ଅନ୍ୟାନ୍ୟ

ଏଣିକି ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ

ଭୁବନେଶ୍ୱର,୧୫ /୧୦/୨୦୨୨-   ଶିକ୍ଷକ-ଶିକ୍ଷୟତ୍ରୀ ନିଯୁକ୍ତି ନେଇ ବଦଳିଲା ନିୟମ । ଏଣିକି ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ ଦ୍ବାରା ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତି ପାଇବେ । ଆଉ କୌଣସି ବାହାର ସଂସ୍ଥାଙ୍କୁ ନିଯୁକ୍ତି ଲାଗି ଦାୟିତ୍ବ ଦିଆଯିବ ନାହିଁ  କି ଗଣଶିକ୍ଷା ବିଭାଗ କରିବ ନାହିଁ । ଅନ୍ୟାନ୍ୟ ବିଭାଗରେ ହେଉଥିବା ନିଯୁକ୍ତି ପ୍ରକ୍ରିୟା ପରି ଓଏସ୍‌ଏସ୍‌ସି ଦ୍ବାରା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏଥର ନିଯୁକ୍ତି ପ୍ରକ୍ରିୟାରେ ଦିବ୍ୟାଙ୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପିଡବ୍ଲୁଡି ବର୍ଗ ପ୍ରାର୍ଥୀଙ୍କ  ଲାଗି ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ମାତ୍ର କେତେପ୍ରତିଶତ ସଂରକ୍ଷଣ ହେବ, ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣବିଭାଗକୁ ଚୂଡ଼ାନ୍ତ ସଂରକ୍ଷଣ ବ୍ୟବସ୍ଥା ନିଷ୍ପତ୍ତି ନେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଦାୟିତ୍ବ ଦିଆଯାଇଛି ।

ପ୍ରାର୍ଥୀଙ୍କ ଆବେଦନଠାରୁ ଆରମ୍ଭ କରି ପରୀକ୍ଷାଫଳ ପ୍ରକାଶ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଷ୍ଟାଫ୍‌ ସିଲେକ୍ସନ କମିସନ କରିବ । ଗଣଶିକ୍ଷା ବିଭାଗ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିପାରିବ ନାହିଁ କି ତାହାକୁ ମାନିବାକୁ ଓଏସ୍‌ଏସ୍‌ସି ବାଧ୍ୟ ନୁହେଁ । ସୁବିଧା ଅନୁଯାୟୀ ଚୟନ ପ୍ରକ୍ରିୟା କରିବାକୁ ଓଏସ୍‌ଏସ୍‌ସିକୁ କ୍ଷମତା ଦିଆଯିବ । ଗତ ଦୁଇଟି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା‌ରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିବା ପରେ ବିଭାଗ ଏଭଳି ନିଷ୍ପତ୍ତି ନେଇଛି।

ଇତିମଧ୍ୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ବିଦ୍ୟାଳୟରେ ଖାଲିଥିବା ପଦ ତାଲିକା ପ୍ରସ୍ତୁତ କରାଯାଇଛି । ଖାଲିଥିବା ମୋଟ ୭ ହଜାର ୫୪୦ ପଦରେ ଖୁବ୍‌ଶୀଘ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯିବ । ବିଭାଗୀୟ ତଥ୍ୟ ଅନୁଯାୟୀ, ଟିଜିଟି ଆର୍ଟସ୍‌ରେ ୧୯୭୦, ଟିଜିଟି ପିସିଏମ୍‌ରେ ୧୪୧୯, ଠିଜିଠି ସିବିଜେଡ୍‌ରେ ୧୨୦୫, ହିନ୍ଦୀରେ ୧୩୫୨, ସଂସ୍କୃତରେ ୭୨୩, ପିଇଟିରେ ୮୪୧, ଊର୍ଦ୍ଦୁରେ ୨୪ ଓ ତେଲଗୁରେ ୬ଟି ଶିକ୍ଷକ ପଦ ଖାଲି ରହିଛି । କେବେ ଏହି ନିଯୁକ୍ତି ପ୍ରକ୍ରିୟା ହେବ, ସେନେଇ ଓଏସ୍‌ଏସ୍‌ସି ସହ ଆଲୋଚନା ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ତେବେ ୨୦୨୨-୨୩ ଶିକ୍ଷାବର୍ଷରେ ହିଁ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com