ଅନ୍ୟାନ୍ୟ

ଇକୋ-ରିଟ୍ରିଟ୍‌ରେ ଏଥର ସାଉଣ୍ଟିହେବ ଆମାଜନ ଜଙ୍ଗଲର ଅନୁଭୂତି

ଭୁବନେଶ୍ୱର, ୩୦/୧୧/୨୦୨୨-    ଓଡିଶା ପର୍ଯ୍ୟଟନ ସ୍ଥଳୀରୁ ଆମାଜନ ଜଙ୍ଗଲର ଅନୁଭୂତି ସାଉଁଟିବେ ପର୍ଯ୍ୟଟକ । ଏଭଳି ଏକ ଲକ୍ଷ୍ୟନେଇ ଚଳିତ ବର୍ଷ ରାଜ୍ୟ ପର୍ଯ୍ୟଟନ ବିଭାଗ ୭ଟି ସ୍ଥାନରେ ଏକକାଳୀନ ‘ଇକୋ -ରିଟ୍ରିଟ୍‍’ କାର୍ଯ୍ୟକ୍ରମ ଆୟୋଜନ କରୁଛି । ଆଉ ମାତ୍ର ଗୋଟିଏ ଦିନ ପରେ ଆରମ୍ଭ ହେବ ଏହି ‘ଇକୋ -ରିଟ୍ରିଟ୍‍’ କାର୍ଯ୍ୟକ୍ରମ। ଚଳିତବର୍ଷ ଆକର୍ଷଣ ସାଜିବ ଭିତରକନିକା ଇକୋ ରିଟ୍ରିଟ୍‍ ସେଣ୍ଟର। ପେଣ୍ଠ ବେଳାଭୂମିରେ ଆରମ୍ଭ ହେବାକୁ ଥିବା ‘ଇକୋ-ରିଟ୍ରିଟ୍‍’ର ପ୍ରବେଶ ପଥକୁ ଆକର୍ଷଣୀୟ ଭାବେ ସଜ୍ଜାଯାଇଛି।

କୃତ୍ରିମ ଝରଣା ସହ ହରିଣ, କଇଁଛ, ମୟୂର, ଦେଶୀ ବିଦେଶୀ ପକ୍ଷୀ ଓ ବଉଳା କୁମ୍ଭୀର ଦେଖିବାକୁ ପାଇବେ ପର୍ଯ୍ୟଟକ । ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଭିତରକନିକା ଜାତୀୟ ଉଦ୍ୟାନ ସ୍ୱତନ୍ତ୍ରତା ନିଆରା । ଜୈବ ବିବିଧତାରେ ଭରପୁର ଭିତରକନିକାରେ ଏଥର ନିଆରା ପରିଭ୍ରମଣ ଓ ଜଳଯାତ୍ରା କରିବାର ନିଆରା ମଜ୍ଜା ଉଠାଇହେବ । ଚଳିତ ଥର ଇକୋ ରିଟ୍ରିଟ୍‌ ପର୍ଯ୍ୟଟକଙ୍କ ପାଇଁ ୨୫ଟି ବିଳାସପୂର୍ଣ୍ଣ କଟେଜ୍‍ ସହିତ ଷ୍ଟାର ହୋଟେଲ ମଧ୍ୟ ରହିଛି । ଏସବୁ ସ୍ଥାନରେ ରାତିରେ ବିଳାସପୂର୍ଣ୍ଣ କଟେଜ୍ ରହିବା ଓ ନାଚଗୀତରେ ମଜିବା ସହ ନଦୀ କୂଳରେ ସେଲ୍‌ଫି ଉଠାଇବାର ସୁବିଧା ରହିଛି। ପର୍ଯ୍ୟଟକଙ୍କୁ ଜଳପଥ ଓ ସ୍ଥଳପଥରେ ପରିଭ୍ରମଣ କରିବାର ସୁଯୋଗ ରହିଛି ।

ସକାଳ ଜଳଖିଆରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ମେନ୍ୟୁରେ ରହିଛି ସୁସ୍ୱାଦୁ ଖାଦ୍ୟର ତାଲିକା ରହିଛି। ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତ କଟେଜ୍‍ ବୁକିଂ ହୋଇଥିବା ବେଳେ ଆଗକୁ ଆହୁରି ବଢ଼ିବାର ଆଶା ରହିଛି । ପ୍ରିମୟମ୍‍ କଟେଜ୍‍ରେ ଅଧିକ ବୁକିଂ ଆସୁଛି । ସେହିଭଳି କ୍ରୋକୋଡାଇଲ ସ୍ପଟିଂ ସହିତ ଚଢ଼େଇ ସାଜିବେ ମୁଖ୍ୟ ଆକର୍ଷଣ । ଜଙ୍ଗଲ ଭିତରେ ନ୍ୟାସନାଲ ପାର୍କର କୋର୍‍ ଏରିଆ ଭିତରକୁ ମଧ୍ୟ ପ୍ରବେଶ କରିବାର ସୁଯୋଗ ରହିଛି। ସେଠାରେ ୬ରୁ ୬.୫ କିମି ଚଲାପଥ ରହିଛି । ହେନ୍ତାଳ ବଣ, ହରିଣ, ଗୋଧି ସାଙ୍ଗକୁ ୮ପ୍ରକାର କିଙ୍ଗ୍‍ ଫିସର ଦେଖିବା ପାଇଁ ପାଉଛନ୍ତି ପର୍ଯ୍ୟଟକ। ପୃଥିବୀରେ ୩୦ ପ୍ରକାର କିଙ୍ଗଫିସର ରହିଥିବାବେଳେ ସେଥିରୁ ୧୨ଟି ଇଣ୍ଡିଆରେ ଦେଖାଯାଏ ଏବଂ ୧୨ ମଧ୍ୟରୁ ୮ଟି କିଙ୍ଗଫିସର ଭିତରକନିକାରେ ଦେଖାଯାଏ । ବେଳାଭୂମିରେ ହଟ୍‍ ଏୟାର ବେଲୁନ୍‍ ଏବଂ ଜିପ୍‍ ପାରାସେଲିଂ, ବେଳାଭୂମିରେ ବିଚ୍‍ ଭଲି ବଲ୍‍ ଓ ଏଟିଭି ବ୍ୟବସ୍ଥା କରାଯିବାକୁ ଯୋଜନା ରହିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com