Breaking NewsFeaturedଓଡ଼ିଶାରାଜନୀତି

ଠପ୍‌ ହୋଇଗଲା ମାଲକାନଗିରି, ଗର୍ଜିଲା କଂଗ୍ରେସ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବିଭିନ୍ନ ଦାବି ନେଇ ଗର୍ଜିଲା କଂଗ୍ରେସ। ଠପ୍‌ ହୋଇଗଲା ମାଲକାନଗିରି। ଶୁକ୍ରବାର ଜିଲ୍ଲାର ଅଧିକାଂଶ ସ୍ଥାନରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ 4 ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଥିଲା।

ମାଲକାନଗିରି ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି ଓ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଇଥିବା ବେଳେ ତାହାର‌ କୌଣସି ସମାଧାନ ହୋଇପାରିନାହିଁ। ମାଲକାନଗିରି ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଡାକରା ଦିଆଯାଇଛି। ଦଳ ପକ୍ଷରୁ ଗାଡ଼ି ଚଳାଚଳ ଠାରୁ ଆରମ୍ଭ କରି ବିଦ୍ୟାଳୟ, ଦୋକାନ, ବଜାର, ସରକାରୀ ଓ ବେସରକାରୀ ସମସ୍ତ ଅନୁଷ୍ଠାନ ବନ୍ଦ କରାଯାଉଥିବା ଜଣାଯାଇଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ୨୦୧୮ ମସିହାରେ ମାଲକାନଗିରି ଠାରେ ୭ ମହଲା ବିଶିଷ୍ଟ ଚିକିତ୍ସାଳୟ ଶୁଭାରମ୍ଭ ହେଲା କିନ୍ତୁ ଡାକ୍ତର ଅଭାବ ପୂରଣ ହୋଇପାରୁନାହିଁ। କେବଳ ଯେ ଡାକ୍ତର ନୁହେଁ ତା ସହିତ ନର୍ସିଂ ଅଫିସର, ସ୍ବାସ୍ଥ୍ୟକର୍ମୀ ଓ ବିଶେଷଜ୍ଞ ପଦବୀ ଖାଲି ପଡିଛି। ଏଥିସହ ମାଲକାନଗିରି ଜିଲ୍ଲାରେ ୧୩୦ରୁ ଅଧିକ ଡାକ୍ତର ପଦବୀ ଖାଲି ପଡିଛି। ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ଭୁଶୁଡ଼ି ପଡିଥିବା ବେଳେ ଲୋକେ ଚିକିତ୍ସା ପାଇଁ ପଡୋଶୀ ରାଜ୍ୟକୁ ଯିବାକୁ ପଡୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସ ନଗର ସଭାପତି ଜି.ଶ୍ରୀନିବାସ ରାଓ, ମାଲା ମାଢ଼ି, ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣଚନ୍ଦ୍ର ଅନୁଗୁ, ମଙ୍ଗୁ ଖୀଲ, ଧର୍ନୁଜୟ ହନ୍ତାଳ, ଭୀମା ବାରସେ, ପ୍ରାଣକୃଷ୍ଣ ମଣ୍ଡଳ, ପଦ୍ମ ପାଙ୍ଗୀ, ପର୍ଶୁରାମ ଭକ୍ତ, ପୁଷ୍ପା କବାସୀ, ଇଶାକ ଖୋସଲା, ଶ୍ୟାମ ସେଠୀ ପ୍ରମୁଖ କଂଗ୍ରେସ ନେତା ବନ୍ଦ ପାଳନ ସମୟରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

 

Related Articles

Back to top button
WP Twitter Auto Publish Powered By : XYZScripts.com