ଅନ୍ୟାନ୍ୟ

ରାଜ୍ୟରେ ପ୍ରତିଷ୍ଠା ହେବ ନୂଆ ୫୫ଟି ଟ୍ରମା କେୟାର ସେଣ୍ଟର

ଭୁବନେଶ୍ୱର, ୨୪/୧୨/୨୦୨୨-    କମିବ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ବଢୁଥିବା ସଡ଼କ ଦୁର୍ଘଟଣାକୁ ଆଖିରେ ରଖି ରାଜ୍ୟ ସରକାର ଆଉ ୫୫ଟି ନୂଆ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା କରିବେ । ଏଥିରେ ଆହତଙ୍କୁ ତୁରନ୍ତ ନିଃଶୁଳ୍କ ଚିକିତ୍ସା ଯୋଗାଇ ଦିଆଯିବ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରାଜ୍ୟ ଦେଇ ଯାଇଥିବା ୨୫ଟି ଜାତୀୟ ରାଜପଥର ପ୍ରତି ୫୦ କିମି ଅନ୍ତରରେ ଟ୍ରମା କେୟାର ସୁବିଧା ଉପଲବ୍ଧ ପାଇଁ ଲକ୍ଷ୍ୟ ରଖାଯାଇଛି । ନୂଆ ଟ୍ରମା କେୟାର ସେଣ୍ଟର ମଧ୍ୟରୁ ଦୁଇଟି ଲେଖାଏଁ ଲେବୁଲ୍‍-୧ ଓ ଲେବୁଲ୍‍-୨ ସେଣ୍ଟର ଥିବା ବେଳେ ଅନ୍ୟ ଗୁଡିକ ଲେବୁଲ୍‍-୩ ବର୍ଗର ରହିବ। ଜାତୀୟ ରାଜପଥରେ ସର୍ବାଧିକ ଗୁରୁତର ସଡ଼କ ଦୁର୍ଘଟଣା ଘଟୁଥିବା ଦୃଷ୍ଟିରୁ ଏହି ରାସ୍ତା ନିକଟରେ ଟ୍ରମା କେୟାର ସୁବିଧା ଉପଲବ୍ଧ କରାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଦୁର୍ଘଟଣାରେ ଆହତଙ୍କ ଆଶୁ ଚିକିତ୍ସା ପାଇଁ ରାଜ୍ୟ ସରକାର ଏବେ ୧୮ଟି କର୍ପୋରେଟ୍‍ ହସ୍ପିଟାଲ ସହିତ ଚୁକ୍ତିବଦ୍ଧ ଅଛନ୍ତି ।

ସୁପ୍ରିମ୍‍ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟିଙ୍କ ସୁପାରିସ ଅନୁସାରେ ଅଧିକ ସଂଖ୍ୟକ ଟ୍ରମା କେୟାର ବ୍ୟବସ୍ଥା କରାଯାଉଛି । ତେବେ ପ୍ରତିଷ୍ଠା ହେବାକୁ ଥିବା ସ୍ଥାନ ଗୁଡ଼ିକ ମଧ୍ୟରେ ଘଟଗାଁ, ବାଲୁଗାଁ, ଭୁବନ, କାମାକ୍ଷାନଗର, ତାଳଚେର, ମୋହନା, ବଡ଼ଚଣା, ପାଲଲହଡ଼ା, ଛେଣ୍ଡିପଦା, ଚମ୍ପୁଆ, ଆନନ୍ଦପୁର, ଲଖନପୁର, ଆରକେ ନଗର, ପଦମପୁର, ଟିଟିଲାଗଡ଼, ସୋରୋ, ପୁରୁଣାକଟକ, ଆର ଉଦୟଗିରି, ଆସ୍କା, କଲିକୋଟ୍‍, ଭଞ୍ଜନଗର, ଦଶପଲ୍ଲା, କରଞ୍ଜିଆ, ବେତନଟି, ଖରିଆର ବାରକୋଟ୍‍, ବ୍ରଜରାଜନଗର, କୋଲାବିରା, କେସିଙ୍ଗା, କୋକସରା, ଧର୍ମଗଡ଼, ତୁମୁଡିବନ୍ଧ, ଟିକାବାଲି, ବଅଁରପାଳ, ଖମାର, କୋମନା,  ଚନ୍ଦପୁର,  ବୋଲଗଡ଼, କୁନ୍ଦୁଲି, କୋଟପାଡ, କାଲିମେଳା, କୁଚିଣ୍ଡା, ଦାରିଙ୍ଗିବାଡ଼ି, ଲକ୍ଷ୍ମୀପୁର, ବାଙ୍ଗିରିପୋଷି, ମାଥିଲି, ଡୁଙ୍ଗୁରିପାଲି କୋଇଡ଼ା ଯଶିପୁର, ପିପିଲି, ଫସିମାଲ, ଲହୁଣିପଡ଼ା, କୁତ୍ରା, ନାକଟିଦେଉଳ ଆଦି ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com