବିରୋଧରେ କୁହୁଳୁ ଥିବା ଅସନ୍ତୋଷ ଏବେ ପଦାରେ ପଡିଛି । ଫଳରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଡଃ ଗୋପବନ୍ଧୁ ଦାଶଙ୍କ ଇଙ୍ଗିତ କ୍ରମେ ଆଉ ଏକ ବ୍ଲକ ବିଜେଡି କମିଟି ଗଠନ କରାଯାଇଛି ।

ଇତି ମଧ୍ୟରେ ଦିଗପହଣ୍ଡି ବିଧାୟକଙ୍କ ବାଚସ୍ପତି ପଦ ଚାଲିଯିବା ପରେ ତାଙ୍କ ସମର୍ଥକ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ପ୍ରବଳ ବିରୋଧର ସମ୍ମୁଖୀନ ହେବା ଭୟରେ ନିୟମିତ ସମିତି ବୈଠକକୁ ଏଡାଇ ଯାଉଥିବା ଅପର ଗୋଷ୍ଟି ପକ୍ଷରୁ ଚର୍ଚ୍ଚା ହେଉଛି । କୁକୁଡ଼ାଖଣ୍ଡି ବ୍ଲକର ମହୁଡା ସମିତି ସଭ୍ୟ ଜତିନ୍ଦ୍ର ପାତ୍ର, ବାଘଲଟି ସମିତି ସଭ୍ୟ ସାରଥୀ ପ୍ରସାଦ ଗୌଡ଼, ଲୋଚାପଡା ସମିତି ସଭ୍ୟ ଚଣ୍ଡି ଚରଣ ସାହୁ, ଲାଞ୍ଜିଆ ସମିତି ସଭ୍ୟ କାହ୍ନୁ ଚରଣ ପାତ୍ର, ଗୁରୁଣ୍ଠି ସମିତି ସଭ୍ୟା କେ.ରାଜଲକ୍ଷ୍ମୀ ଦାସ, ଶିହଳା ସରପଞ୍ଚ ବାଲାଜି ପାତ୍ର, ଅନନ୍ତେଇ ସରପଞ୍ଚ କାମେଶ୍ୱର ବିଶ୍ୱାଳ, ବୋରିଗାଁ ସମିତି ସଭ୍ୟ ସନ୍ତୋଷ କୁମାର ସାହୁ ଓ ବନ୍ତପଲ୍ଲୀ ସମିତି ସଭ୍ୟା ସୁନିତା ଦାସ ପ୍ରମୁଖ ବିଡ଼ିଓ ପଲ୍ଲବୀ ସ୍ୱାଇଁଙ୍କୁ ଲିଖିତ ଅଭିଯୋଗ ଦାଖଲ କରି ତୁରନ୍ତ ସମିତି ବୈଠକ ଡକାଇବାକୁ ଦାବି କରିଛନ୍ତି ।

ଅଭିଯୋଗକାରୀଙ୍କ ପକ୍ଷରୁ ବ୍ଲକର ବିଭିନ୍ନ ବିଭାଗ ଷ୍ଟାଣ୍ଡିଙ୍ଗ କମିଟି ଗଠନ ସହ ଖାଦ୍ୟ ଯୋଗାଣ ବିଭାଗ, ଆର୍.ଡବ୍ଲୁ.ଏସ୍.ଏସ୍ ,ପି.ଡବ୍ଲୁ.ଡି, ଶିଶୁ ବିକାଶ ଓ ମାତୃ କଲ୍ୟାଣ ଯୋଜନା, ଶିକ୍ଷା ବିଭାଗ,ଇରିଗେସନ ଏନ୍ଆରଇଜିଏ,କୃଷି ବିଭାଗ,ଫିସେରି, ପରିସଂଖ୍ୟନ ବିଭାଗରେ ହେଉଥିବା ବହୁ ଅନିୟମିତତା ସମ୍ପର୍କରେ ଆଲୋଚନା ହୋଇପାରୁନଥିବାରୁ ଆଗାମୀ ଦିନରେ ବ୍ରହ୍ମପୁର ଉପଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପାଳ ଏବଂ ପଞ୍ଚାୟତରାଜ ବିଭାଗର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com