ବିଜ୍ଞାନ ଓ ପ୍ରଯୁକ୍ତି

ଦଶମ ଶ୍ରେଣୀ ସମ୍ମେଟିଭ୍‌‌ ଆସେସ୍‌‌ମେଣ୍ଟ -୧ ପରୀକ୍ଷା ଫଳ ପ୍ରକାଶିତ

କଟକ, ୧୯/୦୧/୨୦୨୩ –    ଦଶମ ଶ୍ରେଣୀ ସମ୍ମେଟିଭ୍‌‌ ଆସେସ୍‌‌ମେଣ୍ଟ -୧ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ପରୀକ୍ଷାର୍ଥୀମାନେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ୱେବ୍‌‌ସାଇଟ୍‌‌ରୁ ଫଳାଫଳ ପାଇ ପାରିବେ । ସ୍କୁଲର ପ୍ରଧାନ ଶିକ୍ଷକମାନେ ମଧ୍ୟ ସ୍କୁଲ କୋଡ୍‌‌ ଏବଂ ପାସ୍‌‌ୱାର୍ଡ ଦ୍ୱାରା ବୋର୍ଡ ୱେବ୍‌‌ସାଇଟ୍‌‌ରୁ ଟାବୁଲେସନ ରେଜିଷ୍ଟର ପାଇପାରିବେ । ଯଦି କୌଣସି ପରୀକ୍ଷାର୍ଥୀ ପରୀକ୍ଷା ଖାତାର ପୁନଃ ଯାଞ୍ଚ କରିବାକୁ ଚାହୁଁଥିବେ ତାହେଲେ ସେମାନେ ଅନ୍‌‌ଲାଇନ୍‌‌ ମାଧ୍ୟମରେ ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଚଳିତବର୍ଷ ୫ ଲକ୍ଷ ୩୨ ହଜାର ୭୪୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ । ତନ୍ମଧ୍ୟରୁ ୨ ଲକ୍ଷ ୬୫ ହଜାର ୬୩୨ଜଣ ଛାତ୍ର ଥିବାବେଳେ ୨ଲକ୍ଷ ୬୭ ହଜାର ୧୧୪ ଜଣ ଛାତ୍ରୀ ରହିଥିଲେ । କିନ୍ତୁ ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩ ହଜାର ୫୮ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିବା ଜଣାପଡ଼ିଛି । ସେହିଭଳି କପି କରି ୧୪୩ ଜଣ ଧରା ପଡ଼ିଛନ୍ତି ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପକ୍ଷରେ ସଂସ୍କୃତ ମଧ୍ୟମାର ସମ୍ମେଟିଭ୍‌‌ – ୧ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ୩ ହଜାର ୬୨୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବା ବେଳେ ସେଥିମଧ୍ୟରୁ ୫୮୩ ଜଣ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି । ଛାତ୍ରଛାତ୍ରୀଙ୍କ ମାର୍କ ବୋର୍ଡ ୱେବ୍‌‌ସାଇଟ୍‌‌ରେ ଅପ୍‌‌ଲୋଡ୍‌‌ କରାଯାଇଛି । ଜୋନ୍‌‌ କାର୍ଯ୍ୟାଳୟଗୁଡ଼ିକରେ ଆସନ୍ତା ୨୦ ତାରିଖରୁ ଟାବୁଲେସନ ରେଜିଷ୍ଟର ମିଳିବ । ସେହିଭଳି ରାଜ୍ୟ ମୁକ୍ତ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଦେବାକୁ ୭୧୭୯ ଜଣ ଫର୍ମପୂରଣ କରିଥିଲେ । ତନ୍ମଧ୍ୟରୁ ୫ ହଜାର ୧୫୭ଜଣ କୃତକାର୍ଯ୍ୟ ହୋଇଛନ୍ତି । ୬୦ଜଣ କପି କରି ଧରାପଡ଼ିଛନ୍ତି । ୧ ହଜାର ୪୭୧ ଜଣ ଫେଲ୍‌‌ ହୋଇଥିବା ବେଳେ ୪୪୪ଜଣ ପରୀକ୍ଷା ଦେଇନାହାନ୍ତି ।

ଆସନ୍ତା ମାର୍ଚ୍ଚ ୧୦ରୁ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ୩୦୨୯ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ବୋର୍ଡ ଦ୍ୱାରା କରାଯାଇଛି । ଏହି ପରୀକ୍ଷା ଶେଷ ହେବା ପରେ ସମ୍ମେଟିଭ-୧ ପରୀକ୍ଷାର ୪୦ ପ୍ରତିଶତ ମାର୍କ, ସମ୍ମେଟିଭ୍‌‌-୨ରେ ୪୦ ପ୍ରତିଶତ ଓ ଫର୍ମେଟିଭ ଆସେସ୍‌‌ମେଣ୍ଟର ୨୦ ପ୍ରତିଶତ ମାର୍କକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଯେଉଁମାନେ SA-୧ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବେ ସେମାନେ SA-୨ ପରୀକ୍ଷା ନିମନ୍ତେ ଫର୍ମପୂରଣ କରିବେ । କିନ୍ତୁ SA-୧ ପରୀକ୍ଷାରେ କପି କରି ଧରା ପଡ଼ିଥିବା ପରୀକ୍ଷାର୍ଥୀ SA-୨ ପରୀକ୍ଷା ଦେଇ ପାରିବେ ନାହିଁ ବୋଲି ବୋର୍ଡ ଉପ ସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com