
ନୋଏଡ଼ାରେ ବେଆଇନଭାବେ ନିର୍ମିତ ୩୨ ଓ ୨୯ ମହଲା-ବିଶିଷ୍ଟ ଦ୍ବୈତ ଟାୱାରକୁ ଭାଙ୍ଗିଦିଆଯାଇଥିଲା । ଦୁନିଆର ପ୍ରସିଦ୍ଧ କମ୍ପାନୀକୁ ଏହି ଟ୍ୱିନ ଟାୱାରକୁ ମାଟିରେ ମିଶାଇ ଦେବାକୁ ଦାୟିତ୍ୱ ଦିଆଯାଇଥିଲା । ଏହି ଟାୱାର ଭଙ୍ଗାଯିବା ପରେ ବର୍ତ୍ତମାନ ଗୁରୁଗ୍ରାମରେ ମଧ୍ୟ ଏଭଳି ଅଟ୍ଟାଳିକାକୁ ଭଂଗାଯିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗୁରୁଗ୍ରାମର ଡେପୁଟି କମିଶନର ନିଶାନ୍ତ କୁମାର ଯାଦବ କହିଛନ୍ତି ଯେ ଗୁରୁଗ୍ରାମର ସେକ୍ଟର ୧୦୯ ରେ ଥିବା ‘ଚିଣ୍ଟେଲ୍ସ ପାରାଡିସୋ କଣ୍ଡୋମିନିୟମ୍’ ବିଲ୍ଡିଂର ୫୦ଟି ଫ୍ଲାଟ ଥିବା ଟାୱାର-ଡିକୁ ଭଙ୍ଗାଯିବ । ୧୦ ଫେବୃଆରୀ ୨୦୨୨ରେ, ମରାମତି କାମ ସମୟରେ ଟାୱାର ଡିରେ ଥିବା ଷଷ୍ଠ ମହଲା ଆପାର୍ଟମେଣ୍ଟର ଏକ ସ୍ଲାବ ଖସିପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ରାଜ୍ୟ ସରକାର ଏହାର ଯାଞ୍ଚ ପାଇଁ ଏକ କମିଟି ଗଠନ କରିଥିଲେ ଏବଂ ବିଲ୍ଡିଂର ଅଡିଟ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏହି ବିଲଡିଂକୁ ମରାମତି କରିବା ସମ୍ଭବ ନୁହେଁ, ତେଣୁ ଏହି ଟାୱାରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯିବା ଉଚିତ ବୋଲି ଡେପୁଟି କମିଶନର ନିଶାନ୍ତ କୁମାର ଯାଦବ ଗଣମାଧ୍ୟମକୁ କହିଛନ୍ତି। ତେବେ ଯାଦବ କହିଛନ୍ତି, ଯେ ଏହାକୁ କେବେ ଭଙ୍ଗାଯିବ ସେ ନେଇ ନିଷ୍ପତ୍ତି ହୋଇନାହିଁ ।