ବିଜ୍ଞାନ ଓ ପ୍ରଯୁକ୍ତି

ବିଧାନସଭାରେ ପାରିତ ହେଲା ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ବିଲ

ଭୁବନେଶ୍ୱର, ୨୬/୧୧/୨୦୨୨-  ବିଧାନସଭାରେ ଶନିବାର ପାରିତ ହୋଇଛି ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ବିଲ । ଏଥି ସହିତ ଚଳିତ ଶୀତକାଳୀନ ଅଧିବେଶନର ତୃତୀୟ ଦିନର ବିଧାନସଭା କାର୍ଯ୍ୟ ଶେଷ ହୋଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଆସନ୍ତା ସୋମବାର  ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି । ସଂଶୋଧନ ବିଲରେ, ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ କ୍ଷମତା ଅଗ୍ନିଶମ ସେବା ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରାଯିବ । ଏହା ସହିତ ଅଗ୍ନିଶମ ସେବା ନିର୍ଦ୍ଦେଶକ ତାଙ୍କ କ୍ଷମତାର କିଛି ଅଂଶ ଅଧସ୍ତନ ଅଧିକାରୀଙ୍କୁ ହସ୍ତାନ୍ତର କରିବା କ୍ଷମତା ଉପଭୋଗ କରିପାରିବେ ।

ସେହିପରି ଅଗ୍ନି ସୁରକ୍ଷା ନିରୀକ୍ଷକ ନିଯୁକ୍ତି ନ କଲେ ଦଣ୍ଡର ବ୍ୟବସ୍ଥା ପାଇଁ ପ୍ରସ୍ତାବ ରହିଛି । ପ୍ରଚଳିତ ବିଧି ବ୍ୟବସ୍ଥାରେ ସୁରକ୍ଷା ବ୍ୟବସ୍ଥାରେ ଖିଲାପି, ଅଗ୍ନି ନିର୍ବାପନ କାର୍ଯ୍ୟରେ ଜାଣିଶୁଣି ବାଧା ଦେବା ଏବଂ ଅଗ୍ନିକାଣ୍ଡ ସଂପର୍କିତ ମିଥ୍ୟା ତଥ୍ୟ ପ୍ରଦାନ କରିବା ପାଇଁ ଅର୍ଥ ଦଣ୍ଡର ବ୍ୟବସ୍ଥା ଥିବାରୁ ତାହାକୁ ବର୍ଦ୍ଧିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । କମ୍ପାନୀ ମାନଙ୍କୁ ଓଡିଶା ଅଗ୍ନିଶମ ସେବା ଅଧିନିୟମ ପରିସର ଭୁକ୍ତ କରି, ଅଗ୍ନି ସୁରକ୍ଷା ପ୍ରମାଣପତ୍ର ରଖିବାରେ ବିଫଳ ହେଲେ, ଦଣ୍ଡ ବିଧାନ,  ବିବାଦ ଗୁଡ଼ିକରେ ଆପୋଷ ସମାଧାନର ଏକ ନୂତନ ବ୍ୟବସ୍ଥା ରଖିବାକୁ ପ୍ରସ୍ତାବ ଦିଆଯାଇଅଛି ।

ଅଗ୍ନିଶମ ସେବା ନିର୍ଦ୍ଦେଶକ କିମ୍ବା ଅନ୍ୟ ପ୍ରାଧିକୃତ ଅଧିକାରୀଙ୍କ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତି କିମ୍ବା ଆଦେଶ ଅଥବା ଅଧିଗ୍ରହଣକୁ ପାଳନ କରିବାରେ ଅସମର୍ଥ ହେଲେ, ଏହା ଆପୋଷ ସମାଧାନ ଭୁକ୍ତ ହୋଇପାରିବ ନାହିଁ । ଅଗ୍ନି ନିର୍ବାପନ ସମ୍ପର୍କିତ ସମସ୍ତ ମାମଲା ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ୍‌ଙ୍କ ଦ୍ବାରା ବିଚାର କରାଯିବ । ଏତଦବ୍ୟତୀତ, ଅଗ୍ନିଶମ ସେବା ନିର୍ଦ୍ଦେଶକ କିମ୍ବା ତାଙ୍କଦ୍ୱାରା ପ୍ରାଧିକୃତ ଅଧିକାରୀଙ୍କ ଲିଖିତ ଅଭିଯୋଗ ବିନା କୌଣସି ନ୍ୟାୟାଳୟ ଅଗ୍ନିଶମ ନିୟମ ଉଲଂଘନ ଜନିତ ଅପରାଧକୁ ଧାନକୁ ନେବେ ନାହିଁ । ଅଗ୍ନିଶମ ସେବା ଅଧିନିୟମରେ ଆଗତ ଅଭିଯୋଗ ଗୁଡିକର ଧାର୍ଯ୍ୟ ସମୟରେ ସମାଧାନ ନିମନ୍ତେ ଏହି ଅଧିନିୟମରେ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଓ ଦ୍ୱିତୀୟ ଅପିଲ କର୍ତ୍ତୃପକ୍ଷ ବ୍ୟବସ୍ଥା ରହିଛି । ଏହି ବିଲ ଦ୍ୱାରା ଓଡିଶା ଅଗ୍ନିଶମ ବିଭାଗ ଆହୁରି ସଶକ୍ତ ହେବା ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com