ଅନ୍ୟାନ୍ୟ

ୱାଇନାଡ଼ରୁ ଲଢିବେ ପ୍ରିୟଙ୍କା !

ନୂଆଦିଲ୍ଲୀ, ୨୬/୦୩/୨୦୨୩ –   ଲୋକସଭାରୁ ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ହେବା ପରେ ଏବେ ପୁଣି ଥରେ ନିର୍ବାଚନୀ ମାହୋଲ । ରାହୁଲଙ୍କ ଲୋକସଭା କ୍ଷେତ୍ର କେରଳର ୱାଇନାଡ଼ରେ ହେବ ଉପ ନିର୍ବାଚନ । କାରଣ ଏହି ଲୋକସଭା କ୍ଷେତ୍ରର କାର୍ଯ୍ୟକାଳ ଜୁନ ୨୦୨୪ରେ ସରୁଛି । ନିର୍ବାଚନ ପାଇଁ ଏକ ବର୍ଷରୁ ଅଧିକ ସମୟ ଥିବାରୁ ଉପ ନିର୍ବାଚନ ହେବା ନିଶ୍ଚିତ, ଯଦି ଉପର କୋର୍ଟରେ ତଳ କୋର୍ଟଙ୍କ ଦଣ୍ଡାଦେଶ କାଏମ ରୁହେ ।

ଯଦିଓ ଏପର୍ଯ୍ୟନ୍ତ ଉପରକୋର୍ଟରେ ଶୁଣାଣି ହୋଇନି କିନ୍ତୁ ୱାଇନାଡ଼ରେ ଉପନିର୍ବାଚନ ନେଇ ମାହୋଲ ଏବେଠୁ ସରଗରମ ହେଲାଣି । କହିବାକୁ ଗଲେ ୱାଇନାଡ଼ ହେଉଛି କଂଗ୍ରେସର ଗଡ । ଏଠାରୁ ହାଟ୍ରିକ ବିଜୟ ହାସଲ କରିଛି କଂଗ୍ରେସ । ଗତ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସିପିଆଇ ପ୍ରାର୍ଥୀ ପି. ପି.ସୁନିରଙ୍କୁ ୪ ଲକ୍ଷ ୩୧ ହଜାରର ବିଶାଳ ବ୍ୟବଧାନରେ ପରାସ୍ତ କରିଥିଲେ । ତେବେ ଯଦି ରାହୁଲ ଏଠାରୁ ନଲଢନ୍ତି ତେବେ ଭଉଣୀ ପ୍ରିୟଙ୍କା ଏଠି ଗଡ ସମ୍ଭାଳିବେ ବୋଲି ଭିତର ମହଲରେ ଚର୍ଚ୍ଚା ଜୋର ଧରିଛି ।

ପ୍ରିୟଙ୍କାଙ୍କ ଲୋକପ୍ରିୟତା ମଧ୍ୟ ବେଶ୍ ଆଗରେ ରହିଛି । ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ସମୟରେ ହିମାଚଳ ପ୍ରଦେଶରେ ନିର୍ବାଚନୀ ମଙ୍ଗ ସମ୍ଭାଳିଥିଲେ ପ୍ରିୟଙ୍କା । ଯେଉଁଠି ତାଙ୍କୁ ବେଶ୍ ସଫଳତା ବି ମିଳିଥିଲା । କଂଗ୍ରେସର ଦୁର୍ଦିନ ପରିସ୍ଥିରେ ଦଳ ଏଠି ୬୮ ଆସନରୁ ୪୦ଟି ଜିତି ସରକାର ଗଢିଥିଲା । ଯାହା ଜାତୀୟ କଂଗ୍ରେସ ପ୍ରତି ସଞ୍ଜିବନୀ ସଦୃଶ ହୋଇଥିଲା । ଯଦି ସାଧାରଣ ନିର୍ବାଚନ ପୂର୍ବରୁ ୱାଇନାଡ଼ ଉପନିର୍ବାଚନ ହୁଏ ତେବେ ଏହା ଫାଇନାଲ ପୂର୍ବରୁ ସେମିଫାଇନାଲ ହେବ । ଆଉ ସେମିଫାଇନାଲରେ ଦମ ଦେଖାଇବା ପାଇଁ ପ୍ରିୟଙ୍କାଙ୍କ ପ୍ରାର୍ଥୀତ୍ୱକୁ ନେଇ ବହୁ କଂଗ୍ରେସ ହେଭିୱେଟ ସମର୍ଥନ ଜଣାଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com