ଅନ୍ୟାନ୍ୟ

ଜାତୀୟ ମାନବାଧିକାର କମିଶନଙ୍କ ଅଦାଲତରେ ସୂଚନା ଅଧିକାର କର୍ମୀଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ ମାମଲା

ବ୍ରହ୍ମପୁର, ୧୨ /୧୦/୨୦୨୨-   ଗତ ମାସ ୧୯ ତାରିଖରେ ରଙ୍ଗେଇଲୁଣ୍ଡା ବ୍ଳକ କାର୍ଯ୍ୟାଳୟ ପରିସରରୁ ବିଶ୍ଵମ୍ବର ପାତ୍ର ନାମକ ଜଣେ ସୂଚନା ଅଧିକାର କର୍ମୀଙ୍କୁ ସ୍ପଷ୍ଠ ଦିବାଲୋକରେ ବିଡ଼ିଓଙ୍କ ସାମ୍ନାରୁ କିଛି ଗୁଣ୍ଡା ଅପହରଣ କରି ମାରିଦେବା ପାଇଁ ଉଦ୍ୟମ କରିଥିଲେ । ସେତେବେଳେ ଏହା ସମସ୍ତ ଛାପା ଓ ବୈଦୁତିକ ଗଣମାଧ୍ୟମରେ ରାଜ୍ୟର ଚର୍ଚ୍ଚିତ ଘଟଣାବଳୀ ହୋଇଥିଲା । ଏନେଇ ବିଶ୍ଵମ୍ବର ପାତ୍ର ଗୋଳନଥରା ଥାନାରେ ସି.ଏଚ. ବାଇରୀ ପାତ୍ର ସମେତ ଅନ୍ୟ ପାଞ୍ଚ ଜଣଙ୍କ ନାମରେ ଅପହରଣ, ହତ୍ୟା ଉଦ୍ୟମ ନେଇ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଦୁଃଖର ବିଷୟ ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନହେବା ହେତୁ ଅଭିଯୁକ୍ତମାନେ ଗିରଫ ବଦଳରେ ଉଚ୍ଚ ନ୍ୟାୟାଳୟରୁ ଆଗୁଆ ଜାମିନ ପାଇବାରେ ସକ୍ଷମ ହେଲେ ।

ଏହାର ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲାର ଜଣେ ବରିଷ୍ଠ ମାନବାଧିକାର କର୍ମୀ  ଭଜମନ ବିଶ୍ବାଳ ଜାତୀୟ ମାନବାଧିକାର କମିଶନ ଦିଲ୍ଲୀରେ ଘଟଣାର ବିସ୍ତୃତ ବିବରଣୀ ପ୍ରଦାନ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ପୋଲିସ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ବିଶ୍ଵମ୍ବରଙ୍କୁ ମାନସିକ ଚାପ ପ୍ରୟୋଗ ଓ ମାନବାଧିକାର ଉଲଂଘନ କରିଥିବା ଅଭିଯୋଗରେ ସଂପୃକ୍ତ ପୋଲିସ ଅଧିକାରୀଙ୍କ ଦରମାରୁ କୋଡ଼ିଏ ଲକ୍ଷ ଟଙ୍କା ଆଦାୟ କରି ଅନୁକମ୍ପା ମୂଳକ ସହାୟତା ଘୋଷଣା ନିମନ୍ତେ ଅଭିଯୋଗ କରିଥିଲେ ।

ଅଭିଯୋଗର ଗୁରୁତ୍ୱକୁ ଉପଲବ୍ଧି କରି ମାନ୍ୟବର କମିଶନ ଏକ କେସ୍ ନମ୍ବର ୩୭୦୩ /୧୮ /୨୨ /୨୦୨୨ ରେ ରୁଜୁ କରି  ବ୍ରହ୍ମପୁର ଏସପିଙ୍କୁ ନୋଟିସ ଜାରି କରି ଆସନ୍ତା ଚାରି ସପ୍ତାହ ମଧ୍ୟରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହାର ବିସ୍ତୃତ ରିପୋର୍ଟ ଦାଖଲ କରିବା ନିମନ୍ତେ ଜବାବ ସୁଆଲ କରିଛନ୍ତି । ଏତଦ୍ ବ୍ୟତୀତ ପୋଲିସ ନିଷ୍କ୍ରିୟତା ଲୋକ ଲୋଚନକୁ ଆଣି ଏହି ଜଘନ୍ୟ ଅପରାଧ ଘଟଣାର ତଦନ୍ତ ଜାତୀୟ ମାନବାଧିକାର କମିଶନଙ୍କ ନିଜସ୍ଵ ଡିଜି  କିମ୍ବା ସିବିଆଇ କିମ୍ବା କ୍ରାଇମବ୍ରାଞ୍ଚ ଓଡ଼ିଶାଙ୍କ ଦ୍ଵାରା ତଦନ୍ତ ନିମନ୍ତେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com