ଅନ୍ୟାନ୍ୟ

ବାଂଲାଦେଶରେ ମାଡ଼ କଲା ବାତ୍ୟା ସିତରଙ୍ଗ

ବାଂଲାଦେଶ, ୨୫/୧୦/୨୦୨୨-  ବାତ୍ୟା ସିତରାଙ୍ଗ ବାଂଲାଦେଶରେ ନାହିଁ ନଥିବା କ୍ଷୟକ୍ଷତି କରାଇଛି । ଅନେକ ସ୍ଥାନରେ ଗଛ ଉପୁଡ଼ି ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ବାଂଲାଦେଶରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ଭୋର ସମୟରେ ବାଂଲାଦେଶର ବରିସାଲ୍ ନିକଟରେ ଏହା ସ୍ଥଳଭାଗ ଛୁଇଁଛି ।

ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ରହିଥିଲା । ବହୁ ଘର ଭାଙ୍ଗିଥିବା ବେଳେ ବ୍ୟାପକ ଫସଲ ନଷ୍ଟ କରିଛି ବାତ୍ୟା । କିଛି ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିରାପଦ ସ୍ଥାନକୁ ଆଣିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ବାତ୍ୟା ପାଇଁ ୨୮ ହଜାର ୧୫୫ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଲ୍ୟାଣ୍ଡଫଲ୍ ବେଳେ ବାତ୍ୟା ଦୁର୍ବଳ ହୋଇଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ସାମୁଦ୍ରିକ ଝଡ଼ରୁ ତୀବ୍ର ଅବପାତ ଏବଂ ସଂଧ୍ୟାରେ ଏହା ଲଘୁଚାପରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ଆକଳନ କରିଛି ।

ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗର ଦକ୍ଷିଣ ଓ ପୂର୍ବ ପ୍ରଗଣା ମଧ୍ୟ ପ୍ରଭାବିତ ହୋଇଛି । ଉଚ୍ଚ ଜୁଆର ମାଡିଆସିବା ସହିତ ନିଉ ଦିଘା, ଦିଘା, ଉପକୂଳରେ ଥିବା ଦୋକାନ ବଜାର ମଧ୍ୟରେ ସମୁଦ୍ର ପାଣି ପଶିଯାଇଛି । ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ଗଭୀର ଅବପାତରେ ପରିଣତ ହୋଇଛି । ପଶ୍ଚିମବଙ୍ଗ ସମେତ ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ମେଘାଳୟ ଓ ତ୍ରିପୁରାର କିଛି ଅଂଚଳରେ ପ୍ରବଳ ବର୍ଷା ଲାଗିରହିଛି । ପ୍ରଶାସନ ପକ୍ଷରୁ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଅନ୍ୟପଟେ ଓଡିଶାର ଉପକୂଳ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଓ କଟକର କିଛି ସ୍ଥାନରେ ବର୍ଷା ହୋଇଛି । ବୁଧବାର ସକାଳକୁ ଓଡ଼ିଶାରେ ବାତ୍ୟାର କୌଣସି ପ୍ରଭାବ ରହିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେବଳ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com