ଡଟ୍ ଫେଷ୍ଟ୍ର ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କ ପାଇଁ ଏଣ୍ଟ୍ରି ମାଗଣା
![](https://i0.wp.com/odia.mobilenews24x7.com/wp-content/uploads/2023/01/FEST-2-e1674039141770.jpg?resize=780%2C470&ssl=1)
ଭୁବନେଶ୍ୱର, ୧୮/୦୧/୨୦୨୩ – ଡଟ୍ ଫେଷ୍ଟ୍ର ଚତୁର୍ଥ ସନ୍ଧ୍ୟାରେ ବୁଧବାର ସମସ୍ତ ଓଡ଼ିଆ କଳାକାର ସଙ୍ଗୀତ ପରିବେଷଣ କରିବେ। ଏହାର ବିଷୟବସ୍ତୁ ଚକ୍ ଦେ ଓଡ଼ିଶା’ ରଖାଯାଇଛି । ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପରିଚୟ ହାସଲ କରିଥିବା ଓଡ଼ିଶାର ସ୍ନିତି ମିଶ୍ର, ଲିସା ମିଶ୍ର, ରୁତୁରାଜ ମହାନ୍ତି ଓ ଓଡ଼ିଆ ରାପର୍ ସମିର୍ ରିଶୁ ମହାନ୍ତି ପ୍ରମୁଖ ଆଜି ସନ୍ଧ୍ୟାରେ ସଙ୍ଗୀତ ପରିବେଷଣ କରିବେ ।
ସ୍ଥାନୀୟ ଲୋକମାନେ ନିଜ ପସନ୍ଦର ଓଡିଆ କଳାକାରମାନଙ୍କ ପ୍ରଦର୍ଶନକୁ ବେଶ ଉପଭୋଗ କରିବେ ବୋଲି BDA ଆଶା ରଖିଛି । ଅନ୍ୟପଟେ ବୁଧବାର ଓ ଗୁରୁବାର ସମସ୍ତ ଦର୍ଶକଙ୍କ ପାଇଁ ଏଣ୍ଟ୍ରି ମାଗଣା ରହିଛି। ଏହି ଦୁଇ ଦିନ ସମସ୍ତ ଦର୍ଶକ ସିଲ୍ଭର, ଗୋଲ୍ଡ ଓ ପ୍ଲାଟିନମ୍ ଶ୍ରେଣୀର ଟିକଟରେ ଯାଇ କାର୍ଯ୍ୟକ୍ରମ ଦେଖିପାରିବେ ବୋଲି ଡଟ୍ ଫେଷ୍ଟ କର୍ତ୍ତୃପକ୍ଷ କହିଛନ୍ତି ।
ଗତକାଲି ଡଟ୍ଫେଷ୍ଟ୍ ତୃତୀୟ ସନ୍ଧ୍ୟାରେ ଦର୍ଶକ ବେଶ ଝୁମିଛନ୍ତି । ଆରମ୍ଭରୁ ଧୁମ୍ ମଚାଇଥିଲେ ବଲିଉଡ୍ କଣ୍ଠଶିଳ୍ପୀ ନୀତି ମୋହନ ଏବଂ ଦିବ୍ୟ କୁମାର । ନୀତି ରଙ୍ଗବତୀ ଗୀତ ଗାଇ ଲୋକଙ୍କୁ ନଚାଇଲେ ଆଉ ନିଜେ ବି ନାଚିଲେ। ବ୍ରହ୍ମପୁରରୁ ଭୁବନେଶ୍ୱର ଆସିବା ୩ଘଣ୍ଟା ମଧ୍ୟରେ ରଙ୍ଗବତୀ ଗୀତ ଶିଖି ମଞ୍ଚରେ ରାଜଧାନୀବାସୀଙ୍କୁ ବିମୋହିତ କରିଥିଲେ।
ଓଡ଼ିଆ ଗୀତରୁ ଆରମ୍ଭ ହୋଇଥିଲା କାଲିର ସାଂସ୍କୃତିକ ସନ୍ଧ୍ୟା । ପ୍ରଜ୍ଞା ହୋତା ଅନେକ ମନଛୁଆଁ ଗୀତ ଗାଇଥିଲେ । ବିଶେଷକରି ‘ଗୁଆ ଘିଅ’ ଗୀତରେ ଦର୍ଶକ ନାଚିଥିଲେ । ଏହା ପରେ ଲଚକ୍ମଣୀ, ଓ ବେବି, ସୁନୟନା ତୋ ପାଇଁ ମୋ ଦିଲ୍ ଆସିକାନା ପ୍ରଭୃତି ଚର୍ଚ୍ଚିତ ଗାଇ ସେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ।