Featuredରାଜନୀତି

ଗମାଙ୍ଗ/ଯାଇଥିଲେ ବିଜେପି, ଆସିଥିଲେ ବିଆରଏସ୍‌, ଫେରିବେ କଂଗ୍ରେସ

 

ଓଡ଼ିଶା ରାଜନୀତିର ଜଣେ ବରିଷ୍ଠ ରାଜନେତା । ଆଉ ଜାତୀୟ ରାଜନୀତିରେ ବି ତାଙ୍କର ଖୁବ୍ ଚର୍ଚ୍ଚା । ୯ ଥର ସାଂସଦ ଆଉ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ । ସେ ହେଉଛନ୍ତି ଗିରିଧର ଗମାଙ୍ଗ । ଦୀର୍ଘ ରାଜନୀତିକ କ୍ୟାରିଅରରେ ସେ ମଧ୍ୟ ଦଳ ପରିବର୍ତ୍ତନ କରି ଆଲୋଚନାର ପରିସରକୁ ଆସିଛନ୍ତି । କଂଗ୍ରେସର ନେତା ଭାବେ ନିଜର ନିଆରା ପରିଚୟ ସୃଷ୍ଟି କରିଥିବା ଗିରିଧର ପ୍ରଥମେ ବିଜେପି ଯାଇଥିଲେ । ଏହାପରେ ପଡ଼ିଥିଲେ ବିଆରଏସ୍ ଲୋଭରେ । ଏବେ ବିଆରଏସ୍ ଛାଡ଼ି ଘରବାହୁଡ଼ିବେ । ଅର୍ଥାତ୍ ଗମାଙ୍ଗ କଂଗ୍ରେସକୁ ଫେରିବା ନେଇ ତ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ପୂରା ପରିବାର ଏହି ମାସ ଶେଷ ସୁଦ୍ଧା କଂଗ୍ରେସକୁ ଫେରିପାରନ୍ତି । ଏଭଳି ଇଶାରା ଦେଇଛନ୍ତି ଗିରିଧରଙ୍କ ପୁତ୍ର ଶିଶିର ।

ଗମାଙ୍ଗ, ତାଙ୍କ ପତ୍ନୀ ହେମାବତୀ ଏବଂ ପୁଅ ଶିଶିର ହାଇଦ୍ରାବାଦରେ ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ଯୋଗ ଦେବାର ଛଅ ମାସ ପରେ କଂଗ୍ରେସକୁ ଫେରିବାକୁ ଯାଉଥିବା ଆଲୋଚନା ଜୋର ଧରିଛି । ଶିଶିରଙ୍କ କହିବାନୁସାରେ, ନିକଟରେ ସେ ନୂଆଦିଲ୍ଲୀରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲାକୁମାରଙ୍କୁ ଭେଟିଥିଲେ । ସେହିପରି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧିଙ୍କୁ ଭେଟିବାର ମଧ୍ୟ ସମ୍ଭାବନା ରହିଛି । ଆଶା କରୁଛୁ ଚଳିତ ମାସ ଶେଷ ସୁଦ୍ଧା ଆମେ କଂଗ୍ରେସକୁ ଫେରିବୁ । ଆମର ପୂରା ପରିବାର କଂଗ୍ରେସକୁ ଫେରିବ ।

ଦଳରେ ଅନେକ ସକାରାତ୍ମକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ଶିଶିରଙ୍କ ପରିବାର ସଦସ୍ୟ କଂଗ୍ରେସକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା ପ୍ରଭାବ ପକାଇଛି ଏବଂ କଂଗ୍ରେସ ଆଗକୁ ବଢୁଛି ବୋଲି ଶିଶିର କହିଛନ୍ତି । ଯଦି ସବୁକିଛି ଯୋଜନା ଅନୁଯାୟୀ ଚାଲେ ତେବେ ଚଳିତ ମାସ ଶେଷ ସୁଦ୍ଧା ନୂଆଦିଲ୍ଲୀରେ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ôଥତିରେ ଯୋଗଦାନ ଉତ୍ସବ ହୋଇପାରେ ।

କହିରଖୁଛୁ ଯେ ଗମାଙ୍ଗ ପରିବାର ବିଜେପି ଛାଡ଼ିବା ପରେ ଜାନୁଆରୀ ୨୭ ତାରିଖରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଉପସ୍ôଥତିରେ ହାଇଦ୍ରାବାଦରେ ବିଆରଏସରେ ଯୋଗ ଦେଇଥିଲେ । ତେବେ ଓଡ଼ିଶାରେ ବିଆରଏସ୍ ନିଜର ନିର୍ବାଚନୀ ଯୋଜନାକୁ ନେଇ ସ୍ପଷ୍ଟ ନଥିବାରୁ ସେମାନେ କଂଗ୍ରେସ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏପରିକି ବିଆରଏସ ଓଡ଼ିଶାରେ ସଦସ୍ୟତା ଅଭିଯାନ ଆରମ୍ଭ କରି ରାଜ୍ୟ ପଦାଧିକାରୀ ଘୋଷଣା ନକରିବାରୁ ଅନ୍ୟ ଦଳରୁ ଡିଆଁ ମାରିଥିବା ନେତାମାନଙ୍କ ମୁହଁ ଶୁଖିଲା ପଡ଼ିଯାଇଛି । ଲଡୁ ଖାଇବା ଆଶା ସେମାନଙ୍କ ମାଟିରେ ମିଶିଯାଇଛି, କାରଣ ବିଆରଏସ ଏକପ୍ରକାର ଓଡ଼ିଶାରୁ ବିଦାୟ ନେଇଯାଇଛି ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି ।

ଏଠାରେ କହିରଖୁଛୁ ଯେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଧର ଗମାଙ୍ଗ ଶେଷଥର ପାଇଁ କୋରାପୁଟ ଲୋକସଭା ଆସନରୁ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ିି ବିଜେଡିର ଝିନା ହିକକାଙ୍କଠାରୁ ପରାଜିତ ହୋଇଥିଲେ । ୧୯୭୨ରୁ ୨୦୦୪ ମଧ୍ୟରେ ଏହି ଆସନରୁ ନଅ ଥର ସାଂସଦ ହୋଇଥିଲେ ।

କିନ୍ତୁ ସେ ୨୦୧୫ ରେ କଂଗ୍ରେସ ଛାଡି ତାଙ୍କ ପୁଅ ସହିତ ବିଜେପିରେ ଯୋଗ ଦେଇଥିଲେ । ଉଭୟ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଜାନୁଆରୀ ୨୫ ତାରିଖରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଏହାର ଦୁଇ ଦିନ ପରେ ବିଆରଏସରେ ଯୋଗ ଦେଇଥିଲେ । ତେବେ ଦେଖିବାକୁ ବାକି ରହିଲା କଂଗ୍ରେସ ଗମାଙ୍ଗ ପରିବାରକୁ କେବେ କୋଳେଇ ନେଉଛି!

Related Articles

Back to top button
WP Twitter Auto Publish Powered By : XYZScripts.com