Breaking NewsFeaturedଓଡ଼ିଶାରାଜନୀତି

ନବୀନ ଖେଳିବେ କି ମହିଳା କାର୍ଡ! କିଏ ହେବେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି!!

BJD ସରକାରରେ ବଦଳିପାରେ ଟ୍ରେଣ୍ଡ୍

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଗତ ମେ ୨୨ରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଛୋଟ ଧରଣର ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାୟକ ସାରଦା ନାୟକଙ୍କୁ ଶ୍ରମ ବିଭାଗ, ସୁଦାମ ମାରାଣ୍ଡିଙ୍କୁ ଗଣଶିକ୍ଷା ବିଭାଗ ଓ ବିକ୍ରମ ଆରୁଖଙ୍କୁ ମିଳିଲା ଅର୍ଥ ବିଭାଗ । ସବୁ ବିଭାଗକୁ ତ ମନ୍ତ୍ରୀ ମିଳିଗଲେ, କିନ୍ତୁ ଖାଲି ରହିଗଲା ବାଚସ୍ପତି ପଦବୀ । କାରଣ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହୋଇଛନ୍ତି । ତେବେ ନିର୍ବାଚନୀ ବର୍ଷରେ କିଏ ହେବ ବାଚସ୍ପତି ତାକୁ ନେଇ ଏବେ ଚାଲିଛି ପ୍ରବଳ ଚର୍ଚ୍ଚା ଆଉ ଆଲୋଚନା ।

ଏନେଇ କିଛି ପୁରୁଖା ବିଧାୟକଙ୍କ ନାଁ ରେ ଚର୍ଚ୍ଚା ବି ହେଉଛି । କିଛି ବିଧାୟକ ପାରିବାରିକ ତଥା ଅନ୍ୟ ବିବାଦ ପାଇଁ ଏ ତାଲିକାରୁୁ କଟିଗଲେଣି । ହେଲେ ଏବେ ବଡ଼ମ୍ବା ବିଧାୟକ ଦେବୀ ମିଶ୍ର, ବଡଚଣା ବିଧାୟକ ଅମର ଶତପଥୀ, କାମାକ୍ଷା ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଓ ଭଣ୍ଡାରୀପୋଖରି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନାଁରେ ଏବେ ପ୍ରବଳ ଚର୍ଚ୍ଚା । ଏମାନେ ସବୁ ଦଳର ବରିଷ୍ଠ ନେତା ଏବଂ ଏମାନଙ୍କ ପାଖରେ ବ୍ୟାପକ ଅଭିଜ୍ଞତା ବି ରହିଛି । ମନ୍ତ୍ରୀମଣ୍ଡଳ ଗଠନକୁ ତିନି ଦିନ ବିତିଲାଣି କିନ୍ତୁ କାହିଁକି ଦଳ ଘୋଷଣା କରୁନି ବାଚସ୍ପଚିଙ୍କ ନାଁ । ଏଇ ଦଳ ନିରବ ଆଉ ମୁଖ୍ୟମନ୍ତ୍ରୀ ବି ଚୁପ । ଏଠି ନବୀନ ପୁଣି ଏକ ମାଷ୍ଟରଷ୍ଟ୍ରୋକ୍ ମାରିବାକୁ ଯାଉ ନାହାନ୍ତି ତ । ପୁଣି ନାରୀ ସଶକ୍ତିକରଣ ଉଦାହରଣ ପାଇଁ ଜଣେ ମହିଳାଙ୍କୁ ବାଚସ୍ପତି କରୁନାହାନ୍ତି ତ । ଏବେ ଏମିତି କିଛି ଚର୍ଚ୍ଚା ବି ସାମ୍ନାକୁ ଆସିଲାଣି ।କାରଣ ମୁଖ୍ୟମନ୍ତ୍ରୀ ତାଙ୍କର ତୃତୀୟ ଓ ଚତୁର୍ଥ ଟର୍ମରେ ମହିଳା ମାନଙ୍କୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି । ସେମିତି ବି ଓଡିଶାରେ ଆଜି ପର୍ଯ୍ୟନ୍ତ କୌଣସି ବିଧାୟିକା ବାଚସ୍ପତି ପଦରେ ବସି ନାହାନ୍ତି । ତେଣୁ ନବୀନ ଏଇ ନିର୍ବାଚନୀ ବର୍ଷରେ କୌଣସି ବିଧାୟିକାଙ୍କୁ ଗୃହ ଚଲାଇବାର ଦାୟିତ୍ୱ ଦେଇ ପାରନ୍ତି । ତେବେ ଏନେଇ ଅନେକ ବିଧାୟିକଙ୍କ ନାଁ ଚର୍ଚ୍ଚା ହେଉଥିଲେ ବି ରେସରେ ୨ ଜଣ ପ୍ରାର୍ଥୀ ରହିଛନ୍ତି ଆଗରେ ।

ପୂର୍ବରୁ ପ୍ରମିଳା ମଲ୍ଲିକ, ଉଷା ଦେବୀ, ସ୍ନେହାଙ୍ଗିନି ଛୁରିଆ, ଟୁକୁନି ସାହୁ, ପଦ୍ମିନି ଦିଆନ ଓ ରିତା ସାହୁଙ୍କ ନାଁରେ ଚର୍ଚ୍ଚା ହେଉଥିଲା । କିନ୍ତୁ ଗତ ମେ ୨୨ରେ ପରିବର୍ତ୍ତନ ହୋଇଥିବା ମନ୍ତ୍ରୀମଣ୍ଡଳରେ ପୁଣି ଥରେ ସ୍ଥାନ ପାଇଥିଲେ ରିତା, ଟୁକୁନି, ଉଷା ଓ ପ୍ରମିଳା । ବିଜେପୁର ବିଧାୟିକା ରିତା ସାହୁଙ୍କ ପାଖରେ ହସ୍ତତନ୍ତ ଓ ବୟନ ଶିଳ୍ପ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଭାବେ ଚିକିଟି ବିଧାୟିକା ଉଷା ଦେବୀ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ବିଭାଗ ରହିଲା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପାଖରେ ଓ ଟିଟିଲାଗଡ ବିଧାୟିକା ଟୁକୁନିଙ୍କ ହାତରେ ରହିଲା ବାଣିଜ୍ୟ ଓ ପରିବହନ ବିଭାଗ । ତେଣୁ ଏଇ ଚାରି ଜଣ ବିଧାୟିକା ମନ୍ତ୍ରୀ ହେବା ସହ କଟିଗଲେ ବାଚସ୍ପତି ରେସରୁ । ଆଉ ରହିଲେ ସ୍ନେହାଙ୍ଗିନି ଛୁରିଆ ଓ ପଦ୍ମିନି ଡିଆନ । ତେଣୁ ଏଇ ଦୁଇ ଜଣ ନାରୀ ନେତ୍ରୀଙ୍କ ନାଁକୁ ନେଇ ଏବେ ପ୍ରବଳ ଚର୍ଚ୍ଚା ଚାଲିଛି । ସେପଟେ ପଶ୍ଚିମ ଓଡିଶାରେ ଏବେ ରାଜନୈତିକ ମାହୋଲ ଟିକେ ଗୋଳିଆ ହୋଇ ପଡିଛି । ନୂଆ ମନ୍ତ୍ରୀ ପଦକୁ ନେଇ ଦଳ ଭିତରେ ଅସନ୍ତୋସ ତେଜିଥିବାର ମଧ୍ୟ ସୁରାକ ପାଇଛି ଥାର୍ଡ ଫ୍ଲୋର । ତେଣୁ ପୁଣି ଜଣେ ପଶ୍ଚିମ ଓଡ଼ିଶାର ବିଧାୟିକାଙ୍କୁ ଏଇ ସମ୍ମାନଜନକ ବାଚସ୍ପତି ପଦବୀରେ ବସାଇବା କିଛି ଅସମ୍ଭବ ନୁହେଁ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି।

ନବୀନ ଖେଳିବେ କି ମହିଳା କାର୍ଡ! କିଏ ହେବେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି!!

Related Articles

Back to top button
WP Twitter Auto Publish Powered By : XYZScripts.com