ଜୀବନଶୈଳୀ

ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା

୯ ଦିନରେ ୭୦ ଲକ୍ଷ ଜନ ସମାଗମ ଆଶା

କଟକ, ୦୮/୧୧/୨୦୨୨ – ବହୁ ପ୍ରତୀକ୍ଷିତ ଐତିହାସିକ ବାଲିଯାତ୍ରା କଟକରେ ଆରମ୍ଭ ହୋଇଛି । ଅତୀତର ନୌବାଣିଜ୍ୟ ସ୍ମୃତିକୁ ମନେ ପକାଇବା ପାଇଁ ଦୁଇ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ଏହି ଯାତ୍ରା ଦେଖିବାକୁ ପ୍ରଥମ ଦିନରୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଲେଜର ଲାଇଟ୍ ସୋ ଏବଂ ମୀନା ବଜାର ସାଙ୍ଗକୁ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଚଳିତ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିଛି । ପ୍ରଥମ ଥର ପାଇଁ ଲେଜର ଲାଇଟ ସୋ, କଟକ ଇନ କଟକ ପାଭେଲିୟନ ପରିକଳ୍ପନା କରାଯାଇଛି । ଏଥିରେ ମନ୍ଦିର, ମସଜିଦ୍‌. ଗୁରୁଦ୍ଵାର, ବାଲୁକା କଳା , ବିଭିନ୍ନ ପ୍ରତିଷ୍ଠିତ ସ୍ଥାନ, ରେଳଷ୍ଟେସନ, ହାଇକୋର୍ଟ ଇତ୍ୟାଦି ଦେଖିବାକୁ ମିିଳିଛି । ୯ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀ ଦୋକାନ ଖୋଲିଛନ୍ତି ।

ଚଳିତ ଥର ୭୦ ଲକ୍ଷ ଲୋକଙ୍କ ବାଲିଯାତ୍ରାକୁ ଆଗମନ ହେବାର ଆଶା କରାଯାଉଛି । ସେହିପରି ଲୋକମାନଙ୍କ ମନୋରଞ୍ଜନ ପାଇଁ ଓଲିଉଡ ଏବଂ ବଲିଉଡର କଳାକାରଙ୍କୁ ନେଇ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଚଳିତ ଥର ବାଲିଯାତ୍ରା ମାଧ୍ୟମରେ ପୁଣି ଥରେ ଓଡିଶା-ଇଣ୍ଡୋନେସିଆ ନୌବାଣିଜ୍ୟ ସମ୍ପର୍କକୁ ଉଜ୍ଜୀବିତ କରିବାର ପ୍ରୟାସ କରାଯାଇଛି । ଏଥିପାଇଁ ବାଲିଯାତ୍ରାରେ ଯୋଗ ଦେବା ପାଇଁ ଇଣ୍ଡୋନେସିଆ ଦୂତାବାସର ସାଂସ୍କୃତିକ କାଉନସେଲର କଟକରେ ପହଞ୍ଚିଛନ୍ତି । ଏହି ଅସରରେ ଇଣ୍ଡୋନେସିଆ ଦୂତାବାସ ଅଧିକାରୀ କଟକ ସ୍ଥିତ ମାରିଟାଇମ୍ ମ୍ୟୁଜିୟମ ବୁଲି ଦେଖିଛନ୍ତି ।

ଏଥିସହ ଇଣ୍ଡୋନେସିଆର କିଛି ପାରମ୍ପରିକ ସାମଗ୍ରୀ ମ୍ୟୁଜିୟମରେ ପ୍ରଦର୍ଶନ ପାଇଁ ଉପହାର ସ୍ୱରୂପ ଦେଇଛନ୍ତି । ରାଜ୍ୟ ସରକାର, କଳିଙ୍ଗ ଇଣ୍ଟରନ୍ୟାସଲ ୟୁଥ୍ ଫାଉଣ୍ଡେସନ ଓ ଇଣ୍ଡୋନେସିଆ ସରକାରଙ୍କ ମିଳିତ ଉଦ୍ୟମରେ ଏଭଳି କାର୍ଯ୍ୟ ଆରମ୍ଭ ହୋଇଛି । ସେପଟେ କରୋନା ପାଇଁ ଦୁଇ ବର୍ଷ ବନ୍ଦ ରହିବା ପରେ ଏଥର ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ଶାନ୍ତି ଶୃଙ୍ଖଳାରେ ଏହାକୁ ଶେଷ କରିବାକୁ ସବୁ ପ୍ରକାର ପଦକ୍ଷେପ ନେଇଛି କଟକ ପ୍ରଶାସନ । ଏହାକୁ ନଜରରେ ରଖି ସୁରକ୍ଷା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ୫୦ ପ୍ଲାଟୁନ୍ ଫୋର୍ସ ବ୍ୟବସ୍ଥା କରାଯାଇଛି । ସିସିଟିଭି କ୍ୟାମେରା ସାଙ୍ଗକୁ ତଳ ଓ ଉପର ବାଲି ଯାତ୍ରା ପଡ଼ିଆରେ ୧୧ଟି ପୋଲିସ ସହାୟତା କେନ୍ଦ୍ର କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ଭାରୀ ଯାନ ଚଳାଚଳକୁ ଏହି ରାସ୍ତାରେ ବନ୍ଦ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com