ଅନ୍ୟାନ୍ୟ

ବୁଧବାରରୁ ପୁଣି ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ

ଭଦ୍ରକ, ୨୫/୧୦/୨୦୨୨-   ଧାମନଗର ଉପନିର୍ବାଚନକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା । କିଏ ଜିତିବ, ଆଉ କିଏ ହାରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ କିଛି ଦିନ ହେଲା ରାଜ୍ୟର ତିନି ପ୍ରମୁଖ ଦଳର ନେତା ଭଦ୍ରକର ଧାମନଗର ନିର୍ବାଚନ ମଣ୍ଡଳୀର ଏ ପଞ୍ଚାୟତରୁ ସେ ପଞ୍ଚାୟତ ଏପରିକି ଗାଁ ଗାଁରେ ନେତା, ବିଧାୟକମାନେ ଡେରା ପକାଇ ପ୍ରଚାର ଚଳାଇଛନ୍ତି ।
ଗତ ଦୁଇ ଦିନ ଦୀପାବଳି ଓ  ମଙ୍ଗଳବାର ସୂର୍ଯ୍ୟୋପରାଗ ପାଇଁ ନିର୍ବାଚନ ପ୍ରଚାର ବନ୍ଦ ରହିଥିବା ବେଳେ ବୁଧବାରରୁ ପୁଣି ପ୍ରଚାର ଆରମ୍ଭ ହେଉଛି । କିନ୍ତୁ ୨୭ ତାରିଖ ଠାରୁ ତିନି ପ୍ରମୁଖ ଦଳ ବିଜେଡ଼ି ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରଚାର ଜୋରଦାର ହେବାକୁ ଯାଉଛି । ନେତାମାନେ ଆସି ଜନତାଙ୍କୁ ଭୋଟ ମାଗିବେ। ବିଜେପିର ଷ୍ଟାର ପ୍ରଚାର ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱନି ବୈଷ୍ଣବ, ବିଶ୍ବେଶ୍ବର ଟୁଡୁ ପ୍ରମୁଖ ପ୍ରଚାରରେ ଯୋଗଦେବେ। ୨୭ ଓ ୨୮ ଦୁଇ ଦିନ ଧର୍ମେନ୍ଦ୍ର ଧାମନଗର ସୂର୍ଯ୍ୟବଂଶୀଙ୍କ ଲାଗି ପ୍ରଚାର କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ଲାଗି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁର ରାଉତରାୟ, ତାରାବାହିନୀ ପତି ଓ ଅନ୍ୟ ବରିଷ୍ଠ ନେତା ମଧ୍ୟ ଯୋଗ ଦେବେ।
ବିଜେଡ଼ି ପକ୍ଷରୁ ସଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ, ପ୍ରମିଳା ମଲ୍ଲିକ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ,  ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ,  ସାଂସଦ ମଂଜୁଲତା ମଣ୍ଡଳ, ସାଂସଦ ସୁଲତା ଦେଓଙ୍କ ସମେତ ବହୁ ବିଜେଡ଼ି ନେତା ଓ ମନ୍ତ୍ରୀ  ପ୍ରଚାର କରିବେ । ବିଜେଡ଼ି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ହୁଏତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସେହିପରି ୨୭ ଓ ୨୮ ତାରିଖରେ ବିଜେଡିର ବିଦ୍ରୋହୀ ସ୍ଵାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ପ୍ରଚାର ଜୋରଦାର ହେବ ବୋଲି ତାଙ୍କ ସମର୍ଥକ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com