ଅନ୍ୟାନ୍ୟ

BMCର ମାଇକ୍ରୋ କମ୍ପୋଷ୍ଟି ସେଣ୍ଟର ପାଇଁ ଅନଶନରେ ବସିବେ ଲୋକେ

  ଭୁବନେଶ୍ୱର, ୧୬/୦୨/୨୦୨୩ –     ହନ୍ତସନ୍ତ କରୁଛି ଭରତପୁର ନିକଟସ୍ଥ G.A କଲୋନିରେ BMC ର ମାଇକ୍ରୋ କମ୍ପୋଷ୍ଟି ସେଣ୍ଟର । ଏହି ପ୍ଲାଣ୍ଟରୁ ବାହାରୁଥିବା ଦୁର୍ଗନ୍ଧ ଯୋଗୁଁ ଲୋକମାନେ ଦିନ ରାତି ଝରକା କବାଟ କିଳି ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଏଭଳି ସ୍ଥିତିରେ ସ୍ୱରେଜ ବ୍ୟବସ୍ଥା ନଥିବା କାରଣରୁ ଲୋକଙ୍କ ଦୁଃଖ ଦ୍ବିଗୁଣିତ ହୋଇଯାଇଛି । ଏଭଳି ଦୁଃଖରେ ଅତିଷ୍ଠ ହୋଇ ଶେଷରେ ଏଠାକାର ଲୋକମାନେ ଏବେ ମୁହଁ ଖୋଲିଛନ୍ତି ।

ସରକାରଙ୍କ ପକ୍ଷରୁ ଏଠାରେ ଯେତେବେଳେ କମ୍ପୋଷ୍ଟି ପ୍ଲାଣ୍ଟ କରାଗଲା ସେତେବେଳେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରାଯାଇ ନଥିଲା । କରୋନା କାରଣରୁ ସ୍ଥାନୀୟ ଲୋକମାନେ ମଧ୍ୟ ଏକାଠି ହୋଇ ପାରି ନଥିଲେ କିମ୍ବା ଏହି ପ୍ରକଳ୍ପ ବିଷୟରେ କିଛି ଜାଣି ପାରି ନଥିଲେ । କରୋନାର ପ୍ରକୋପ ଯେତିକି କମି ଆସିଲା ସେହି ଅନୁସାରେ ଏହି ପ୍ଲାଣ୍ଟର କାର୍ଯ୍ୟକଳାପ ସେତିକି ବଢ଼ିଲା । ଏପରିକି ଆଖପାଖ ଚାରୋଟି ୱାର୍ଡରୁ ବାହାରୁଥୁବା ଅଳିଆ, ଆବର୍ଜନାକୁ ଏଠାକୁ ଅଣାଯାଇ ଗଦା କରାଯିବାରୁ ଏଥୁରୁ ଅଧିକରୁ ଅଧିକ ଦୁର୍ଗନ୍ଧ ବାହାରିଲା । ଏହି ଦୁର୍ଗନ୍ଧର ମାତ୍ରା ଏଭଳି ବଢ଼ିଲା ଯେ, ସ୍ଥାନୀୟ ଲୋକମାନଙ୍କର ଖାଇବା, ରହିବା, ଶୋଇବା ମଧ୍ୟ ମୁସ୍କିଲ ହୋଇପଡ଼ିଛି ।

ମଶା ମାଛିଙ୍କ ଉପଦ୍ରବ ସାଙ୍ଗକୁ ରାସ୍ତା ଘାଟରେ ଗଦା ହୋଇ ରହୁଥିବା ଅଳିଆ ଆବର୍ଜନା ଏଠାକାର ପରିବେଶକୁ ଆହୁରି ସଙ୍ଗିନ କରି ପକାଇଛି । ସରକାରୀ ଅଧିକାରୀଙ୍କୁ ଦୁଃଖ ଜଣାଇ ମଧ୍ୟ କିଛି ସୁଫଳ ନମିଳିବାରୁ ବରିଷ୍ଠ ନାଗରିକମାନେ ଅନଶନରେ ବସିବା ପାଇଁ ସ୍ଥିର କରିଛନ୍ତି । ତେଣୁ ଆସନ୍ତା ମାସକ ମଧ୍ୟରେ ଯଦି ସରକାର ଏହାର କୌଣସି ପ୍ରତିକାର ନକରନ୍ତି କିମ୍ବା ଏହି ଅଞ୍ଚଳରୁ ମାଇକ୍ରୋ କମ୍ପୋଟିଂ ସେଣ୍ଟର ଅନ୍ୟତ୍ର ନହଟାନ୍ତି, ତେବେ ବରିଷ୍ଠ ନାଗରିକମାନେ ବାଧ୍ୟ ହୋଇ ବିଧାନସଭା ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଶୁଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com