Breaking NewsFeaturedରାଜନୀତି

ପୁଅକୁ ଘରୁ ତଡିଦେଲେ ସୁର

ରାଜନୀତି ପାଇଁ ପରିବାର ଭାଗ ଭାଗ ହୋଇଯିବା ନୂଆ କଥା ନୁହେଁ । ଆପଣ ଏନେଇ ଅନେକ ଉଦାହରଣ ପାଇ ପାରିବେ । ଲାଲୁଙ୍କ ଦୁଇ ପୁଅ ତେଜସ୍ୱୀ ଓ ତେଜପ୍ରତାପ, ମୁଲାୟମଙ୍କ ପୁଅ ଅଖିଳେଶ ଓ ଭାଇ ଶିବପାଲ, ସେପଟେ ଏନସିପି ମୁଖିଆ ଶରଦଙ୍କ ଝିଅ ସୁପ୍ରିୟା ଓ ପୁତୁରା ଅଜିତ କେମିତି ରାଜନୀତି ପାଇଁ ପରିବାର ବା ରକ୍ତ ସଂପର୍କକୁ ଭୁଲିଗଲେ ସେକଥା ସମସ୍ତେ ଜାଣନ୍ତି । ସେମିତି ଆମ ରାଜ୍ୟରେ ବି ରାଜନୀତି ପାଇଁ ବାପ ପୁଅ ଭିତରେ କଳି ।

ପୁଅ କହୁଛି ବାପାଙ୍କ ଦଳକୁ ମୋର ଭରଷା ପାଉନି କିନ୍ତୁ ବାପା କହୁଛନ୍ତି ତୁ କେବଳ ଆମରି ଦଳରୁ ହିଁ ଲଢିବୁ । ହଁ ଆଜ୍ଞା ଆପଣ ଠିକ ବୁଝିଛନ୍ତି ଆମେ କହୁଛୁ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ କଥା । ଗତ କିଛି ବର୍ଷ ହେଲା ସୁରା ରାଉତରାୟ ତାଙ୍କ ସାନ ପୁଅ ମନ୍ମଥଙ୍କୁ ଧରି ଗାଁ ଗାଁ ବୁଲୁଛନ୍ତି, ସଭାସମିତିମାନ ଯାଉଛନ୍ତି । କହିବାକୁ ଗଲେ ସୁର ତାଙ୍କ ସାନପୁଅର ପଲିଟିକାଲ ଲଞ୍ଚିଂ କରୁଛନ୍ତି । ଏନେଇ ସୁର ବି ବହୁ ଆଗରୁ ଖୋଲାଖୋଲି ଭାବରେ କହିଛନ୍ତି ଯେ ସେ ଆଉ ନିର୍ବାଚନ ଲଢିବେ ନାହିଁ । ତାଙ୍କୁ ଅଶୀ ଛୁଇଁଲାଣି ତେଣୁ ସେ ପ୍ରତ୍ୟକ୍ଷ ରାଜନୀତିରେ ଆଉ ଭାଗ ନେବେ ନାହିଁ । ତାଙ୍କ ବଦଳରେ ସାନପୁଅ ମନ୍ମଥ ହିଁ କଂଗ୍ରେସ ଟିକେଟରେ ଜଟଣୀରୁ ଲଢିବେ ।

ଏକଥା ଥରେ କି ଅଧେ ନୁହେଁ ଅନେକ ଥର ଗଣମାଧ୍ୟମ ଆଗରେ ଏଭଳି ଖୋଲାଖୋଲି ବୟାନ ଦେଇଛନ୍ତି ସୁର । ହେଲେ ଗତକାଲି ସୁରଙ୍କ ସାନପୁଅ ମନ୍ମଥ ଖୋଲାକୋଲି ଭାବରେ ମିଡିଆ ଆଗରେ କହିଛନ୍ତି ସେ ଅନ୍ୟ କେଉଁ ଦଳରୁ ପଛେ ଲଢିବେ କିନ୍ତୁ କିନ୍ତୁ କଂଗ୍ରେସ ଟିକେଟରୁ କେବେ ବି ନୁହେଁ । କାରଣ ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ଦେଖି ଅତିଷ୍ଠ ହୋଇ ପଡିଛନ୍ତି । ତେବେ ମନ୍ମଥଙ୍କ ଏଇ ବୟାନ ପରେ ରାଗରେ ନିଆଁବାଣ ହୋଇ ଯାଇଛନ୍ତି ସୁର । ଆଜି ଗଣମାଧ୍ୟମ ସାମନାରେ ସୁର ବୟାନ ରଖିଲା ବେଳେ ପୁଅ ମନ୍ମଥଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । କହିଛନ୍ତି ସେକଣ କହିବ, ସେ ମୋ ପୁଅ ମୁଁ କହୁଛି ମାନେ ସେ କଂଗ୍ରେସରୁ ଅଲବତ ଲଢିବ । ସୁର କହିଛନ୍ତି ଆମ ରକ୍ତରେ କଂଗ୍ରେସ, ଆମେ କଂଗ୍ରେସ ପରିବାର ।

ମୁଁ ୬୦ ବର୍ଷ ହେଲା କଂଗ୍ରେସରେ ଅଛି, ମୋ ଅନ୍ତେ ମୋ ପୁଅ ବି ରହିବ । ତେବେ ସୁର ଏକଥା ବି କହିଛନ୍ତି ମନ୍ମଥ ଦେଇଥିବା ବୟାନକୁ ନେଇ ମୁଁ ତାକୁ ପଚାରିଥିଲି । ତୋର ଏମିତି କହିବାକୁ ସାହସ କେମିତି ହେଲା । ଏବଂ ରାଗରେ କହିଲି ତୋର ଛୁଟି ସରିନି ତୁ ଘରୁ ପଳା । ଏବଂ ମନ୍ମଥ ବି ବାପାଙ୍କ ରାଗ ଦେଖି ରାଜନୀତିକୁ ପଛରେ ପକାଇ ସିଧା କର୍ମ କ୍ଷେତ୍ରକୁ ଚାଲିଯାଇଛନ୍ତି ବୋଲି ଆଜି ଗଣମାଧ୍ୟମ ସାମନାରେ କହିଛନ୍ତି ସୁର ରାଉତରାୟ ।

Related Articles

Back to top button
WP Twitter Auto Publish Powered By : XYZScripts.com