ଓଡ଼ିଶା

ଲେଡି ବ୍ଲାକ୍‌ମେଲର ଗିରଫ ଘଟଣାରେ ନୂଆ ଫର୍ଦ୍ଦ

ରାଜଧାନୀ ଭୁବନେଶ୍ବରର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ନେଇ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି। ଆଜି ଅପରାହ୍ନରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଡିସିପି କହିଛନ୍ତି ଯେ, କେଉଁମାନେ ଅର୍ଚ୍ଚନାଙ୍କ ଦ୍ବାରା ବ୍ଲାକମେଲିଂର ଶିକାର ହୋଇଛନ୍ତି, ସେମାନଙ୍କୁ ପୁଲିସ ଖୋଜୁଛି। ଏଥି ସହିତ ଅର୍ଚ୍ଚନାର ବ୍ୟାଙ୍କ କାରବାର ନେଇ ତଦନ୍ତ ହେବ। ଏ ସଂପର୍କିତ ତଥ୍ୟ ରିଜର୍ଭ ବ୍ୟାଙ୍କକୁ ମଗାଯାଇଛି।  ଡିସିପି ଶ୍ରୀ ସିଂହ କହିଛନ୍ତି, ବ୍ଲାକମେଲିଂ ନେଇ ଖଣ୍ଡଗିରି ଥାନାରେ ଗତ ୨ ତାରିଖରେ ଜଣେ ଯୁବତୀ ଅଭିଯୋଗ କରିଥିଲେ। ସେଇ ଅଭିଯୋଗକୁ ଭିତ୍ତିକରି ଅର୍ଚ୍ଚନା ନାଗକୁ ଗିରଫ କରାଯାଇଛି। ଅର୍ଚ୍ଚନା ପ୍ରଥମେ ବନ୍ଧୁତା ମାଧ୍ୟମରେ ସଂପର୍କ ବଢ଼ାଉଥିଲେ। ସେ ଅଭିଯୋଗକାରିଣୀଙ୍କ କିଛି ଅନ୍ତରଙ୍ଗ ଫଟୋ ରଖିଥିଲେ, ଯାହାକୁ ନେଇ ତାଙ୍କୁ ବ୍ଲାକମେଲିଂ କରିଥିଲେ। ଜଣେ ଫିଲ୍ମ ପ୍ରଯୋଜକ ସହ ସମ୍ପର୍କ ବଢାଇବା ପାଇଁ ବାଧ୍ୟ କରିଥିଲେ। ତାଙ୍କ କଥା ଅନୁଯାୟୀ କାମ ନ କଲେ ଅଭିଯୋଗକାରିଣୀଙ୍କ ଫଟୋ ଭାଇରାଲ କରିବାକୁ ଅର୍ଚ୍ଚନା ଧମକ ଦେଇଥିଲା। ଅଭିଯୋଗକାରିଣୀ ପରେ ଅର୍ଚ୍ଚନାଙ୍କ କହିବା ମୁତାବକ ପ୍ରଯୋଜକଙ୍କ ନିକଟତର ହୋଇ ବ୍ଲାକମେଲିଂ କରିବାକୁ ବାଧ୍ୟ ହୋଇଥିଲେ। ଆଇଆଇସି ନିଜେ ଏହି ମାମଲାର ତଦନ୍ତ କରୁଛନ୍ତି। ଆଇନ ଅନୁସାରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଆଉ କାହାର ଲିଙ୍କ ରହିଛି ତଦନ୍ତ ଚାଲିଛି। ଫୋନ, ଟାବଲେଟ, ଡ଼ିଭିଏସ, ପାସ୍ବୁ‌କ, ଡକ୍ୟୁମେଣ୍ଟ ଆଦି ଜବତ ହୋଇଛି। ଏସବୁକୁ ତଦନ୍ତ ପାଇଁ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଯାଇଛି। ସେହିପରି ତାଙ୍କର ନାଁରେ କଣ ଅଛି ସେନେଇ କମ୍ପାନି ତଥ୍ୟ ମଗାଯାଇଛି। ତାଙ୍କ ସହ ଆଉ କିଏ ଅଛନ୍ତି, ସେନେଇ ମଧ୍ୟ ତଦନ୍ତ ଜାରି ରହିଛି। ଅର୍ଚ୍ଚନାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ନାହିଁ। ସେ ସୁସ୍ଥ ହେଲା ପରେ ତାଙ୍କୁ ପଚରାଉଚରା କରାଯିବ। ଅର୍ଚ୍ଚନାଙ୍କ ସ୍ବାମୀଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଛି। ତାଙ୍କର ଆଉ କେଉଁଠି ସମ୍ପତ୍ତି ଅଛି, ତଦନ୍ତ ଜାରି ରହିଛି। ଆବଶ୍ୟକ ପଡ଼ିଲେ ଅଧିକ ତଦନ୍ତ ପାଇଁ ଅର୍ଚ୍ଚନାକୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com