ଅନ୍ୟାନ୍ୟ

ରାତି ପାହିଲେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ

ଭଦ୍ରକ, ୦୨/୧୧/୨୦୨୨ –  ପ୍ରସ୍ତୁତି ଶେଷ ସୋପାନରେ । ରାତି ପାହିଲେ ଧାମନଗର ଉପନିର୍ବାଚନର ମତଦାନ । ସାଧାରଣ ଲୋକେ ଭାଗ୍ୟ ନିର୍ଣ୍ଣୟ କରିବେ ପ୍ରାର୍ଥୀଙ୍କର । ପ୍ରଚାର ଶେଷ ହୋଇଥିବାରୁ ରଣାଙ୍ଗନରେ ଅବତୀର୍ଣ୍ଣ ପ୍ରମୁଖ ୩ ରାଜନୈତିକ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥକମାନେ ବ୍ୟକ୍ତିଗତ ସମ୍ପର୍କ ଆଧାରରେ ତଥାପି ଜାରି ରଖିଛନ୍ତି ଲୋକଙ୍କ ସହ ସମ୍ପର୍କ ଯୋଡିବା କାର୍ଯ୍ୟରେ । ବିଧିବଦ୍ଧ ପ୍ରଚାର ହେଉନଥିଲେ ବି ଯେଝା ଯେଝା ବାଟରେ ତଥାପି ଭୋଟରଙ୍କ ମନ ଜିଣିବାରେ ଜାରି ରହିଛି ପ୍ରୟାସ । ସେପଟେ ଏକ ସୁସ୍ଥ, ନୀରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳା ମଧ୍ୟରେ ନିର୍ବାଚନ ପରିଚାଳନା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସମସ୍ତ ୨୫୨ ବୁଥକୁ ପୁଲିଂ ପାର୍ଟି ବାହାରି ଯାଇଛନ୍ତି । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡିସବରସାଲ ସେଣ୍ଟରରୁ ଇଭିଏମ ଓ ଅନ୍ୟ ସରଞ୍ଜାମ ଧରି ପୁଲିଂ ଦଳ ବୁଥରେ ପହଞ୍ଚିଛନ୍ତି । ୨୫୨ ବୁଥ ପାଇଁ ୩୦ ଜଣ ସେକ୍ଟର ଅଫିସର ଓ ୧୧ ଜଣ ଜୋନାଲ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ୧୨୬ ବୁଥରେ ୱେବ୍‌କାଷ୍ଟିଂର ବ୍ୟବସ୍ଥା କରାଯାଇଛି । ମୋଟ ୧୧୦ଟି ଉତ୍ତେଜନା ପ୍ରବଣ ବୁଥ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୬୦ଟି ବୁଥ ସମ୍ବେଦନଶୀଳ ଓ ୫୦ଟି ବୁଥକୁ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଅବାଧ ଓ ଶାନ୍ତି ଶୃଙ୍ଖଳାର ସହ ଏହି ଉପନିର୍ବାଚନରେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଭୋଟ ଗ୍ରହଣ ଗୁରୁବାର ସକାଳ ୭ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏ ଚାଲିବ ।

ଚଳିତ ଥର ମୋଟ ୨ଲକ୍ଷ ୪୦ ହଜାର ୯୨ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୧୬ ହଜାର ୫୭୯ ମହିଳା ଓ ୧ଲକ୍ଷ ୨୪ ହଜାର ୯୨ଜଣ ପୁରୁଷ ଅଛନ୍ତି । କେବଳ ମହିଳାଙ୍କ ପାଇଁ ୫ଟି ବୁଥକୁ ପିଙ୍କ ବୁଥ ଭାବେ ଚିହ୍ନଟ କରାଯାଇଛି । ୨୫୨ ପୋଲିଂ ପାର୍ଟି, ୧ ହଜାର ୮ଜଣ ପୋଲିଂ ଅଧିକାରୀ, ୩୦ଜଣ ସେକ୍ସନ ଅଫିସର ଓ ୨ଜଣ ପର୍ଯ୍ୟବେକ୍ଷକ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି । ଶାନ୍ତିଶୃଙ୍ଖଁଳା ରକ୍ଷା ପାଇଁ ୪ କମ୍ପାନୀ ସିଆରପିଏଫ୍ ଓ ୨୫ ପ୍ଲାଟୁନ ସଶସ୍ତ୍ର ପୋଲିସ ବାହିନୀକୁ ନିୟୋଜିତ କରାଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com