ଅନ୍ୟାନ୍ୟ

ଓଡ଼ିଶାରେ ଖୋଲିବ NIAର ଶାଖା

ଭୁବନେଶ୍ୱର, ୦୭.୦୨.୨୦୨୩-   ମାଓ ମୁକାବିଲା, ଆତଙ୍କୀ ଏବଂ ବେଆଇନ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ଓଡ଼ିଶାରେ ଖୋଲିବ ଜାତୀୟ ଗୁଇନ୍ଦା ସଂସ୍ଥା-NIAର ଶାଖା । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ପ୍ରସ୍ତୁତି ଆରମ୍ଭ ହୋଇଛି । ନିକଟରେ NIAର ଏକ ଟିମ୍‌‌ ଭୁବନେଶ୍ୱର ଗସ୍ତରେ ଆସି ରାଜ୍ୟର ଗୃହ ବିଭାଗ ସହ ଆଲୋଚନା କରିଛନ୍ତି ।

ଓଡ଼ିଶା ସମେତ ଆଖପାଖ ରାଜ୍ୟ ଏହି ଶାଖାର ପରିସୀମା ମଧ୍ୟରେ ରହିବ । ନୂଆ ଶାଖା ଖୋଲିବା ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ଯୋଗାଇ ଦେବେ । ବିଭିନ୍ନ ଦୃଷ୍ଟିକୋଣରୁ ଓଡ଼ିଶାରେ NIAର ଶାଖା ଖୋଲିବାର ଯଥେଷ୍ଟ ଆବଶ୍ୟକତା ରହିଛି । ଏପରିସ୍ଥଳେ ରାଜ୍ୟ ସରକାରଙ୍କ ସହ ଖୁବଶୀଘ୍ର ଆଉ ଏକ ବୈଠକ ବସିବାକୁ ଯାଉଥିବା ଜଣାପଡ଼ିଛି ।

ବିଭିନ୍ନ ରାଜ୍ୟରେ ମାଓବାଦୀଙ୍କୁ ସକ୍ରିୟ କରିବା ଲାଗି ଆତଙ୍କବାଦୀ ସଂଗଠନ ଲକ୍ଷ୍ୟ ରଖିଛନ୍ତି । ଦେଶରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୃଷ୍ଟି କରିବା ଲାଗି ଆତଙ୍କବାଦୀ ଯୋଜନା କରୁଛନ୍ତି ବୋଲି NIAର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏଣୁ ଓଡ଼ିଶାରେ ମାଓ ସଂଗଠନକୁ ସକ୍ରିୟ କରିବା ଲାଗି ଆତଙ୍କୀ ସଂଗଠନ ଆବଶ୍ୟକ ପାଣ୍ଠି ଯୋଗାଉଥିବା ଜଣାପଡ଼ିଛି ।

ଏହା ଉପରେ ଅଧିକ ତଦନ୍ତ କରିବା ଲାଗି NIA ଟିମ୍‌‌ ଓଡ଼ିଶାକୁ ଘନ ଘନ ଆସୁଛନ୍ତି । କୋଲକତାରେ ଏହି ଶାଖା ରହିଥିବାରୁ ଓଡ଼ିଶାକୁ ଆସି ତଦନ୍ତ କରିବାରେ ସମସ୍ୟା ଦେଖା ଦେଉଛି । ଏଣୁ ଭୁବନେଶ୍ୱରରେ NIA ଶାଖା ଖୋଲିବା ପାଇଁ ଯୋଜନା ହୋଇଛି । ଉକ୍ତ ଶାଖାରେ DSP ପାହ୍ୟାର ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com