Featuredଓଡ଼ିଶାରାଜନୀତି

ଦେଖନ୍ତୁ ଆମ MLAଙ୍କ Report Card, ଏଥର ଚମ୍ପୁଆ, ଆରଥରକୁ…

|| Minakshi Mahanta || Champua || Keonjhar

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସରି ଆସିଲାଣି ଷୋଡଷ ବିଧାନସଭା କାର୍ଯ୍ୟକାଳ । ଆଉ ବର୍ଷକ ଭିତରେ ପୁଣି ହେବ ନିର୍ବାଚନ । ଅନ୍ୟ ଟର୍ମ ଅପେକ୍ଷା ଚଳିତଥର ଅନେକ ଅସୁବିଧାର ସାମ୍ନା କରିଥିଲେ ସାଧାରଣ ଜନତା । ଖାସ କରି କରୋନା ପାଇଁ ବର୍ଷାଧିକ କାଳ ଲୋକ ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି । ଆଉ ଏଭଳି ଦୁର୍ବିସହ ପରିସ୍ଥିତିରେ କେମିତି ଥିଲା ଆପଣଙ୍କ ପ୍ରତିନିଧିଙ୍କ ଭୁମିକା । ଏଇ ୪ବର୍ଷ ଭିତରେ କଣ କରିଛନ୍ତି ଆପଣଙ୍କ ବିଧାୟକ ବା ବିଧାୟିକା । ଆପଣଙ୍କ ଅଞ୍ଚଳର ବିକାଶ ପାଇଁ ତାଙ୍କର ଅବଦାନ କଣ । ବିଧାନସଭାରେ ଆପଣଙ୍କ ପାଇଁ ସେ କିଭଳି ସ୍ୱର ଉତ୍ତୋଳନ କରିଛନ୍ତି । ସୋସିଆଲ ମିଡିଆ ହେଉ କି ସାଧାରଣ ଜୀବନ କେତେ ଆକ୍ଟିଭ ଆପଣଙ୍କ ନିର୍ବାଚିତ ପ୍ରତିନିଧି । କେଉଁ କେଉଁ ପ୍ରସଙ୍ଗକୁ ନେଇ ଆପଣଙ୍କ ବିଧାୟକ ବିବାଦ ଭିତରକୁ ଆସିଥିଲେ ଓ କେଉଁ ପ୍ରସଙ୍ଗରେ ତାଙ୍କୁ ମିଳିଥିଲାପ୍ରଂଶସା । ଚାଲନ୍ତୁ ଏଇ ପରିପ୍ରେକ୍ଷୀରେ ଦେଖିବା ଚମ୍ପୁଆ ବିଧାୟିକା ମୀନାକ୍ଷି ମହନ୍ତଙ୍କ ରିପୋର୍ଟ କାର୍ଡ । ତାଙ୍କ ବିଷୟରେ ତ ଟିକନିକ ତର୍ଜମା କରିବା ହେଲେ ତା ପୁର୍ବରୁ ଆସନ୍ତୁ ଜାଣିନେବା ଚମ୍ପୁଆ ବିିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ କିଛି ଗୁରୁତ୍ୱପୁର୍ଣ୍ଣ ତଥ୍ୟ ।

  • ଚମ୍ପୁଆ ବିିଧାନସଭା ନିର୍ବାଚନମଣ୍ଡଳୀ ମୀନାକ୍ଷି ମହନ୍ତ

– କେନ୍ଦୁଝର ଜିଲ୍ଲାରେ ଥିବା ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଅନ୍ୟତମ ଚମ୍ପୁଆ ଅଣ ସଂରକ୍ଷିତ ଆସନ ।
– ଚମ୍ପୁଆ ମୁନସିପାଲଟି, ଯୋଡା ମୁନସିପାଲଟି, ବଡବିଲ ମୁନସିପାଲଟି, ଯୋଡାବ୍ଲକ ସହିତ ଚମ୍ପୁଆ ବ୍ଲକର କୋଡାଗାଡିଆ, ଜାମୁଡାଳକ, ରାଜିଆ, କାଳିକାପ୍ରସାଦ, ରିମୁଳି, ବଡନାଇ,ସରେଇ, ଚମ୍ପୁଆ, କୁଟାରୀପୋଷି, ସୁନାପୋଷି, କରଞ୍ଜିଆ, ରଙ୍ଗମାଟିଆ, ଉଚାବାଲି, ଭାଣ୍ଡ, କାଶୀପାଳ, ପାଡୁଆ ଓ ଚନ୍ଦ୍ରଶେଖରପୁର ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ଚମ୍ପୁଆ ନିର୍ବାଚନ ମଣ୍ଡଳୀ
– ପାଖାପାଖି ଦୁଇ ଲକ୍ଷ ୨୮ ହଜାର ଭୋଟର ରହିଛନ୍ତି ଏଇ ଆଦିବାସୀ ଅଧ୍ୟୁସିତ ନିର୍ବାଚନ ମଣ୍ଡଳୀରେ
– ୨୦୧୪ ସାଧାରଣ ନିର୍ବାଚନରେ ଏଠାରେ ୭୮.୮୧ ପ୍ରତିଶତ ଓ ୨୦୧୯ ନିର୍ବାଚନରେ ୭୪.୨୮ ପ୍ରତିଶତ ମତଦାନ ହୋଇଥିଲା
– ୨୦୧୯ ସାଧାରଣ ନିର୍ବାଚନରେ ଏଠି ଦେଖିବାକୁ ମିଳିଥିଲା ଦ୍ୱିମୁଖୀ ଲଢେଇ । ବିଜେଡି ପ୍ରାର୍ଥିନୀ ମୀନାକ୍ଷୀଙ୍କୁ ୮୯ହଜାର ୫୨୫ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ମୁରଲି ଶର୍ମାଙ୍କୁ ମିଳିଥିଲା ୬୩ହଜାର ୧୧୭ଟି ଭୋଟ । ଆଉ କଂଗ୍ରେସ ପ୍ରାର୍ଥୀ ଯଦୁମଣି ବାରିକଙ୍କୁ ମିଳିଥିଲା ମୋଟ ୪୨୧୭ଟି ଭୋଟ ।
– ୨୬,୪୦୮ ଭୋଟର ବ୍ୟବଧାନରେ ମୁରଲି ଶର୍ମାଙ୍କୁ ମାତଦେଇ ଚମ୍ପୁଆର ବିଧାୟିକା ସାଜିିଥିଲେ ମୀନାକ୍ଷି ।

ଚମ୍ପୁଆ ବିଧାନସଭା ଆସନ ସହ ଗତ ୨୦୧୯ ନିର୍ବାଚନରେ ଫଳାଫଳ ବିଷୟରେ ତ ଜାଣିଲେ । ଏବେ ଆସନ୍ତୁ ଜାଣିିବା ବିଧାୟିକାଙ୍କ ପାରିବାରିକ ଜୀବନ ବିଷୟରେ । ବିଧାୟିକା ହେବା ପୁର୍ବରୁ ମୀନାକ୍ଷି କଣ କରୁଥିଲେ । ତାଙ୍କ ବାଲ୍ୟ ଜୀବନ ଓ ପାରିବାରିକ ଜୀବନ କେମିତି ଥିଲା । ଆର୍ଥିକ ଭାବେ ସେ କେତେ ସ୍ୱଚ୍ଛଳ ଏବଂ ତାଙ୍କ ନାଁରେ କୌଣସି ଅପରାଧିକ ମାମଲା ଅଛି ନା ନାହିଁ ।

  • ମୀନାକ୍ଷି ମହନ୍ତ

– ୨୬ ନଭେମ୍ବର ୧୯୮୩ ମସିହାରେ ଜନ୍ମଗ୍ରହଣ କରିଥିିଲେ ମୀନାକ୍ଷି
– ୨୦୦୪ ମସିହାରେ କଂରଜିଆ କଲେଜରୁ ସେ ବିଏସସି ପାସ କରିଥିଲେ
– ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ସେ ଥିଲେ ଯୋଡା ବ୍ଲକ ପଲାଶା ପଞ୍ଚାୟତର ସମିତି ସଭ୍ୟା
– ୨୦୧୨ରୁ -୨୦୧୭ ପର୍ଯ୍ୟନ୍ତ ଯୋଡା ବ୍ଲକ ୨୭ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଥିଲେ ମୀନାକ୍ଷି
– ବାପା ଶୁସିଲ କୁମାର ମହନ୍ତ ଓ ମା ଲକ୍ଷ୍ମୀପ୍ରିୟା ମହନ୍ତ
– ଭକ୍ତବନ୍ଧୁ ମହନ୍ତଙ୍କୁ ବିବାହ କରିଥିଲେ ମୀନାକ୍ଷି । ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି
– ତାଙ୍କର ନିଜ ଘର ଠିକଣା ହେଉଛି ଗ୍ରାମ-ଭଣ୍ଡାରିଡିହ, ପୋଷ୍ଟ ଅଫିସ-ବେଲଡା, ଭାୟା- ବାମେବାରୀ, ଜିଲ୍ଲା କେନ୍ଦୁଝର, ପିନ- ୭୫୮୦୮୬
– ମୀନାକ୍ଷି ନିକଟରେ ପାଖାପାଖି ୯ କୋଟି ଟଙ୍କାର ସମ୍ପତ୍ତି ରହିଥିବା ବେଳେ ସେ ୧କୋଟି ୩୧ଲକ୍ଷ ଟଙ୍କାର ସେ ବିଭିନ୍ନ ବ୍ୟାଙ୍କ ଲୋନ ନେଇଛନ୍ତି
– ତାଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ

ରାଜନୀତି ଓ ବିବାଦ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଭଳି । କୌଣସି ପ୍ରସଙ୍ଗକୁ ନେଇ କେତେବେଳେ ବିରୋଧୀଙ୍କ ସମାଲୋଚନାର ଶିକାର ହେବାକୁ ପଡେ ତ କେତେବେଳେ ସାଧରାଣ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡେ । କେତେବଳେ ଏଇ ପ୍ରସଙ୍ଗ ଜନ ପ୍ରତିନିଧିଙ୍କୁ ପ୍ରଶଂସାରେ ପୋତି ପକାଏ ତ କେତେବେଳେ ଛବିକୁ ମଳିନ କରିଦିଏ । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ କାରଣ ପାଇଁ ବିବାଦ ଭିତରକୁ ଆସିଥିଲେ ମୀନାକ୍ଷି ଆଉ କେଉଁ ପ୍ରସଙ୍ଗ ତାଙ୍କୁ ରାଜନୈତିକ ମଇଦାନରେ ବେଶ ମାଇଲେଜ ଦେଇଥିଲା ।

  • ମିନାକ୍ଷୀଙ୍କ ବିବାଦ ଓ ସଫଳତା

– ଯୋଡା, ବଡବିଲ ଓ ଚମ୍ପୁଆ ଅଞ୍ଚଳରେ କମ୍ୟୁନିଟି ହଲ, ଗୋଷ୍ଠା ଶୌଚାଳୟ, ଯାତ୍ରୀ ବିଶ୍ରାମାଗାର ,ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ, ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡିର ଶୁଭାରମ୍ଭ, ୫ଟି ଅଧିନରେ ସ୍କୁଲ ଉନ୍ନତି କରଣ , ବିଭିନ୍ନ ରାସ୍ତାଘାଟ ଓ ନାଳ ନର୍ଦମା ସଫେଇ ଛଡା ମୀନାକ୍ଷୀଙ୍କ ଅମଳରେ ସେମିତି କିଛି ବଡ ଧରଣର କାମ ବା ଆଖି ଦୃଷ୍ଟିଆ କାମ ହୋଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
– ମୀନାକ୍ଷିଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ ସତ କିନ୍ତୁ ସ୍ୱାମୀ ଭକ୍ତବନ୍ଧୁଙ୍କ ପାଇଁ ସେ କେତେଥର ଚାଲି ଆସିଛନ୍ତି ବିବାଦ ଭିତରକୁ । ସେପ୍ଟେମ୍ବର ୨୦୨୧ରେ ମାଇନିଙ୍ଗ ଏରିଆ ଟ୍ରକ ଓନର ଆସୋସିଏସନର ଶତାଧିକ ଲୋକ ମୀନାକ୍ଷିଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ମୀନାକ୍ଷି ବିଧାୟିକା ହେଲା ପରେ ତାଙ୍କ ସ୍ୱାମୀ ନୂଆ ଏକ ଟ୍ରାନ୍ସପୋର୍ଟ ଆସୋସିଏସନ ଗଢିଥିଲେ । ଯେଉଁଥିରେ ତାଙ୍କ ପରିବାର ଲୋକଙ୍କ ନାଁରେ ଲାଇସେନ୍ସ ନେଇଥିବା ବ୍ୟକ୍ତିଙ୍କୁ ହିଁ ନେଇ ସେ ଗଢିଥିଲେ ଭିନ୍ନ ଏକ ଆସୋସିଏସନ । ପରେ ସ୍ଥାନୀୟ ଖଣି ମାଲିକଙ୍କୁ ଧରି ସେ କେବଳ ନିଜେ କାମ ହାତଉଥିଲେ । କେହି ବିରୋଧ କଲେ ତାଙ୍କୁ ଲୋକ ଲଗାଇ ଆକ୍ରମଣ କରୁଥିଲେ । ନିଜ ବାହୁବଳ ଓ ରାଜନୈତିକ ପତିଆରାକୁ ହାତବାରିସୀ କରି ମନମୁଖୀ ଶାସନ ଚଲାଉଥିବାର ଅଭିଯୋଗ ଆସିଥିଲା ମୀନାକ୍ଷୀଙ୍କ ସ୍ୱାମୀ ଭକ୍ତବନ୍ଧୁଙ୍କ ନାଁରେ । ଯେଉଁଥିପାଇଁ ବିବାଦ ଭିତରକୁ ଆସିଥିଲେ ବିଧାୟିକା ମୀନାକ୍ଷି ମହନ୍ତ । ଖାଲି ସେତିକି ନୁହେଁ ଏଇ ଟ୍ରାନସପୋର୍ଟ ବିଜନେସ ପାଇଁ ହିଁ ତାଙ୍କୁ ବିଧାୟିକା ସଜାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ସନା ମହାକୁଡ଼ଙ୍କ ସହ ସଂପର୍କ ଖରାପ ହୋଇଥିବା ବି କିଛିଦିନ ତଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏଇ ପ୍ରସଙ୍ଗ ସେତେବେଳେ ଅଧିକ ଚର୍ଚ୍ଚାର ଖୋରାକ ଯୋଗଇଥିଲା ଯେତେବେଳେ ସନା ମହାକୁଡ଼ଙ୍କ ବଡ ଭାଇଙ୍କ ଏକଦଶାହରେ ଯୋଗ ଦେଇ ନଥିଲେ ମୀନାକ୍ଷି। ଶୁଦ୍ଧିକ୍ରିୟାକୁ ଜିଲ୍ଲାରୁ ବିଭିନ୍ନ ଦଳର ସମସ୍ତ ଛୋଟ ବଡ ବ ନେତା ଆସିଥିବା ବେଳେ ଭୋଜି ସ୍ଥଳରୁ ମାତ୍ର ୫୦୦ ମିଟର ଦୁରରେ ରହୁଥିବା ମୀନାକ୍ଷି କିନ୍ତୁ ସେଠାକୁ ଆସିନଥିଲେ ।

ସାଧାରଣତଃ ପଞ୍ଚାୟତ ଓ ପୌର ନିର୍ବାଚନ ଲଢାଯାଇଥାଏ ସ୍ଥାନୀୟ ବିଧାୟକ କିମ୍ବା ବିଧାୟିକାଙ୍କ ତତ୍ତ୍ୱାବଧାନରେ । ଆଉ ସଫଳତା ବ ବିଫଳତାର ଶ୍ରେୟ ଯାଇଥାଏ ତାଙ୍କରି ମୁଣ୍ଡକୁ । ୨୦୨୨ରେ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ଚମ୍ପୁଆରେ ମୀନାକ୍ଷିଙ୍କ ନେତୃତ୍ୱରେ ଲଢିଥିଲା ବିଜେଡି । ତେବେ ଆସନ୍ତୁ ନଜର ପକାଇବା କେମିତି ଥିଲା ଏଠାରେ ମୀନାକ୍ଷିଙ୍କ ପରଫରମାନ୍ସ ।

  • ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନ

– ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ରହିଛି ଦୁଇଟି ବ୍ଲକ । ଯୋଡା ବ୍ଲକ ଅଧିନରେ ଆସୁଛି ତିନୋଟି ଜିଲ୍ଲା ପରିଷଦ ଜୋନ । ଜୋଡା ବ୍ଲକ ଅଧିନ ୩ଟି ଜିଲ୍ଲା ପରିଷଦ ଜୋନରୁ ଦୁଇଟି ଆସନରେ ବିଜେଡି ଜିତିଥିବା ବେଳେ ଗୋଟିଏ ଆସନ ହାତେଇଥିଲା ବିଜେପି । ଚମ୍ପୁଆ ବ୍ଲକ ଅଧିନରେ ଆସୁଛି ୩ଟି ଜିଲ୍ଲା ପରିଷଦ ଜୋନ । ଆଉ ୩ଟି ଜିଲ୍ଲା ପରିଷଦ ଜୋନରୁ ତିନୋଟି ଯାକ କ୍ଲିନ ସ୍ୱିପ କରି ନେଇଥିଲା ବିଜେଡି । ସେହିଭଳି ବଡବିଲ ମୁନସିପାଲଟିର୧୫ଟି ୱାର୍ଡରୁ ୧୨ଟିରେ ବିଜେଡି ଜିତିଥିବା ବେଳେ ୩ଟି ୱାର୍ଡରେ ଜିତିଥିଲା ବିଜେପି । ଯୋଡା ମୁନସିପାଲିଟିର ୧୪ଟି ୱାର୍ଡ ମଧ୍ୟରୁ ୭ଟିରେ ବିଜେଡି ଜିତିଥିିବା ବେଳେ ୪ଟି ୱାର୍ଡରେ ବିଜେପି ଓ ୩ଟି ୱାର୍ଡ ସ୍ୱାଧିନ ପ୍ରାର୍ଥୀ ଜିତିଥିଲେ । ଚମ୍ପୁଆ ମୁନସିପାଲଟିର ୧୩ଟ ଯାକ ୱାର୍ଡକୁ କ୍ଲିନ ସ୍ୱିପ କରି ନେଇଥିଲା ବିଜେଡି। ତିନୋଟି ଯାକ ମୁନସିପାଲଟିର ଅଧ୍ୟକ୍ଷ୍ୟ ହେଉଛନ୍ତି ବିଜୁ ଜନତା ଦଳର । ଏଥିରୁ ଜଣା ପଡୁଛି ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଦଳଗତ ଦୃଷ୍ଟିରୁ ଭଲ ପରଫରମାନ୍ସ ରହିଛି ମୀନାକ୍ଷିଙ୍କର।

ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର । ନିଜ ଅଞ୍ଚଳର ଅସୁବିଧା କୁ ନେଇ ସ୍ୱର ଉତ୍ତୋଳନ କରିବା ସହ ବିକାଶ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାକୁ ଲୋକେ ଜଣେ ପ୍ରତିନିଧିଙ୍କୁ ପଠାଇଥାନ୍ତି ବିଧାନସଭା । ଆଉ ଏଇଠି ଧରା ପଡିଯାଏ ଜଣେ ଜନପ୍ରତିନିଧିଙ୍କ ପାରିବା ପାଣିଆ । ତେବେ ଆସନ୍ତୁ ନଜର ପକାଇବା ବିଧାନସଭାରେ କେମିତି ଥିଲା ଚମ୍ପୁଆ ବିଧାୟିକା ମୀନାକ୍ଷି ମହନ୍ତଙ୍କ ପରଫରମାନ୍ସ ।

  • ବିଧାନସଭାରେ ମୀନାକ୍ଷି

ଷୋଡ଼ଷ ବିଧାନସଭାରେ ଚମ୍ପୁଆର ପ୍ରତିନିଧି ସାଜି ପବିତ୍ରଗୃହରେ ପାଦ ଦେଇଥିଲେ ମୀନାକ୍ଷି । ୨୦୧୯ରୁ ଆଜି ପର୍ଯ୍ୟନ୍ତ ବିଧାନସଭାରେ ସେ ୧୧ଟି ତାରକା ପ୍ରଶ୍ନ ପଚାରିଥିବା ବେଳେ ୪୦ଟି ଅଣତାରକା ପ୍ରଶ୍ନ ପଚାରିଛନ୍ତି । ଏହାରି ଭିତରେ ସ୍ଥାନୀୟ ଅଞ୍ଚଳର ପ୍ରସଙ୍ଗକୁ ନେଇ ବିଧାନସଭାରେ ୧୦ରୁ ଅଧିକ ପ୍ରଶ୍ନ ପଚାରିଛନ୍ତି ବିଭାଗୀୟ ମନ୍ତ୍ରୀଙ୍କୁ । ଚମ୍ପୁଆରୁ ଟାଟାକୁ ସରକାରୀ ବସ ଚଳାଚଳ, କେନ୍ଦୁଝର ଏକ ଆଦିବାସୀ ଅଧ୍ୟୁସିତ ଜିଲ୍ଲା ହୋଇଥିବାରୁ ଏଠାରେ ଅଧିକ ଏକଲବ୍ୟ ମଡେଲ ସ୍କୁଲ ଓ କନ୍ୟାଶ୍ରମ ନିର୍ମାଣ, ଜିଲ୍ଲାର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସ୍ୱାବଲମ୍ବୀ କରିବା । ଚମ୍ପୁଆ ବ୍ଲକର ଜଜାଙ୍ଗ ଓ ଜୁରୁଡି ଗାଁରେ ତୁରନ୍ତ ପୁନଃ ବିଦ୍ୟୁତ ସଂଯୋଗ । ସ୍ଥାନୀୟ ଉସୁ ଖେଳକୁ ସରକାରୀ ପ୍ରୋତ୍ସାହନ । ଯୋଡା, ବଡବିଲ ଓ ଚମ୍ପୁଆରେ ସ୍ପୋର୍ଟସ ହଷ୍ଟେଲ ନିର୍ମାଣ । ଚମ୍ପୁଆରେ ଥିବା ଜଳାଶ୍ରୟଗୁଡିକର ସାମଗ୍ରିକ ବିକାଶ ଓ ଗୋଷ୍ଠୀ ଶୌଚାଳୟ ନିର୍ମାଣ । ଚମ୍ପୁଆ ଆଇଟିଆଇକୁ ଡିପ୍ଲୋମା କଲେଜ ମାନ୍ୟତା ଦେବା ସହ ସେମାନଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯିବା । କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରି ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେବା ସହ ଖଣିଜପାଣ୍ଠି ଅର୍ଥରେ ଶୀଘ୍ର ସ୍ଥାନୀୟ ରାସ୍ତା ନିର୍ମାଣକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଚମ୍ପୁଆ ବିଧାୟିକା ମୀନାକ୍ଷି ମହନ୍ତ । ଦେଖିବାକୁ ଗଲେ ଚମ୍ପୁଆ ପାଇଁ ବିଧାନସଭାରେ ଏଇ ନେତ୍ରୀଙ୍କ ଭୂମିକା ବେଶି ଭଲ ନହେଲେ ବି ଆଭରେଜ ରହିଛି ।

ରାଜନୀତିର ଅର୍ଥ ସାଧାରଣ ଲୋକଙ୍କ ସହିତ ଯୋଡି ହେବା ବା ମିଶିବା ଏବଂ ସେମାନଙ୍କ ସୁଖଦୁଃଖରେ ସାମିଲ ହେବା । ପୂର୍ବରୁ ଏଥିପାଇଁ ଲୋକଙ୍କୁ ଜନ ପ୍ରତିନିଧିଙ୍କ ପାଖକୁ ଯିବାକୁ ପଡୁଥିଲା କିମ୍ବ ଜନ ପ୍ରତିନିଧିଙ୍କୁ ଆସିବାକୁ ପଡୁଥିଲା ଜନତାଙ୍କ ପାଖକୁ । କିନ୍ତୁ ଏବେ ଟେକ୍ନୋଲୋଜି ଯୁଗରେ ସବୁ କିଛି ହାତ ପାହାନ୍ତାରେ । ଘରେ ବସି ଏକା ସାଙ୍ଗରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାସାଙ୍ଗରେ ଯୋଗାଯୋଗ କରିହେଉଛି ସୋସିଆଲ ମିଡିଆରେ । ତେବେ ଆସନ୍ତୁ ଦେଖିବା ସୋସିଆଲ ମିଡିଆରେ କେତେ ଆକ୍ଟିଭ ଆମ ବିଧାୟିକା ମହାଶୟା…

  • ସୋସିଆଲ ମିଡିଆରେ ମୀନାକ୍ଷି ମହନ୍ତ

ପ୍ରଥମେ ଦେଖିବା ଫେସବୁକ ପ୍ରୋଫାଇଲ । ଫେସବୁକରେ ବେଶ ଆକ୍ଟିଭ ଅଛନ୍ତି ମୀନାକ୍ଷି ମହନ୍ତ । ଫେସବୁକରେ ତାଙ୍କର ୭ହଜାର ଫଲୋଅର ଥିବାବେଳେ ନିୟମିତ ବ୍ୟବଧାନରେ ସେ ବିଭିନ୍ନ ପୋଷ୍ଟ କରିଥାନ୍ତି । ସେହିଭଳି ଇନଷ୍ଟାଗ୍ରାମରେ ପାଖାପାଖି ୪୦୦ ଜଣ ଫଲୋଅର ଅଛନ୍ତି ମୀନାକ୍ଷିଙ୍କର । ଇନଷ୍ଟାରେ ମଧ୍ୟ ମୀନାକ୍ଷି ନିୟମିତ ବ୍ୟବଧାନରେ ପୋଷ୍ଟ କରି ଆକ୍ଟିଭ ଥିବା ଜମାପଡୁଛି ତାଙ୍କ ପ୍ରୋଫାଇଲରୁ । ସେପଟେ ଟ୍ୱିଟରରେ ମଧ୍ୟ ଚମ୍ପୁଆ ବିଧାୟିକାଙ୍କୁ ଆପଣ ପାଇ ପାରିବେ । ଟ୍ୱିଟରରେ ତାଙ୍କର ପାଖାପାଖି ୫ଶହ ଫଲୋଅର ଥିବାବେଳେ ନିୟମିତ ନହେଲେ ବି ମାସେ ଦିମାସରେ ଗୋଟେ ଯୋଡେ ପୋଷ୍ଟ କରନ୍ତି ଚମ୍ପୁଆ ବିଧାୟିକା ମୀନାକ୍ଷି ମହନ୍ତ । କହିବାକୁ ଗଲେ ମୋଟାମୋଟି ଭାବରେ ଚମ୍ପୁଆ ବିଧାୟିକା ମୀନାକ୍ଷି ମହନ୍ତଙ୍କ ପରଫରମାନ୍ସ ବେଶି ଭଳଲ କି ବେଶି ଖରାପ ନାହିଁ । ଆଭରେଜ ପରଫରମାନ୍ସ ରହିଛି ଚମ୍ପୁଆ ବିଧାୟିକା ମୀନାକ୍ଷି ମହନ୍ତଙ୍କର ।

Related Articles

Back to top button
WP Twitter Auto Publish Powered By : XYZScripts.com