ଓଡ଼ିଶା

ରାଜ୍ୟରେ ଜୁନ ୧୦ ପର୍ଯ୍ୟନ୍ତ ଚାଲିବ କଲରାପତରିଆ ବାଘ ଗଣନା : ମେ’ ୨୨ରୁ ୨୪ ଯାଏ ହାତୀ ଗଣନା

ଓଡ଼ିଶାରେ କେତେ ସଂଖ୍ୟକ ହାତୀ ଓ କଲରାପତରିଆ ବାଘ ରହିଛନ୍ତି ତାହାର ଗଣନା କରାଯିବ । ଏକା ସମୟରେ ଉଭୟ ହାତୀ ଓ କଲରାପତରିଆଙ୍କ ଗଣନା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଟ୍ରାପ୍‌ କ୍ୟାମେରା ପଦ୍ଧତିରେ କଲରାପତରିଆ ଗଣନା କରାଯିବାକୁ ଥିବା ବେଳେ ହାତୀ ଗଣନା ମାନୁଆଲ ଭାବେ ହେବ । ମେ’ ୧ରୁ ଆରମ୍ଭ ହୋଇଥିବା କଲରାପତରିଆ ବାଘ ଗଣନା ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ହାତୀ ଗଣନା ଗୋଟିଏ ସମୟରେ ମେ’ ୨୨ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ତଥ୍ୟ ସଂଗ୍ରହ ପରେ ରେଞ୍ଜ୍‌, ଡିଭିଜନ୍‌, ସର୍କଲ ସ୍ତରରେ ସମୀକ୍ଷା କରାଯାଇ ମୁଖ୍ୟାଳୟ ସ୍ତରରେ ଚୂଡ଼ାନ୍ତ ପର୍ଯ୍ୟାୟ ତଥ୍ୟ ପ୍ରକାଶ ପାଇବ।

ପିସିସିଏଫ୍‌ ସୁଶାନ୍ତ ନନ୍ଦଙ୍କ କହିବାନୁଯାୟୀ, ୪୦ ଦିନ ଧରି ଚାଲିବାକୁ ଥିବା କଲରାପତରିଆ ବାଘ ଗଣନାରେ ଟ୍ରାପ୍‌ କ୍ୟାମେରା ବ୍ୟବହାର ହେବ। ଏଥିପାଇଁ ରାଜ୍ୟର ୫୧ଟି ଡିଭିଜନ୍‌ରେ ୩,୩୧୨ଟି କ୍ୟା‌ମେରା ଲଗାଯାଇଛି। ବ୍ୟାଘ୍ର ଅଭୟାରଣ୍ୟ ଭିତରେ କଲରାପତରିଆଙ୍କ ଯାଞ୍ଚ କରିବାକୁ ପ୍ରତି ଦୁଇ ବର୍ଗ କିଲୋମିଟର ବ୍ୟବଧାନରେ କ୍ୟାମେରା ବ୍ୟବସ୍ଥା ହୋଇଛି। ଅନ୍ୟାନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟଗୁଡ଼ିକରେ ୨୫ ବର୍ଗ କିଲୋମିଟରରେ ୫ ଯୋଡ଼ା ଟ୍ରାପ୍‌ କ୍ୟମେରା ଲଗାହୋଇଛି। ୨୦୨୩ ସେପ୍ଟେମ୍ବର ୧୫ରୁ ଜାନୁଆରି ୩୧ ମଧ୍ୟରେ ରାଜ୍ୟସ୍ତରୀୟ ବାଘ ଗଣନା ପାଇଁ ‌ଲଗାଯାଇଥିବା ଟ୍ରାପ୍‌ କ୍ୟାମେରାରେ ଉତ୍ତୋଳିତ ଚିତ୍ରଗୁଡ଼ିକୁ ରେଫରେନ୍ସ ଭାବେ ବ୍ୟବହାର କରାଯିବ।

ହାତୀଙ୍କ ଉପସ୍ଥିତ ଥିବା ରାଜ୍ୟର ୪୩ଟି ଡିଭିଜନ୍‌ରେ ହିଁ ହାତୀ ଗଣନା କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ମାନୁଆଲ ତଥା ସିଧାସଳଖ ଗଣନା କରାଯିବାକୁ ଥିବାରୁ ଓଡ଼ିଶା ଜଙ୍ଗଲରେ ୧,୧୩୬ଟି ମଞ୍ଚା ନିର୍ମାଣ କରାଯିବ। ଏହାବ୍ୟତୀତ ବାରାକ୍‌, ୱାଚ୍‌ ଟାୱାରଙ୍କ ସମେତ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ଉଚ୍ଚା ସ୍ଥାନକୁ ଗଣନା କାର୍ଯ୍ୟ ସମୟରେ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୧୫ ତାରିଖ ସୁଦ୍ଧା ହାତୀ ଗଣନା ସମ୍ପର୍କିତ ସମସ୍ତ ପ୍ରକାର ତାଲିମ ଶେଷ ହେବା ସହ ମେ’ ୨୧ ସୁଦ୍ଧା ଗଣନା କରିବାକୁ ଥିବା ଟିମ୍‌ ଜଙ୍ଗଲକୁ ଯିବେ।

Related Articles

Back to top button
WP Twitter Auto Publish Powered By : XYZScripts.com