ଅନ୍ୟାନ୍ୟ

ଆଜି ଭାରତ-ପାକ୍ ଲଢ଼େଇ

ଦୁବାଇ ; ୪ ।୯ ସୁପର ସଣ୍ଡେ’ରେ ହେବ ‘ସୁପର-୪’ ଟକ୍କର । ଚଳିତ ଏସିଆ କପ୍‌ରେ ଦ୍ବିତୀୟ ଥର ପାଇଁ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ । ଯାହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମନରେ ପ୍ରବଳ ଉତ୍ସାହ । ଗତ ୨୮ ତାରିଖରେ ହୋଇଥିବା ପ୍ରଥମ ମୁକାବିଲାରେ ଭାରତ ୫ ୱିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା । ଏଣୁ ରବିବାର ପାକିସ୍ତାନ ପାଖରେ ଏହି ପରାଜୟର ମଧୁର ପ୍ରତିଶୋଧ ନେବାର ସୁଯୋଗ ରହିବ। ଅନ୍ୟପକ୍ଷରେ ଭାରତ ନିଜ ପାରମ୍ପରିକ ପ୍ରତିପକ୍ଷ ବିପକ୍ଷରେ ଲଗାତାର ବିଜୟ ହାସଲ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ।  ସୁପର-୪ ମୁକାବିଲାକୁ ଯିଏ ଜିତିବ ସିଏ କିନ୍ତୁ ଆଗୁଆ ଫାଇନାଲ୍ ଖେଳିବାର ନିକଟତର ହେବ । ୬ ଦଳୀୟ ଏସିଆ କପ୍‌ରେ ପାୱାର ପ୍ଲେ’ରୁ ଫାଇଦା ଉଠାଇ ନପାରିବା ଭାରତ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଶେଷ ଓଭରଗୁଡ଼ିକରେ ଆୱେଶ ଖାନ୍ ମାତ୍ରାଧିକ ରନ୍ ବ୍ୟୟ କରିବା ମଧ୍ୟ ଅଧିନାୟକ ରୋହିତ ଶର୍ମାଙ୍କ ଚିନ୍ତାକୁ ବଢ଼ାଇଛି । ସେଥିପାଇଁ ହଂକଂ ବିପକ୍ଷରେ ୧୫୫ ରନ୍‌ର ବୃହତ୍ ବିଜୟ ହାସଲ କରି ଏହି ମ୍ୟାଚ୍‌ ଖେଳିବାକୁ ଯାଉଥିବା ପାକିସ୍ତାନର ଶକ୍ତିଶାଳୀ ବ୍ୟାଟିଂ ବାହିନୀକୁ ‌ରୋକିବା ଲାଗି ଭାରତ ନିଶ୍ଚିତ ଭାବେ ନୂଆ ରଣନୀତି ଏବଂ ଯୋଜନା ପ୍ରସ୍ତୁତ କରିଥିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି । ରବୀନ୍ଦ୍ର ଜାଡେଜା ବାଦ୍ ପଡ଼ିବା ବି ଟିମ୍ ଇଣ୍ଡିଆ ପାଇଁ ଆଉ ଏକ ଶକ୍ତ ଧକ୍କା ହୋଇଛି । କାରଣ ପାକିସ୍ତାନ ବିପକ୍ଷ ଲିଗ୍ ପର୍ଯ୍ୟାୟ ବିଜୟରେ ଅନ୍ୟତମ ପ୍ରମୁଖ ଭୂମିକା ତୁଲାଇଥିଲେ । ତାଙ୍କ ସ୍ଥାନ ନେଇଥିବା ଅକ୍ଷର ପଟେଲଙ୍କ ପାଇଁ ସିଧାସଳଖ ପାକିସ୍ତାନ ବିପକ୍ଷ ହାଇଭୋଲ୍‌ଟେଜ୍ ମ୍ୟାଚ୍ ଖେଳିବା ଆଦୌ ସହଜ ହେବନି। ବାମ-ଡାହାଣ ବ୍ୟାଟିଂ ସମନ୍ବୟ ଲାଗି ରୋହିତ ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଅଲ୍‌ରାଉଣ୍ଡର ଜାଡେଜାଙ୍କୁ ଉପରେ ଖେଳାଇଥିଲେ। ଏହି ରଣନୀତି ମଧ୍ୟ ବେଶ୍ ଫଳପ୍ରଦ ‌ହୋଇଥିଲା। ଗତ ମ୍ୟାଚ୍ ଭଳି ଅନ୍ୟତମ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ଭୂମିକା ମଧ୍ୟ ରବିବାର ମ୍ୟାଚ୍‌ରେ ବେଶ୍ ଗୁରୁତ୍ବ ବହନ କରିବ। ପୂର୍ବତନ ଅଧିନାୟକ ବିରାଟ କୋହଲି ଫର୍ମକୁ ଫେରିବା ଦଳ ପାଇଁ ଶୁଭସଙ୍କେତ। ହେଲେ ଅଧିନାୟକ ରୋହିତ ଶର୍ମା ଏବଂ ଓପନର କେଏଲ୍ ରାହୁଲଙ୍କୁ ବଡ଼ ପାଳି ଖେଳି ପାକିସ୍ତାନ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com