ଅନ୍ୟାନ୍ୟ

ଓଡିଶା ସମେତ ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେଲା ସୂର୍ଯ୍ୟ ପରାଗ

ଭୁବନେଶ୍ୱର, ୨୫/୧୦/୨୦୨୨ –  ଓଡିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଦୃଶ୍ୟମାନ ହୋଇଛି ସୂର୍ଯ୍ୟ ପରାଗ । ଏହା ଥିଲା ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ବା ଖଣ୍ଡଗ୍ରାସ – ଆଂଶିକ ସୂର୍ଯ୍ୟ ପରାଗ । ଜ୍ୟୋତିର୍ବିଦ୍‌ଙ୍କ ଭାଷାରେ ଏହା ହେଉଛି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ । ସୂର୍ଯ୍ୟ ପରାଗ ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହୋଇଛି । ଏହା ଏସିଆ ଓ ୟୁରୋପ ମହାଦେଶରେ ମଧ୍ୟ ଦୃଶ୍ୟମାନ ହୋଇଛି । ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏ ପ୍ରାୟ ୨୦ ମିନିଟ୍ ପାଇଁ ଏହି ମହାଜାଗତିକ ଦୃଶ୍ୟ ମାନ ହୋଇଛି । ଏଠି ସୂର୍ଯ୍ୟଙ୍କର ମାତ୍ର ୧୦ରୁ ୧୫% ଅଂଶ ଘୋଡ଼େଇ ହୋଇଥିଲା । ସର୍ବମୋକ୍ଷ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ରହିଛି ।

ସୂର୍ଯ୍ୟ ପରାଗ ପାଇଁ ଆଜି ଭୋର୍ ୪ଟା ୫୬ ମିନିଟରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ କରାଯାଇଛି । ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ପାଳନ ହେଉଛି । ସୋମବାର ରାତି ୧୨ଟାରେ ଦ୍ୱାରଫିଟା ସହ ଆଜି ଭୋର୍ ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିଛି । ଭୋଗ ମଣ୍ଡପ ସରିବା ପରେ ରାଧା ଦାମୋଦର ବେଶରେ ମଇଲମ କରାଯାଇ ଅପରାହ୍ଣ ୬ଟାରେ ଗ୍ରହଣ ମହାସ୍ନାନର କାର୍ଯ୍ୟକ୍ରମ ରହିଛି ।

ସୂର୍ଯ୍ୟ ପରାଗକୁ କେବେବି ଖାଲି ଆଖିରେ ନ ଦେଖିବାକୁ ବୈଜ୍ଞାନିକମାନେ ସତର୍କ କରିଛନ୍ତି । ଦୀର୍ଘ ୨୭ ବର୍ଷ ପରେ ଦୀପାବଳିରେ ସୂର୍ଯ୍ୟପରାଗ ପଡିଥିଲା । ସେହିଭଳି ଦୀର୍ଘ ୧୩ ଶହ ବର୍ଷ ପରେ ଗ୍ରହ ସହ ଗ୍ରହାଣୁପୁଞ୍ଜ ଏକାଠି ସଂଯୋଗରେ ଆସିଥିଲେ । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟ ପରାଗ ଦେଖାଯାଏ ।

 

Related Articles

Back to top button
WP Twitter Auto Publish Powered By : XYZScripts.com