ବାଣିଜ୍ୟ

ଭୁବନେଶ୍ୱରରେ ରାତ୍ରି ବଜାରର ଆୟୋଜନ

ଭୁବନେଶ୍ୱର, ୧୬/୦୧/୨୦୨୩ –   ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ-BDA, ଭୁବନେଶ୍ୱର ମହାନଗର ନିଗମ-BMC ପକ୍ଷରୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ଭୁବନେଶ୍ୱର ଏକାମ୍ର ହାଟରେ  ଆୟୋଜନ କରାଯାଇଛି ରାତ୍ରି ବଜାର । ଏଥିପାଇଁ ଏକାମ୍ର ହାଟକୁ ସାଜସଜ୍ଜା କରି BDA ପକ୍ଷରୁ ନୂଆ ରୂପ ଦିଆଯାଇଛି । ଏକାମ୍ର ହାଟକୁ ସୁସଜ୍ଜିତ ଆଲୋକମାଳାରେ ସଜାଯାଇ ଆକର୍ଷଣୀୟ କରାଯାଇଛି । ଏହି ରାତ୍ରି ବଜାର ସର୍ବସାଧାରଣଙ୍କ ପାଇଁ ଅପରାହ୍ଣ ୪ଟାରୁ ରାତି ୧୨ଟା ଯାଏଁ ଖୋଲା ରହିବ ।

୧୫ ଦିନ ଧରି ଏହି ବଜାର ପର୍ଯ୍ୟଟକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ । ହାଟ ବାହାରେ ୩୩ଟି ଷ୍ଟଲରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଉତ୍କଳିକା ମାଧ୍ୟମରେ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ପସରା ଖୋଲାଯାଇଛି । ଏହାସହିତ ଏକାମ୍ର ହାଟର ପାର୍କିଂସ୍ଥାନରେ ୪୦ଟି ସ୍ୱତନ୍ତ୍ର ଷ୍ଟଲ୍‌‌ କରାଯାଇ ଫ୍ଲି ମାର୍କେଟର ଆୟୋଜନ କରାଯାଇଛି । ଷ୍ଟାର୍ଟ ଅପ୍‌‌, କ୍ରାଫ୍ଟ୍‌‌ ସାମଗ୍ରୀ ଆଦି ପ୍ରଦର୍ଶନୀର ବ୍ୟବସ୍ଥା କରାଯାଇଛି । ଏହି ଷ୍ଟଲ ନିକଟରେ ଏକ ସ୍ୱତନ୍ତ୍ର ଗେଟ୍‌‌ କରାଯାଇଛି । ହାଟରେ ଦେଶ ଓ ବିଦେଶର ଖାଦ୍ୟ ସହ ସ୍ଥାନୀୟ ପାରମ୍ପରିକ ଖାଦ୍ୟର ମଜା ନେଉଛନ୍ତି ପର୍ଯ୍ୟଟକ । ତା’ସାଙ୍ଗକୁ ୨ଟି ମଞ୍ଚରେ ମନୋରଞ୍ଜନର ଆସର ମଧ୍ୟ ଜମୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com