Breaking NewsFeaturedରାଜନୀତି

ସତ୍ୟ, ସିସୋଦିଆଙ୍କ ପରେ ଇଡି ସ୍କାନରରେ ସଞ୍ଜୟ

କ୍ଷମତାରେ ଅଛି, କିନ୍ତୁ ଖୁବ୍‌ ଦୁର୍ବଳ ମନେ ହେଉଛି ଆପ୍। ଦଳକୁ ନିୟନ୍ତ୍ରଣରେ ରଖି ପାରୁନାହାନ୍ତି ଆମ ଆଦମି ପାର୍ଟି ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌। ଫଳରେ ବାଟ ହୁଡୁଛନ୍ତି ଦଳର ବହୁ ନେତା ଆଉ ପଡୁଛନ୍ତି ତଦନ୍ତକାରୀ ସଂସ୍ଥାର ଜାଲରେ। ଏଭଳି ଚର୍ଚ୍ଚା ଏବେ ଚାରିଆଡ଼େ। କାରଣ ୨୦୨୪ ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ଦଳ ଭିତରେ ସେତିକି ଛନକା ପଶୁଛି। କେନ୍ଦ୍ର କ୍ଷମତାରେ ଥିବା ବିଜେପି ନେତୃତ୍ଵାଧୀନ ଏନଡିଏ ସରକାରକୁ ମାତ ଦେବା ପାଇଁ ବିରୋଧୀ ମେଣ୍ଟ ବଳ ସାଉଁଟୁଛନ୍ତି। ଏଭଳି ବେଳାରେ ବିରୋଧୀ ଦଳର ସାଥୀମାନେ ବିଭିନ୍ନ ମାମଲାରେ ଫସି ଏବେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ଏହି କ୍ରମରେ ଆପ୍‌ ର ଆଉଜଣେ ନେତା ଏବେ ଇଡି ସ୍କାନରରେ।

ଦିଲ୍ଲୀର ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ବାସଭବନରେ ଇଡି ରେଡ୍। ବୁଧବାର ସକାଳୁ ତାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ଉ ଜାରି ରହିଛି । ଚଢଉରେ ଇଡିର ବହୁ ବରିଷ୍ଠ ଅଧିକାରୀ ସାମିଲ ରହିଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ଚାର୍ଜସିଟରେ ମଧ୍ୟ ସଂଜୟ ସିଂଙ୍କ ନାଁ ରହିଛି । ଏହାପୂର୍ବରୁ ସଂଜୟ ସିଂଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ମଧ୍ୟ ଚଢଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସମାନ ଦୁର୍ନୀତି ମାମଲାରେ ସଂଜୟ ସିଂଙ୍କ ଦଳର ସହକର୍ମୀ ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଅଛନ୍ତି। ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ଏବଂ ଏକ୍ସାଇଜ୍ ମନ୍ତ୍ରୀଙ୍କୁ ପ୍ରଥମେ ଫେବୃଆରୀ ୨୬ ତାରିଖ ରେ ଗିରଫ କରାଯାଇଥିଲା। ଫେବୃଆରୀ ୨୮ ରେ ସେ ଦିଲ୍ଲୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। ସିସୋଦିଆକୁ ଏହି ମାମଲାରେ ଏକ ପ୍ରମୁଖ ଷଡଯନ୍ତ୍ରକାରୀ ବୋଲି କହିଛି ଇଡି ।

ଏଠାରେ କହିରଖୁଛୁ ଯେ ପୂର୍ବରୁ ମନି ଲଣ୍ଡ୍ରିଂ ମାମଲାରେ ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିସାରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । କିନ୍ତୁ ଅସୁସ୍ଥତା କାରଣରୁ ସୁପ୍ରିମକୋର୍ଟରୁ ସତ୍ୟେନ୍ଦ୍ର ଅନ୍ତରୀଣ ଜାମିନ ପାଇଛନ୍ତି ।

ତେବେ ସେ ଯାହା ହେଉ, ଗୋଟିଏ ପଟେ ବିରୋଧୀ ମେଣ୍ଟ ଆଇଏନଡିଆଇଏରେ ଆପ୍‌ ସାମିଲ ହୋଇଥିଲେ ମଧ୍ୟ ମେଣ୍ଟର ବଡ଼ଭାଇ କୁହାଯାଉଥିବା କଂଗ୍ରେସ ସହ ରହିଛି ଭିତିରି କେଁ। ସେପଟେ ଦିଲ୍ଲୀ କ୍ଷମତାକୁ ନେଇ କେନ୍ଦ୍ର ସରକାର ତଥା ବିଜେପି ସହ ଆପ୍‌ ର ରହିଛି ବଡ଼ ଲଢ଼େଇ। ଏମିତି ଘଡ଼ିସନ୍ଧି ସ୍ଥିତିରେ ଆପ୍‌ ନିଜ ନେତାମାନଙ୍କ ପାଇଁ ଆହୁରି ଗୋଳିଆ ଭିତରେ ପଶି ଯାଉଥିବା କୁହାଯାଉଛି। ଏମିତି ହେଲେ ଆଗାମୀ ନିର୍ବାଚନ ହୁଏତ ଆମ ଆଦମି ପାର୍ଟି ପାଇଁ ଭାରୀ ପଡ଼ିପାରେ ଏବଂ ଲୋକଙ୍କ ସମର୍ଥନ ମିଳିନପାରେ ବୋଲି ରାଜନୀତିକ ବିଶେଷଜ୍ଞମାନେ ଆଲୋଚନା କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com