ଅନ୍ୟାନ୍ୟ

ପଦ୍ମପୁରରେ ବିଜେଡି କାହିଁକି ଜିତିଲା ?

ଭୁବନେଶ୍ୱର, ୦୮/୧୨/୨୦୨୨ –  ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଲୋକପ୍ରିୟତା ପ୍ରମାଣିତ ପାଇଁ ପଦ୍ମପୁର ଉପନିର୍ବାଚନକୁ ଯେଉଁ ଅଘୋଷିତ ପରୀକ୍ଷାଗାର କରା ଯାଇଥିଲା ଶାସକ ବିଜେଡି ଏଥିରେ ଜବରଦସ୍ତ ସଫଳତା ପାଇଛି । ନିର୍ବାଚନ ପ୍ରାରମ୍ଭରେ ୨ ପ୍ରମୁଖ ଦଳ ବିଜେପି ଏବଂ ବିଜେଡି ମଧ୍ୟରେ କଡା ପ୍ରତିଦ୍ୱନ୍ଦିତା ନେଇ ଯେଉଁ ମତ ପ୍ରକାଶ ପାଇଥିଲା , ଫଳାଫଳରୁ ଏହା ଭୁଲ ପ୍ରମାଣିତ ହୋଇଛି । ବିଜୟୀ ବିଜେଡିର ନବାଗତା ବର୍ଷା ନିଜ ପ୍ରତିଦ୍ୱନ୍ଦୀ ବିଜେପିର ପୁରୁଖା ଏବଂ ତଥାକଥିତ ଟାଣୁଆ ନେତା ପ୍ରଦୀପଙ୍କୁ କାହିଁ କେତେ ପଛକୁ ଠେଲି ଫୋପାଡି ଦେଇଛନ୍ତି । ଶାସକ ବିଜେଡି ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀ ଚୟନ ଯେତିକି ଠିକ୍ ତା ସହ ତାଙ୍କର ଲୋକପ୍ରିୟତା ଅନୁରୂପ ଭାବେ ଅକ୍ଷୁଣ୍ଣ ଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି ।

ପ୍ରଚାର କାଳରେ ହାୱା ଏବଂ ପ୍ରୋପାଗଣ୍ଡା କଣ କହୁଥିଲା ନ କହୁଥିଲା – ମାତ୍ର ଭୋଟ୍ ବ୍ୟବଧାନରୁ ଲୋକେ ବିଜେପିକୁ ଶାସକ ବିଜେଡି ତୁଳନାରେ ସେପରି ଗ୍ରହଣ କରୁନଥିବା ବୁଝାପଡୁଛି । ବଡ କଥା ହେଉଛି ଫଳାଫଳ ଘୋଷଣା ହେବାର ୩ ଦିନ ପୂର୍ବରୁ ଖୋଦ୍ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଏହି ନିର୍ବାଚନରେ ସେମାନଙ୍କର ବିଜୟ ହେବା ନେଇ ମନ୍ତବ୍ୟ ଦେଇଥିଲେ । ମାତ୍ର ମାସକ ପୂର୍ବେ ଧାମନଗରରେ ପରାଜୟ ସତ୍ତ୍ୱେ ପଦ୍ମପୁରରେ ପାଲି ପଲଟିବା ନେଇ ନବୀନ ନିଜ ସରକାରଙ୍କ କାର୍ଯ୍ୟକୁ ନେଇ ଯଥେଷ୍ଟ ଆତ୍ମ ବିଶ୍ୱାସ ଥିବା ଆଭାସ ଦେଇଛି । ଧାମନଗର ବିଜୟ ପରେ ମାତ୍ରାଧିକ ଉତ୍ସାହିତ ହୋଇ ସମସ୍ତ ଶକ୍ତି ଲଗାଇଥିବା ବିଜେପି ନିଜ ପରାଜୟ ନେଇ କାରଣ ଖୋଜି ପାଉନି । ତେବେ ଓଡିଶାବାସୀ ତଥାପି ବିଜେପିକୁ ବିଜେଡିର ପୂର୍ଣ୍ଣ ବିକଳ୍ପ ଭାବେ ଗ୍ରହଣ କରି ନ ଥିବା ଦଳର ବରିଷ୍ଠ ନେତାଙ୍କ ଆଭ୍ୟନ୍ତରୀଣ ମାନସମନ୍ଥନ ବୈଠକରେ ମତ ପ୍ରକାଶ ପାଇଛି ।

ସେପଟେ ମାସକ ମଧ୍ୟରେ ବିଜେଡିର ସଫଳ ପ୍ରତ୍ୟାବର୍ତ୍ତନ ନେଇ ରାଜନୈତିକ ବିଷାରଦ ପ୍ରକୃତ ଟର୍ଣ୍ଣିଂ ପଏଣ୍ଟଉପରେ ଆଲୋକପାତ କରିଛନ୍ତି । ଅଧିକାଂଶଙ୍କ ମତରେ ପ୍ରାର୍ଥୀ ଚୟନକୁ ନେଇ ବିଜେଡି ଆରମ୍ଭରୁ ଯେଉଁ ସମସ୍ୟାରେ ପଡିଥିଲା ଅତି ଚତୁରତାର ସହ ଦିବଂଗତ ବିଧାୟକଙ୍କ ବିବାହିତା ଝିଅ ବର୍ଷାଙ୍କୁ ଭରଷା କରିବା ହେଉଛି ପ୍ରଥମ ଟର୍ଣ୍ଣିଂ ପଏଣ୍ଟ । ଏକାଧିକ ଆଶାୟୀଙ୍କ ମଧ୍ୟରେ ଦିବଂଗତ ବିଧାୟକଙ୍କ ବିଧବା ପତ୍ନୀ ଏବଂ ପୁତୁରାବୋହୂ କାହାକୁ ପ୍ରାର୍ଥୀ କରାଯିବ ଦଳ ଚିନ୍ତାରେ ପଡିଥିଲା । ବିରୋଧୀ ବିଜେପି ଏଥିରୁ ଫାଇଦା ଉଠାଇ ଆଗୁଆ କେବଳ ପ୍ରଦୀପ ପୁରୋହିତ ପ୍ରାର୍ଥୀ ବୋଲି ଘୋଷଣା କରିଥିଲା । ସାଧାରଣରେ ମଧ୍ୟ ଏକ ଧାରଣା ଉପୁଜିଥିଲା ଯେ, ଧାମନଗର ଭଳି ପଦ୍ମପୁରରେ ବିଜେଡି ପ୍ରାର୍ଥୀତ୍ୱକୁ ନେଇ ଆଭ୍ୟନ୍ତରୀଣ ବିବାଦ ମଧ୍ୟରେ ଛନ୍ଦି ହୋଇଛି । ମୂଳରୁ ନାମ ନ ଥିବା ଉଚ୍ଚ ଶିକ୍ଷିତା ବର୍ଷାଙ୍କୁ କବାଟ କଣରୁ ଟାଣି ଆଣି ବିଜେଡି ଯେଭଳି ପ୍ରାର୍ଥୀ କଲା ବିରୋଧୀ ଦଳ ମାନେ ଚମକି ଉଠିଥିଲେ । ବର୍ଷା ମଧ୍ୟ ତାଙ୍କ ପ୍ରଚାର କାଳରେ କାନି ପତେଇ ଯେଭଳି କାନ୍ଦି ଭୋଟ୍ ଭିକ୍ଷା କଲେ ଏହା ଲୋକଙ୍କ ମନରେ ତାଙ୍କ ପ୍ରତି ଏକ ଭିନ୍ନ ସହାନୁଭୂତି ସୃଷ୍ଟି କରାଇଲା ।

ସେପଟେ ବିଜେପିର ପ୍ରଦୀପ ଶ୍ରେଷ୍ଠ ପ୍ରାର୍ଥୀ ବୋଲି ଦଳ ଯେଉଁ ହାୱା ସୃଷ୍ଟି କରୁଥିଲା ତାହା ପାଣିଚିଆ ହୋଇଗଲା । ବିଜେଡି ପ୍ରାର୍ଥୀ ଚୟନରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାରେ ସକ୍ଷମ ହେଲା । ଦ୍ୱତୀୟ ବଡ ଟର୍ଣ୍ଣିଂ ପଏଣ୍ଟ ହେଲା ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ । ବିଗତ ୧୪ ରୁ ୧୫ ଦିନ ହେଲା ଚାଷୀ ଶଷ୍ୟ ବୀମା ସୁବିଧା ନ ପାଇବା , ପଦ୍ମପୁରକୁ ଜିଲ୍ଲା ଘୋଷଣା ଆଦିକୁ ନେଇ ବିରୋଧୀ ବିଜେପି ଏବଂ କଂଗ୍ରେସ ଯେଉଁ ପ୍ରଶ୍ନ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ତାଙ୍କର ମାତ୍ର ୪ରୁ୫ ଘଣ୍ଟା ରହଣୀ ମଧ୍ୟରେ ପ୍ରତିଶ୍ରୁତି ଜରିଆରେ ସବୁ ପ୍ରଶ୍ନର ଉତ୍ତର ଦେଇଦେଲେ । ଏହା ଲୋକଙ୍କୁ ଆକର୍ଷିତ କରିଥିଲା । ଏହାଦ୍ୱାରା ସିଧାସଳଖ ବିଜେଡି ସପକ୍ଷରେ ଏକ ଅନ୍ତସ୍ରୋତ ପ୍ରବାହିତ ହେଲା । ଆଉ ଫଳାଫଳ ଘୋଷଣାରୁ ଏହା ସ୍ପଷ୍ଟ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com