ବାଣିଜ୍ୟ

ଭବାନୀପାଟଣାରେ ଏକ୍ସ କେଡ଼ର ଶିକ୍ଷକଙ୍କ ଦରମାରେ ଜାଲିଆତି ଅଭିଯୋଗ

ଭବାନୀପାଟଣା, ୧୦ /୧୦/୨୦୨୨-  କଳାହାଣ୍ଡି  ଜିଲ୍ଲାର ଏକ୍ସ କେଡ଼ର ଶିକ୍ଷକ ସଂଘ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ଶିକ୍ଷକଙ୍କ ମାସକର ଦରମାରେ ଜାଲିଆତି ହୋଇଛି । ଜିଲ୍ଲାର ଭବାନୀପାଟଣା ବ୍ଲକରେ କାର୍ଯ୍ୟରତ ୧୭୧ ଜଣ ଏକ୍ସ କେଡ଼ର ଶିକ୍ଷକଙ୍କ ଅକ୍ଟୋବର ମାସର ଦରମା ଆସିବାରେ ବିଳମ୍ବ ହୋଇଛି । ଏକ୍ସ କେଡ଼ର ଶିକ୍ଷକମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ତାଙ୍କ ଦରମା ବିଳମ୍ବ ହେବା ନେଇ ଅଭିଯୋଗ କରିଥିଲେ ।

 ଦରମା ପ୍ରଦାନ ଦାୟିତ୍ୱରେ ଥିବା ଆକାଉଣ୍ଟାଣ୍ଟ ଶୁଚିସ୍ମିତା, ଦରମା ଟଙ୍କା ବ୍ୟାଙ୍କରେ ଡିପୋଜିଟ କରାଯାଇଥିବା କହିଥିଲେ । ଶିକ୍ଷକମାନେ ବ୍ୟାଙ୍କକୁ ଯାଇ ଦରମାର ଯାଞ୍ଚ କରିଥିବାବେଳେ ମାତ୍ର ୪୮ ଜଣ ଶିକ୍ଷକଙ୍କ ଦରମା ବ୍ୟାଙ୍କରେ ଜମା ହୋଇଥିବା ଜାଣିବାକୁ ପାଇଥିଲେ । ଅନ୍ୟ ଶିକ୍ଷକଙ୍କ ଦରମା ଜମା ହୋଇ ନଥିବା ନେଇ ବ୍ୟାଙ୍କ କର୍ମଚାରୀ ସୂଚନା ଦେବା ପରେ ଏହାକୁ ନେଇ ଶିକ୍ଷକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ବ୍ୟାଙ୍କ ପକ୍ଷରୁ ଏକ୍ସ କେଡ଼ର ଶିକ୍ଷକମାନଙ୍କୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଶିକ୍ଷା ବିଭାଗ ପକ୍ଷରୁ ବ୍ୟାଙ୍କକୁ ଦେଇଥିବା କାଗଜପତ୍ରରେ ୪ ମାସ ତଳେ ଅବସର ଗ୍ରହଣ କରିଥିବା ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତଙ୍କ ଦସ୍ତଖତ ରହିଛି ।  ଜଣେ ଅବସର ପ୍ରାପ୍ତ ଅଧିକାରୀଙ୍କ ଦସ୍ତଖତ ବ୍ୟାଙ୍କ କାଜପତ୍ରରେ କିପରି ଲାଗିଲା ତାହା ତଦନ୍ତ ସାପେକ୍ଷ ବୋଲି ଏକ୍ସ କେଡ଼ର ଶିକ୍ଷକସଂଘ ଦାବି କରିଛି ।

ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ତଦନ୍ତ ଆରମ୍ଭରୁ ହିଁ  ଫେରାର ହୋଇଛନ୍ତି ଆକାଉଣ୍ଟାଣ୍ଟ ଶୁଚିସ୍ମିତା । ଯାହାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀ ଆକାଉଣ୍ଟାଣ୍ଟଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତଙ୍କୁ ପଚାରିବାରୁ ତାଙ୍କ ଦସ୍ତଖତ ଜାଲିଆତି କରାଯାଇଥିବାବେଳେ, ସେ ଏଘଟଣା ସମ୍ପର୍କରେ ଅବଗତ ନଥିବା କହିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ  ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com