Featuredରାଜନୀତି

ନିର୍ବାଚନ ଆୟୋଗ କେତେ ସ୍ୱଚ୍ଛ?

ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତ ବିଶ୍ୱରେ ବିଖ୍ୟାତ । ସେହିପରି ଲୋକମତ ଓ ଲୋକ ପ୍ରତିନିଧି ଏହି ରାଷ୍ଟ୍ରର ପ୍ରମୁଖ ବଳ । ସେମାନଙ୍କ ନିର୍ଣ୍ଣାୟକ ଭୂମିକା ଦ୍ୱାରା ସରକାର ଚାଲେ ଆଉ ସରକାରଙ୍କ ଦୋଷ ତ୍ରୁଟି ଆଦିକୁ ବିରୋଧୀ ନେତାମାନେ ଲୋକଙ୍କ ସାମ୍ନାକୁ ଆଣିବା ସହ ସରକାରଙ୍କୁ ସୁଧୁରିବାକୁ ଦାବି କରିଥାନ୍ତି । ତେବେ ଏସବୁ ପାଇଁ ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ପ୍ରକ୍ରିୟା ହିଁ ନେଇଥାଏ ଚୂଡ଼ାନ୍ତ ନିଷ୍ପତ୍ତି । ଯାହାଦ୍ୱାରା ଲୋକେ ସେମାନଙ୍କ ବହୁମୂଲ୍ୟ ମତଦାନ କରି ନିଜର ପ୍ରତିନିଧି ଚୟନ କରିଆସୁଛନ୍ତି ।

ସେହିପରି ଉକ୍ତ ନିର୍ବାଚନର ସମସ୍ତ ଆନୁଷଙ୍ଗିକ ପ୍ରକ୍ରିୟାକୁ ସୁସ୍ଥ ପରିଚାଳନା କରିବା ପାଇଁ ଦେଶର ମୁଖ୍ୟ ନିର୍ବାଚନ ଆୟୋଗ ବା ସିଇସି ଅଫ୍ ଇଣ୍ଡିଆଙ୍କ ସମେତ ସମସ୍ତ ରାଜ୍ୟର ଇଲେକ୍ସନ କମିସନରମାନଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । କାରଣ ୧୪୦ କୋଟି ଜନତାଙ୍କ ଆସ୍ଥା ଓ ଭରସା ହେଉଛି ନିର୍ବାଚନ ପ୍ରକ୍ରିୟା ଏବଂ ଏହାକୁ ପରିଚାଳନା କରୁଥିବା ସଂସ୍ଥା । ତେବେ ଉକ୍ତ ସଂସ୍ଥାର ସ୍ୱଚ୍ଛତା ପ୍ରତି ଯେବେ ପ୍ରଶ୍ନ ଉଠେ ତେବେ ଦେଶରେ ବଡ଼ ଅସଂହତି ଓ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି । କିନ୍ତୁ ନିର୍ବାଚନ ଆୟୋଗ କେତେ ସ୍ୱଚ୍ଛ, ତାହା ହିଁ ଏବେ ସବୁରି ମହଲରେ ପ୍ରଶ୍ନ? ଏହି ପ୍ରଶ୍ନ ହିଁ ଏବେ ଚର୍ଚ୍ଚାର କାରଣ ।

ଆସନ୍ତୁ ଜାଣିବା କାହିଁକି ଉଠିଲା ଏଭଳି ପ୍ରଶ୍ନ ଓ କାହିଁକି ହେଉଛି ଚର୍ଚ୍ଚାର……
ସଂସଦର ମୌସୁମୀ ଅଧିବେଶନ ୧୧ ତାରିଖରେ ସରିବାକୁ ଥିବାବେଳେ ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟସଭାରେ ଏକ ବିଲ୍ ଆଗତ କରାଯାଇଛି । ଯେଉଁ ବିଲ୍ କୁ ନେଇ ବିରୋଧୀ ପୂରା ଚିହିଁକି ଉଠିଥିବାବେଳେ ସାଧାରଣ ଲୋକ ମଧ୍ୟ ଚକିତ ହୋଇପଡ଼ିଛନ୍ତି । ଆଉ ସେହି ବିଲ୍ ଟି ହେଉଛି- ନିର୍ବାଚନ କମିସନରଙ୍କ ନିଯୁକ୍ତି ସଂକ୍ରାନ୍ତୀୟ । ଯେଉଁଥିରେ ସରକାର ଦର୍ଶାଇଛନ୍ତି ଯେ ମୁଖ୍ୟ ନିର୍ବାଚନ କମିସନରଙ୍କ ନିଯୁକ୍ତି ପାଇଁ କମିଟିରେ କିଏ କିଏ ରହିବେ । ଏହା ଜାଣିବା ପୂର୍ବରୁ ପ୍ରଥମେ ଆସନ୍ତୁ ଜାଣିବା ଏନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କଣ ନିର୍ଦ୍ଦେଶ ଦେଇଥିଲେ?

ଗତ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ନିର୍ଦ୍ଦେଶ ଜାରି କରିଥିଲେ ଯେ – ମୁଖ୍ୟ ନିର୍ବାଚନ କମିସନଙ୍କ ନିଯୁକ୍ତି ଓ ଚୟନ ପାଇଁ ଏକ ସ୍ୱତନ୍ତ୍ର କମିଟି ରହିବ । ଯେଉଁଥିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ପ୍ରଧାନ ବିଚାରପତି ବା ସିଜେଆଇଙ୍କ ମତାମତ ଆଧାରରେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିବେ । କିନ୍ତୁ କେନ୍ଦ୍ର ସରକାର ଏବେ ଯେଉଁ ବିଲ୍ ଆଗତ କରିଛନ୍ତି ସେଥିରେ ଏଭଳି କିଛି ନାହିଁ । ସମ୍ପୂର୍ଣ୍ଣ ଅଲଗା ପ୍ରସ୍ତାବ ରହିଛି ।

ଆସନ୍ତୁ ଜାଣିବା ସରକାରଙ୍କ ଦ୍ୱାରା ଆଗତ ବିଲ୍‌ରେ କଣ ରହିଛି?
କେନ୍ଦ୍ର ସରକାର ଆଣିଥିବା ବିଲ୍‌ରେ ରାଷ୍ଟ୍ରପତି ଓ ସିଜେଆଇଙ୍କ ସମ୍ପର୍କରେ କିଛି ନାହିଁ । ଅର୍ଥାତ୍ ସେମାନଙ୍କୁ ଏହି ଚୟନ ଓ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି । ରହିଛନ୍ତି- ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଆଉ ଜଣେ କେନ୍ଦ୍ରମନ୍ତ୍ରୀ । ଅର୍ଥାତ୍ ସିଧାସିଧା କହିଲେ- ମୋଟ ୩ଟି ଭୋଟ୍‌, ଯେଉଁଥିରେ କି ବିରୋଧୀ ଦଳ ନେତାଙ୍କୁ ବାଦ୍ ଦେଲେ ସରକାରଙ୍କ ୨ଟି ଭୋଟ୍ । ମାନେ ସରକାର ଯାହାକୁ ଚାହିଁବେ ତାଙ୍କୁ ନିର୍ବାଚନ କମିସନର ଆସନରେ ବସାଇ ପାରିବେ । ଏପରି ହେଲେ ଅନ୍ୟ ଅର୍ଥରେ କୁହାଯାଇପାରେ ସରକାର ଯାହା ଚାହିଁବେ ନିର୍ବାଚନ କମିସନର ତାହା କରିବେ ।

ଏଭଳି ପ୍ରଶ୍ନ ବା ଦ୍ୱନ୍ଦ୍ୱ ଉଠିବା ସ୍ୱାଭାବିକ । ଯେଉଁଥିପାଇଁ ବିରୋଧୀ ଚିହିଁକି ଉଠିଛନ୍ତି ଓ ଅସନ୍ତୁଷ୍ଟ ରହିଛନ୍ତି । କାରଣ ସାଧାରଣରେ ବିଶ୍ୱାସ ଥିଲା ଯେ ନିର୍ବାଚନ ଆୟୋଗ ଏକ ମୁକ୍ତ ଓ ନିରପେକ୍ଷ ସଂସ୍ଥା । ଯିଏକି ପକ୍ଷପାତିତା କରେନି । କିନ୍ତୁ ସରକାରଙ୍କ ବିଲ୍ ପାରିତ ହୋଇଗଲେ ଲୋକଙ୍କ ଆସ୍ଥା ତୁଟିଯିବ । ଏପରିକି ଇଡି ଓ ସିବିଆଇକୁ ନେଇ ସାଧାରଣରେ ଯେଭଳି ଆଲୋଚନା ହେଉଛି, ସିଇସି ମଧ୍ୟ ସେଭଳି ଏକ ସାଧାରଣ ନାମ ହୋଇ ଗୁରୁତ୍ୱ ହରାଇବ । ବିଶେଷଜ୍ଞ ମହଲରେ ଏଭଳି ଆଲୋଚନା ଜୋର୍ ଧରିଲାଣି ।

Related Articles

Back to top button
WP Twitter Auto Publish Powered By : XYZScripts.com