Featuredରାଜନୀତି

ବଙ୍ଗଳା ଦିବସ କେବେ? ମୋଦି-ମମତା ଲଢ଼େଇ

ବେଙ୍ଗଳ ଡେ’ ବା ବଙ୍ଗଳା ଦିବସ କେବେ? ଏହାକୁ ନେଇ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ଚାଲିଛି ଟଣାଓଟରା । ନିଜ ଜିଦରୁ ଓହରୁ ନାହାନ୍ତି ମୋଦି-ମମତା । କେନ୍ଦ୍ର କହୁଛି ଜୁନ୍ ୨୦ ହେଉଛି ବଙ୍ଗଳା ଦିବସ । କିନ୍ତୁ ଦିଦି ଏହା ମାନିବାକୁ ନାରାଜ । ଖାସ୍ ଏଇଥି ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡକାଇଛନ୍ତି ଅଲ୍ ପାର୍ଟି ମିଟିଂ ବା ସର୍ବଦଳୀୟ ବୈଠକ ।

ଲକ୍ଷ୍ୟ ରହିଛି ବିଚାର ବିମର୍ଶ କରାଯିବ ବଙ୍ଗଳା ଦିବସ ସମ୍ପର୍କରେ ଆଉ ସ୍ଥିର ହେବ ରାଜ୍ୟ ପାଇଁ ଏକ ସାମ୍ବିଧାନିକ ସଂଗୀତ । ତେବେ ମମତାଙ୍କ ଏଭଳି ପଦକ୍ଷେପ କାହିଁକି? କାରଣ ସପ୍ତାହକ ତଳେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଘୋଷଣା କରିଥିଲେ ଯେ ଜୁନ୍ ୨୦ ହେଉଛି ବଙ୍ଗଳାର ପ୍ରତିଷ୍ଠା ଦିବସ । ଯାହା କେନ୍ଦ୍ର ସରକାରଙ୍କ ସମ୍ମତିରେ ରାଜ୍ୟପାଳ ଘୋଷଣା କରିଥିଲେ କିନ୍ତୁ ଏନେଇ ରାଜ୍ୟ ସରକାରଙ୍କ ସହ କୌଣସି ଆଲୋଚନା କରିନଥିବା ମମତା ଅଭିଯୋଗ କରିଛନ୍ତି ।
ତେବେ ଆସନ୍ତୁ ନଜର ପକାଇବା ଇତିହାସ ପୃଷ୍ଠାରୁ ପଶ୍ଚିମବଙ୍ଗକୁ:

ବଙ୍ଗ ଭଙ୍ଗ କଥା ତ ଆପଣମାନେ ନିଶ୍ଚୟ ଜାଣିଥିବେ । ଭାରତ-ପାକ୍ ବିଭାଜନ ପୂର୍ବରୁ ପଶ୍ଚିମବଙ୍ଗକୁ ନେଇ ୧୯୪୭ ଜୁନ୍ ୨୦ରେ ବଙ୍ଗାଲ ବିଧାନସଭାରେ ଚାଲିଥିଲା ଅଙ୍କକଷା । ପୂର୍ବବଙ୍ଗ କାହାର ହେବ ଆଉ ପଶ୍ଚିମବଙ୍ଗ କାହାର ହେବ? ତାକୁ ନେଇ ରହିଥିଲା ବିଧାୟକମାନଙ୍କ ଅଲଗା ଅଲଗା ମତ ଏବଂ ସେଥିପାଇଁ ଗୃହରେ ହୋଇଥିଲା ବାଚନିକ ଭୋଟ୍ ।

ପଶ୍ଚିମବଙ୍ଗକୁ ନେଇ ହୋଇଥିବା ମତଦାନରେ ୫୮ ଜଣ ସଦସ୍ୟ ଚାହୁଁଥିଲେ ପଶ୍ଚିମବଙ୍ଗ ଭାରତରେ ରହୁ ଏବଂ ୨୧ ଜଣ ଚାହୁଥିଲେ ଏହା ଭାରତରେ ନରହୁ । ସେହିପରି ପୂର୍ବ ବଙ୍ଗକୁ ନେଇ ହୋଇଥିଲା ମତଦାନ । ଯେଉଁଥିରେ ୧୦୬ ଜଣ ସଦସ୍ୟ ଏହା ପାକିସ୍ତାନରେ ମିଶୁ ବୋଲି ସମର୍ଥନ ଜଣାଇଥିବାବେଳେ ୩୫ ଜଣ ତାହା ଚାହୁନଥିଲେ । ତେଣୁ ବହୁମତରେ ପୂର୍ବ ବଙ୍ଗ ମିଶିଯାଇଥିଲା ପାକିସ୍ତାନରେ । ଆଉ ଏହି ବିଭାଜନର ଦୁଃଖ ଆଜି ବି ପ୍ରତିଟି ବଙ୍ଗାଳୀଙ୍କ ହୃଦୟକୁ ଯନ୍ତ୍ରଣା ଦେଉଛି ବୋଲି ମମତା ବିଚାର କରୁଥିବା ସ୍ପଷ୍ଟ ଜଣାପଡୁଛି ।

ଏପଟେ ରାଜ୍ୟପାଳ ଜୁନ୍ ୨୦କୁ ପଶ୍ଚିମବଙ୍ଗର ପ୍ରତିଷ୍ଠା ଦିବସ ଭାବେ ଘୋଷଣା କରିବା ପରେ ମମତା ତାଙ୍କୁ ପତ୍ର ଲେଖିଥିଲେ । ରାଜ୍ୟ ପାଇଁ ଏହି ଜୁନ୍ ୨୦ ଖୁବ୍ ଯନ୍ତ୍ରଣାଦାୟକର ଦିନ ବୋଲି ମମତା ଚିଠିରେ ଦର୍ଶାଇବା ସହ ଏହାର ପୁନଃବିଚାର ପାଇଁ ଅନୁରୋଧ କରିଥିଲେ । ଏପରିକି ମମତା କହିଥିଲେ ଯେ ମୁଁ ଏହି ବେଙ୍ଗାଲରେ ଜନ୍ମ ହୋଇଛି । ଆମେ ଆମର ସାରା ଜୀବନ ଏହି ରାଜ୍ୟରେ ବିତାଇ ଆସିଛୁ କିନ୍ତୁ କେବେ ରାଜ୍ୟ ପ୍ରତିଷ୍ଠା ଦିବସ ବିଷୟରେ ଶୁଣିନଥିଲୁ ।

ଏନେଇ କେହି କେବେ ଉତ୍ସବ ପାଳନ କରିନାହିଁ କି ଏ ସଂକ୍ରାନ୍ତରେ ବିଧାନସଭାରେ କୌଣସି ନିୟମ ପ୍ରଣୟନ କରାଯାଇନି ବୋଲି ସେ କହିଚନ୍ତି । ତେଣୁ ସ୍ଥାପନା ଦିବସ ପାଳନ ପାଇଁ ଏଭଳି ଏକତରଫା ନିଷ୍ପତ୍ତିରେ ମମତା ଆଶ୍ଚର୍ଯ୍ୟ ଚକିତ ହୋଇଥିବା ରାଜ୍ୟପାଳଙ୍କୁ ଚିଠିରେ ଜଣାଇଥିଲେ । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଙ୍ଗଳା ଦିବସ ପାଇଁ ଆଉ ଏକ ତାରିଖ ସ୍ଥିର କରିବା ସହ ରାଜ୍ୟ ବନ୍ଦନା ପାଇଁ ଗୀତ ବିଷୟରେ ଆଲୋଚନା ପାଇଁ ବିଧାୟକମାନଙ୍କ ଏକ ସମିତି ଗଠନ କରିଛନ୍ତି ।

ନବ ଗଠିତ କମିଟିରେ ଥିବା ମନ୍ତ୍ରୀ ଶୋଭନ ଚାଟାର୍ଜୀ କହିଛନ୍ତି ଯେ ରାଜ୍ୟପାଳଙ୍କୁ ଯାହା ପସନ୍ଦ ଆସିଲା ସେ ତାହା କରିଛନ୍ତି । ସେ କୌଣସି ଆଲୋଚନା କରିନାହାନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆବାହକତ୍ୱରେ ଗଠିତ ବିଧାୟକ କମିଟି ରାଜ୍ୟ ଦିବସ ପାଇଁ ନିଷ୍ପତ୍ତି ନେବେ, ତେବେ ସେହି ଦିବସଟି ଶୁଭଦିନ ହୋଇଥିବା ଦରକାର । ବୈଶାଖ ମାସର ପ୍ରଥମ ଦିନରେ ବେଙ୍ଗାଲି ନବ ବର୍ଷ ପାଳନ କରାଯାଉଥିବାରୁ ଉକ୍ତ ଦିବସକୁ ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା ମନ୍ତ୍ରୀ ଚାଟାର୍ଜୀ କହିଛନ୍ତି । ଏହାପରେ ମମତା ସର୍ବଦଳୀୟ ବୈଠକ ଡକାଇଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

ତେବେ ମମତାଙ୍କ ପ୍ରସ୍ତାବ କେନ୍ଦ୍ରର ପସନ୍ଦ ଆସିବା ସମ୍ଭାବନା କମ୍ ବୋଲି ଚର୍ଚ୍ଚା ହେଉଛି । କାରଣ ଏହା ପୂର୍ବରୁ ରାଜ୍ୟର ନାମ ବଦଳାଇ ବାଙ୍ଗଲା କରାଯିବା ପ୍ରସ୍ତାବ ରାଷ୍ଟ୍ରପତିଙ୍କ ମୋହର ପାଇବା ଅପେକ୍ଷାରେ ରହିଛି ।

ସେପଟେ ବିଜେପିର ଜଣେ ନେତା କହିଛନ୍ତି ଯେ କଣ ହେବ ତାହା ଦେଖାଯିବ କିନ୍ତୁ ଜୁନ୍ ୨୦ ହେଉଛି ବେଙ୍ଗାଲ୍ ଡେ, ତେଣୁ ପୁଣି ଆଉଗୋଟିଏ ଦିନ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଇଣ୍ଡିଆନ୍ ସେକୁଲାର୍ ଫଣ୍ଟ୍ ବା ଆଇଏସଏଫ୍ ବିଧାୟକ ନୌସଦ କହିଛନ୍ତି ଯେ, ଦିବସ ବିଷୟ ଠିକ୍ ଅଛି କିନ୍ତୁ ଏହାକୁ ନେଇ କେନ୍ଦ୍ର-ରାଜ୍ୟ ଟଣାଟଣି ହେବା ବା ପ୍ରତିଯୋଗିତା କରିବା ଉଚିତ୍ ନୁହେଁ । ତେବେ ଦେଖିବାକୁ ବାକି ରହିଲା କେନ୍ଦ୍ର-ପଶ୍ଚିମବଙ୍ଗର ଏହି ଲଢ଼େଇରେ କିଏ ମାରିନେଉଛି ବାଜି ।

Related Articles

Back to top button
WP Twitter Auto Publish Powered By : XYZScripts.com